ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ମହୋତ୍ସବ ‘ସୋଆ କପ୍’ର ପୁରସ୍କାର ବିତରଣୀ ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଦିଗବିଜୟ ସିଂହଦେଓ ଭାରତରେ କ୍ରୀଡ଼ାର ବିକାଶ ନିମନ୍ତେ କ୍ରୀଡ଼ା ପ୍ରତି ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀ ପରିବର୍ତ୍ତିତ ହେବା ଆବଶ୍ୟକ ବୋଲି କହିଛନ୍ତି । ସେ ସୋଆ କପରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କୁ କ୍ରୀଡ଼ାରେ ସଂଶ୍ଲିଷ୍ଟ ହୋଇ ରହିବା ନିମନ୍ତେ ଉତ୍ସାହିତ କରିଥିଲେ।
ଅଲିମ୍ପିକରେ ଅଧିକ ସଫଳ ହେଉଥିବା ଦେଶ ଯଥା ଆମେରିକା, ଚୀନ୍, ଜାପାନ୍, ଫ୍ରାନ୍ସ ଓ ଜର୍ମାନୀରେ କୌଣସି ଖେଳାଳୀ ପଦକ ଜିତିବା ନିମନ୍ତେ କ୍ରୀଡ଼ାରେ ଅଂଶଗ୍ରହଣ କରିନଥାନ୍ତି। ଏହି ଦେଶଗୁଡ଼ିକରେ କ୍ରୀଡାବିତମାନେ ସ୍ୱାଭାବିକ ଭାବରେ କ୍ରୀଡ଼ାରେ ଭାଗ ନେଇଥାନ୍ତି। ସେମାନେ କ୍ରୀଡ଼ାରେ ନୈପୁଣ୍ୟ ହାସଲ, ଦଳଗତ ମନୋଭାବ ସୃଷ୍ଟି, ଶାରୀରିକ ସୁସ୍ଥତା ଓ ପ୍ରତିପକ୍ଷକୁ ସମ୍ମାନ ସମ୍ପର୍କରେ ଶିକ୍ଷା କରିବା ନିମନ୍ତେ କ୍ରୀଡ଼ାରେ ଭାଗ ନେଇଥାନ୍ତି ବୋଲି ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କ୍ରୀଡ଼ା ସାମ୍ବାଦିକତା କରୁଥିବା ଶ୍ରୀ ସିଂହଦେଓ କହିଥିଲେ।
ସେ ଆହୁରି କହିଥିଲେ, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ବର୍ତ୍ତମାନ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ଆଖିଦୃଶିଆ ଉନ୍ନତି କାରଣରୁ ଜାତୀୟ ସ୍ତରରେ ଓଡ଼ିଶାର ପରିଚୟ ବଦଳିଛି।
ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି କ୍ରୀଡ଼ା ମହୋତ୍ସବରେ ଫୁଟବଲ୍, କ୍ରିକେଟ, ଭଲିବଲ, ବାସ୍କେଟବଲ, କବାଡ଼ି, ବ୍ୟାଡମିଣ୍ଟନ, ଟେବୁଲ ଟେନିସ, ସଫ୍ଟବଲ, ଟେନିସ୍, ଖୋ ଖୋ, ଚେସ୍, ଥ୍ରୋବଲ୍ ଓ ଆଥଲେଟିସ୍ ତଥା ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଚଳିତ ବର୍ଷ ପାଇଁ ସୋଆ କପ୍ ସଂଯୋଜକ ଡକ୍ଟର ସୌର୍ଯ୍ୟ ରଂଜନ ଦାସ ଓ ସ୍ପୋର୍ଟ୍ସ ଅଫିସର ସୁନୀତା ର୍ବମା ଉପସ୍ଥିତ ଥିଲେ। ଆସନ୍ତା ବର୍ଷ ଏହି କାର୍ଯ୍ୟକ୍ରମ ନିମନ୍ତେ ଡକ୍ଟର ତନ୍ମୟ ପରଡ଼ା ସଂଯୋଜକ ହେବେ ବୋଲି ମଧ୍ୟ ଘୋଷଣା କରାଯାଇଛି।