ହାଇଦ୍ରାବାଦ; ଗତ ଡିସେମ୍ବର 4 ରେ ପୁଷ୍ପା 2 ର ପ୍ରିମିୟର୍ ସୋ ସମୟରେ ହାଇଦ୍ରାବାଦର ସଂନ୍ଧ୍ୟା ଥିଏଟରରେ ଘଟିଥିବା ଦଳାଚକଟା ଘଟଣାରେ ଆହତ ଶିଶୁର ଅବସ୍ଥା ବିଗିଡ଼ିବାରେ ଲାଗିଛି l ଏବେ ସେ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରେ ରହି ଚିକିତ୍ସିତ ହେଉଛନ୍ତି l ଏନେଇ ଗତକାଲି ହାଇଦ୍ରାବାଦର କିମ୍ସ କଡ଼ଲ୍ସ ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି l ଆଠ ବର୍ଷ ବାଳକ ଶ୍ରୀ ତେଜ ଏବେ ଆଇସିୟୁରେ ଅଛନ୍ତି ଏବଂ ତାଙ୍କର ସ୍ନାୟୁଗତ ଅବସ୍ଥାରେ କୌଣସି ସୁଧାର ଆସୁନାହିଁ ବୋଲି ଡାକ୍ତର କହିଛନ୍ତି l
ଡାକ୍ତରଙ୍କ କହିବାନୁସାରେ, ସେ ଭେଣ୍ଟିଲେସନରେ ଥିଲେ l ଏବେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିବାକୁ ବିଚାର କରାଯାଉଛି l ଏବେ ତାଙ୍କର ଜ୍ୱର ସାଧାରଣତଃ କମିଛି ଏବଂ ତାଙ୍କର ପାରାମିଟର ଏବେ ସ୍ଥିର ଅଛି ବୋଲି ଡାକ୍ତରମାନେ କହିଛନ୍ତି l ଶିଶୁକୁ ଯେତେବେଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେତେବେଳେ ତାଙ୍କ ଅବସ୍ଥା ଗୁରୁତର ଥିଲା l ଶରୀରରେ ଅକ୍ସିଜେନ ମାତ୍ରା କମ ଥିବା ବେଳେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା l ଏହାରିଭିତରେ ହାଇଦ୍ରାବାଦ ସିଟି ପୋଲିସ କମିଶନର ସି.ବି ଆନନ୍ଦ ଡାକ୍ତରଖାନା ପରିଦର୍ଶନ କରିବା ପରେ କହିଛନ୍ତି ଯେ, ଦଳାଚକଟା ସମୟରେ ନିଶ୍ୱାସ ପ୍ରଶ୍ୱାସ ଅଭାବରୁ ଶ୍ରୀ ତେଜଙ୍କ ବ୍ରେନଡେଡ଼ ହୋଇଯାଇଛି l ତେଣୁ ତାଙ୍କୁ ସୁସ୍ଥ ହେବା ପାଇଁ ବହୁତ ସମୟ ଲାଗିବ ବୋଲି କହିଛନ୍ତି ପୋଲିସ କମିଶନର l
ସୂଚନାଯୋଗ୍ୟ, ଗତ ଡିସେମ୍ବର 4 ରେ ପୁଷ୍ପା 2ର ପ୍ରିମିୟର୍ ସୋ ସମୟରେ ସେଠାରେ ଦଳାଚକଟା ପରି ପରିସ୍ଥିତି ଦେଖିବାକୁ ମିଳିଥିଲା l ଅଭିନେତା ଅଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ସେଠାରେ ବିପୁଳ ଜନସମାଗମ ହୋଇଥିଲା l ଦଳାଚକଟା ଫଳରେ ଜଣେ 35 ବର୍ଷିୟ ମହିଳା ଏବଂ ତାଙ୍କର 8 ବର୍ଷର ପୁଅ ତଳେ ପଡିଯାଇଥିଲେ l ଦୁହେଁଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ମାତ୍ର ସେଠାରେ ମହିଳା ଜଣଙ୍କ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପୁଅ ଚିକିତ୍ସିତ ହେଉଥିଲେ l ସେପଟେ ଗତ ସପ୍ତାହରେ ଏହି ମାମଲାରେ ଅଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ l କିନ୍ତୁ ଜାମିନ ମିଳିବାର ଗୋଟିଏ ଦିନ ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା।