ଭୁବନେଶ୍ବର: ଉଦଯାପିତ ହୋଇଯାଇଛି ରାଜ୍ୟସ୍ତରୀୟ ସରଗି ଫୁଲ୍ ଉତ୍ସବ। ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆବର୍ଗ କଲ୍ୟାଣ ବିଭାଗ, ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହି ଏସସିଏସଟି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେଇ ମାନ୍ୟବର ମନ୍ତ୍ରୀ ପିଲାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସଫଳ ଭବିଷ୍ୟତ କାମନା କରି କହିଛନ୍ତି, “ସର୍ଗି ଫୁଲ୍’’ ପବିତ୍ରତାର ପ୍ରତୀକ। ଜନଜାତି ସମାଜର ସାମାଜିକ-ସାଂସ୍କୃତିକ-ଅର୍ଥନୈତିକ ବିକାଶର ପ୍ରତୀକ ହିସାବରେ “ସର୍ଗି ଫୁଲ୍’’ ପରିଚିତ ।
ସେ ଆହୁରି କହିଛନ୍ତି, ବିଭାଗ ଅଧିନସ୍ଥ ବିଦ୍ୟାଳୟ ତଥା ଛାତ୍ରାବାସରେ ରହି ପାଠପଢୁଥିବା କୋମଳମତି ଛାତ୍ରଛାତ୍ରୀମାନଙ୍କ ପ୍ରତିଭାକୁ ସାର୍ବଜନୀନ କରିବା ଓ ସେମାନଙ୍କ ଦକ୍ଷତାକୁ ବିକଶିତ କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ।
ସେହିପରି ଉତ୍ସବରେ ଅତିଥି ଭାବେ ଅନୁସୂଚିତ ଜନଜାତି ନିର୍ଦ୍ଦେଶକ ଡ. ପୋମା ଟୁଡୁ ସ୍ବାଗତ ଅଭିଭାଷଣ ରଖି ଉତ୍ସବର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ଅନୁସୂଚିତ ଜାତି ନିର୍ଦ୍ଦେଶକ ଲକ୍ଷ୍ମଣ କୁମାର ମଲ୍ଲିକ, ଅନ୍ୟାନ୍ୟ ପଛୁଆ ବର୍ଗ ନିର୍ଦ୍ଦେଶକ ଯୁଗଳେଶ୍ବରୀ ଦାଶ, ଏଟିଏଲସି ସହନିର୍ଦ୍ଦେଶକ ସମରେନ୍ଦ୍ର ଭୂତିଆ, ଉପନିର୍ଦ୍ଦେଶକ ସନ୍ତୋଷ ରଥ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର ୧୨ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ସିବିଏସଇ ବୋର୍ଡ଼ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଅଛି। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିବା ୮୮ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ଏତତବ୍ୟତୀତ ସ୍ମରଣିକା “ସର୍ଗିଫୁଲ ୨୦୨୪” କୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଉନ୍ମୋଚନ କରିବା ସହ ସମ୍ପାଦକ ବରିଷ୍ଠ ପ୍ରଫେସର ଦାଶ ବେନହୁର ଓ ଏଟିଏଲସି ସହ ନିର୍ଦ୍ଦେଶକ ସମରେନ୍ଦ୍ର ଭୂତିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
Comments are closed.