ମାଲକାନଗିରି: ମାଲକାନଗିରିରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା। ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ୪୦୦୦ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ ସିମେଣ୍ଟ କାରଖାନା। ୨୦୦୦ରୁ ଅଧିକ ଯୁବକ ଓ ଯୁବତୀ ନିଯୁକ୍ତି ପାଇବେ। ଏନେଇ ଶନିବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଆଜି ମାଲକାନଗିରି ଡିଆର୍ଡିଏ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଜିଲ୍ଲାର ସାଂସଦ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପ ବିହୀନ ମାଲକାନଗିରି ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଓ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଜିଲ୍ଲାରେ ୪୦୦୦ କୋଟି ଟଙ୍କା ବ୍ୟୟରେ ଗୋଟିଏ ସିମେଣ୍ଟ କାରଖାନା ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପରେ ୨୦୦୦ରୁ ଅଧିକ ଶିକ୍ଷିତ ଯୁବକ ଓ ଯୁବତୀ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମାଲକାନଗିରି ଶେଷ ସୀମା ମୋଟୁରୁ ମୟୂରଭଞ୍ଜର ତିରିଂ ପର୍ଯ୍ୟନ୍ତ ୬ ଲାଇନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ। ରେଳ ଲାଇନ୍ ଓ ଏନ୍ଏଚ୍ କାମକୁ ତ୍ୱରାନ୍ୱିତ କରାଯିବ। ଆଗାମୀ ଦିନରେ ଜୟପୁର-ମାଲକାନଗିରି ଓ ମାଲକାନଗିରି-ଭଦ୍ରାଞ୍ଚଳମ୍କୁ ରେଳ ସଂଯୋଗ କରାଯିବ। ଏହାଦ୍ୱାରା ଜିଲ୍ଲାର ଆର୍ଥିକ ସ୍ଥିତି ସୁଧୁରିବା ସହ ସ୍ଥାନୀୟ ଯୁବକ ଯୁବତୀମାନେ ଉପକୃତ ହେବେ। ଜିଲ୍ଲାରେ ଚାଲିଥିବା ସମସ୍ତ ସରକାରୀ କାର୍ଯ୍ୟ ଗୁଡିକର ତରାନ୍ୱିତ ପାଇଁ ପ୍ରତି ୧୫ ଦିନ ଓ ମାସେରେ ଜିଲ୍ଲାର ଜିଲ୍ଲାପାଳ ଓ ଆରଡିସି କାର୍ଯ୍ୟର ସମୀକ୍ଷା କରିବେ। ଏହାସହ ସ୍ୱାଭିମାନ ଅଞ୍ଚଳରେ ଆଉ ଏକ ସେତୁ ନିର୍ମାଣ ହେବ ମୁଖ୍ୟମନ୍ତ୍ରୀ କହିଛନ୍ତି।