Latest Odisha News

BREAKING NEWS

ବାଇକରେ ଲିଫଟ୍ ଦେଇ ୧୧ ପୁରୁଷଙ୍କୁ ହତ୍ୟା: ସିରିୟଲ କିଲର ଗିରଫ

ଅମୃତସର: ବାଇକରେ ଲିଫଟ ଦେଇ ପୁରୁଷଙ୍କୁ କରୁଥିଲା ହତ୍ୟା। ୧୮ ମାସରେ ୧୧ଜଣଙ୍କୁ ହତ୍ୟା କରିଥିବା ମାନିଲା ସିରିଏଲ୍ କିଲର୍ । ଖାଲି ଏତିକି ନୁହେଁ। ସିରିଏଲ୍ କିଲିଂର ପୂରା କାହାଣୀ ଶୁଣିଲେ ରୁମ ଟାଙ୍କୁରି ଉଠିବ। ଏହି ଘଟଣାଟି ପଞ୍ଜାବର। ବାଇକରେ ଲିଫ୍ଟ ଦେଇ ପୁରୁଷଙ୍କୁ ହତ୍ୟା କରିବା ପରେ ଲୁଟ୍ କରିଥିବା ଏହି ସିରିଏଲ କିଲରକୁ ମଙ୍ଗଳବାର ରୂପନଗର ଜିଲ୍ଲାରୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲା ହୋସିଆରପୁର ଗଡ଼ଶଙ୍କର ଚୌରା ଗ୍ରାମର ରାମ ସରୂପ (୩୩), ଯିଏ କି ଜଣେ ସମଲିଙ୍ଗୀ ଓ ନିଶାସକ୍ତ ବ୍ୟକ୍ତି।

ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତମାନେ ସମସ୍ତେ ସେହି ପୁରୁଷ, ଯେଉଁମାନଙ୍କୁ ଲିଫ୍ଟ ଦେବା ପରେ ସ୍ବରୂପ ଯୌନ ସମ୍ପର୍କ ରଖିଥିଲା। ଏହାପରେ ପୀଡ଼ିତଙ୍କ ସହ ଝଗଡ଼ା ହେବା କିମ୍ବା ଟଙ୍କା ଦେବାକୁ ମନା କରିବା ପରେ ଅଭିଯୁକ୍ତ ସେମାନଙ୍କୁ ଲୁଟ୍ କରି ହତ୍ୟା କରୁଥିଲା। ଅଧିକାଂଶ ମାମଲାରେ ଅଭିଯୁକ୍ତ ଜଣକ ପୀଡ଼ିତଙ୍କୁ ବେକରେ ଲୁଗା ବାନ୍ଧି ହତ୍ୟା କରୁଥିଲା। ଅନ୍ୟ କେତେକ ମାମଲାରେ ମୁଣ୍ଡକୁ ଆଘାତ ଦେଇ ହତ୍ୟା କରିଛି ଏହି କିଲର। ଗୋଟିଏ ହତ୍ୟାକାଣ୍ଡରେ ଅଭିଯୁକ୍ତ ଜଣକ ପୀଡ଼ିତଙ୍କ ପିଠିରେ ‘ଧୋକେବାଜ’ ବୋଲି ମଧ୍ୟ ଲେଖିଥିଲା। ଏହି ମୃକତ ଏକ ଘରୋଇ କାରଖାନାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଜଣେ ପୂର୍ବତନ ସୈନିକ ଥିଲେ।

ଗତ ଅଗଷ୍ଟ ୧୮ ତାରିଖରେ ଟୋଲ ପ୍ଲାଜା ମୋଦ୍ରାରେ ଚା’ ଓ ପାଣି ପରିବେଷଣ କରୁଥିବା ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତକୁ ପ୍ରଥମେ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ସରୂପ ଆହୁରି ୧୦ ଜଣଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି। ଅଧିକାରୀମାନେ କହିଛନ୍ତି ଯେ, ଶ୍ରମିକ ଭାବରେ କାମ କରୁଥିବା ଅଭିଯୁକ୍ତ ଜଣକ ଡ୍ରଗ୍ସ ସେବନ କରୁଥିଲା। ସିରିଏଲ କିଲରର କହିବା ଅନୁଯାୟୀ, ସେ ଦୁଃଖ ଅନୁଭବ କରିବାରୁ ହତ୍ୟା କରିବା ପରେ ପୀଡ଼ିତଙ୍କ ପାଦ ଛୁଇଁ କ୍ଷମା ମାଗୁଥିଲା। ନିଶାଗ୍ରସ୍ତ ହେବା ପରେ ହିଁ ସେ ଅପରାଧ ଘଟାଇଥିବା ସ୍ୱୀକାର କରିଛି।

Comments are closed.