Latest Odisha News

ଭାଷାର ବିକାଶ ପାଇଁ ପ୍ରୁଫ୍-ସଂଶୋଧକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

କଟକ: ଭାଷାର ଉନ୍ନତି ପାଇଁ ବର୍ଣ୍ଣାଶୁଦ୍ଧିର ଯେତିକି ଆବଶ୍ୟକତା ରହିଛି ପ୍ରୁଫ୍-ସଂଶୋଧନର ସେତିକି ମଧ୍ୟ ଗୁରୁତ୍ବ ରହିଛି। ଓଡ଼ିଆ ଭାଷାରେ ପ୍ରକାଶିତ ପୁସ୍ତକ ଆଦିରେ ଠିକ୍‌ ଭାବରେ ପ୍ରୁଫ୍-ସଂଶୋଧନ ହେଉନଥିବାରୁ ମାତ୍ରାଧିକ ବର୍ଣ୍ଣାଶୁଦ୍ଧି ଦେଖାଦେଉଛି। ଏହାଦ୍ବାରା ଭାଷା ବିକୃତ ହେଉଛି। ଆମ ସାହିତ୍ୟ ଜଗତରେ ସ୍ୱର୍ଗତଃ କାଳିନ୍ଦୀଚରଣ ପାଣିଗ୍ରାହୀ, ପଣ୍ଡିତ କୃଷ୍ଣଚନ୍ଦ୍ର କର, ରାମକୃଷ୍ଣ ନନ୍ଦଙ୍କ ପରି ପ୍ରୁଫ୍-ସଂଶୋଧକଙ୍କ ଆବଶ୍ୟକତା ରହିଛି ବୋଲି ଅଧ୍ୟାପିକା ନୀହାରିକ ଦାସ ସ୍ମୃତି ନ୍ୟାସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।
ଅଧ୍ୟାପିକା ନୀହାରିକ ଦାସ ସ୍ମୃତି ନ୍ୟାସ ତରଫରୁ ଶନିବାର ଶ୍ରୀରାମଚନ୍ଦ୍ର ଭବନଠାରେ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକଙ୍କୁ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଛି। ବରିଷ୍ଠ ଶିକ୍ଷାବିତ୍ ଡ. ସଂକର୍ଷଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ. ଜଷ୍ଟିସ ମଦନମୋହନ ଦାସ ମୁଖ୍ୟଅତିଥି ଓ ପ୍ରଫେସର ଡକ୍ଟର ଯତୀନ୍ଦ୍ର କୁମାର ନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ। ଚଳିତବର୍ଷ ପାଇଁ ସ୍ୱର୍ଗତା ଶୈଳବାଳା ମହାପାତ୍ର ଓ ଡ. ଶମ୍ଭୁଦୟାଲ ଅଗ୍ରୱାଲଙ୍କୁ ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ଭାବରେ ଅର୍ଥରାଶି ସହ ପୁରସ୍କୃତ କରାଯାଇଛି। ସ୍ୱର୍ଗତା ମହାପାତ୍ରଙ୍କ ତରଫରୁ ତାଙ୍କ କନ୍ୟା ମଧୁସ୍ମିତା ଆଚାର୍ଯ୍ୟ ଏହି ପୁରସ୍କାର ଗ୍ରହଣ କରିଥିଲେ।

ଡ. ନାରାୟଣ ମହାନ୍ତି ସ୍ୱାଗତ ଭାଷଣ ଓ ଅଧ୍ୟାପକ ବିଜୟ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ସାହିତ୍ୟିକ ଡ. ବାବାଜି ଚରଣ ପଟ୍ଟନାୟକ, ତରୁଣ କୁମାର ସାହୁ, ଡ. ସୁନାମଣି ରାଉତ, ରାଧାଶ୍ୟାମ ରାଉଳ, କାନ୍ତିବାଳା ନାୟକ, ପ୍ରଫେସର ଦିନେଶ ପଟ୍ଟନାୟକ, ଡ. ଶଚୀନ୍ଦ୍ର ରାଉଳ, ପ୍ରାଧ୍ୟାପିକା ଚିତ୍ରା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସ୍ମୃତି ନ୍ୟାସର ଆବାହକ ଦୀପକ କୁମାର ମହାନ୍ତ ମଞ୍ଚ ପରିଚାଳନା କରିଥିଲେ ଓ ଶିକ୍ଷାବିତ୍ ତୁଷାରକାନ୍ତ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.