ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ରୋଚକ ମୁକାବିଲା । ଆମ୍ ଆଦମୀ ପାର୍ଟି ଆଗରେ ଡବଲ୍ ଚ୍ୟାଲେଞ୍ଜ । ଦିଲ୍ଲୀ ନିର୍ବାଚନରେ ମୁଖ୍ୟ ଲଢେଇ ବିଜେପି ଓ ଆପ୍ ମଧ୍ୟରେ ହେବ ବୋଲି କୁହାଯାଉଥିଲା । ହେଲେ କଂଗ୍ରେସ ସକ୍ରିୟ ହେବା ପରେ ଏବେ ତ୍ରିକୋଣୀୟ ମୁକାବିଲା ହେବ। ବିଜେପି ଅପେକ୍ଷା ଆପ୍ ବିରୋଧରେ ଅଧିକ ଆକ୍ରାମକ ହେଉଛି କଂଗ୍ରେସ । ଏମିତିକି କଂଗ୍ରେସକୁ ଇଣ୍ଡିଆ ମେଣ୍ଟରୁ ବାହାର କରିବାକୁ କହିଲାଣି ଆପ୍ । ଅରବିନ୍ଦ କେଜ୍ରିଓ୍ବାଲଙ୍କ କିଛି ଘୋଷଣାକୁ ନେଇ ତିନି ଦଳ ମଧ୍ୟରେ ଜୋରଦାର ବୟାନବାଜି ଜୋରଦାର ହୋଇଯାଇଛି । ଏସବୁ ଘୋଷଣାକୁ ଦିଲ୍ଲୀ ସରକାରଙ୍କ ଅଧିକାରୀ ଖବରକାଗଜରେ ବିଜ୍ଞାପନ ଦେଇ ଠକାମୀ କହିଛନ୍ତି ତ ଯୁବ କଂଗ୍ରେସ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ଆପ୍ ବନାମ କଂଗ୍ରେସ
ନିର୍ବାଚନ ପୂର୍ବରୁ ଆପ୍ ଗୋଟେ ପରେ ଗୋଟେ ଯୋଜନା ଘୋଷଣା କରିଚାଲିଛି । ନିକଟରେ କେଜ୍ରିଓ୍ବାଲ ବରିଷ୍ଠ ନାଗରିକଙ୍କ ପାଇଁ ସଂଜୀବନୀ ଯୋଜନା ଓ ମହିଳାଙ୍କ ପାଇଁ ମହିଳା ସମ୍ମାନ ଯୋଜନା ଘୋଷଣା କରିଛନ୍ତି । ତେବେ ଦିଲ୍ଲୀ ସରକାରର ଦୁଇ ବିଭାଗ ଏଭଳି କୌଣସି ଯୋଜନା ନଥିବା ସ୍ପଷ୍ଟ କରିଛନ୍ତି । ମହିଳା ସମ୍ମାନ ଯୋଜନା ପାଇଁ କୌଣସି ବିଜ୍ଞପ୍ତି ବାହାରିନଥିବା ବେଳେ ସଂଜୀବନୀ ଯୋଜନା ଚାଲିନଥିବା କୁହାଯାଇଛି।ଏଥିସହ ପଂଜୀକରଣ ନାଁରେ ବ୍ୟକ୍ତିଗତ ସୂଚନା ନଦେବାକୁ ପରାମର୍ଶ ଦିଆଯାଇଛି । ଏହାପରେ ଦିଲ୍ଲୀ ଯୁବ କଂଗ୍ରେସ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଯୋଜନା ମାଧ୍ୟମରେ ଦିଲ୍ଲୀ ଜନତାଙ୍କ ସହ ଆପ୍ ଧୋକା କରୁଥିବାରୁ କେଜ୍ରିଓ୍ବାଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରୁଛି କଂଗ୍ରେସ । ଏପରିକି ଆପ୍ ସହ ମେଣ୍ଟକୁ କଂଗ୍ରେସର ସବୁଠୁ ବଡ ଭୁଲ ବୋଲି କହିଛନ୍ତି ଦଳର ନେତା ଅଜୟ ମାକେନ । ଏହାପରେ ମାକେନଙ୍କ ବିରୋଧରେ ଆକ୍ସନ ନନେଲେ କଂଗ୍ରେସକୁ ଇଣ୍ଡିଆ ମେଣ୍ଟରୁ ବାହାର କରିବାକୁ ବିରୋଧୀ ନେତାଙ୍କ ସହ କଥା ହେବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିସି ଚେତାବନୀ ଦେଇଛନ୍ତି ।
କାହିଁକି ଏକା ଲଢୁଛି ଆପ୍?
କଂଗ୍ରେସର ହାତ ଛାଡି ଏକା ଲଢିବା ଆମ ଆଦମୀ ପାର୍ଟିର ନିର୍ବାଚନୀ ରଣନୀତି ବୋଲି କୁହାଯାଉଛି । ଏଥର ଦିଲ୍ଲୀ ସରକାରଙ୍କ ବିରୋଧରେ ଜବରଦସ୍ତ ଶାସନ ବିରୋଧୀ ଲହର ରହିଛି । କେବଳ ସେତିକି ନୁହେଁ ଦୁର୍ନୀତି ଅଭିଯୋଗରେ ବି ଛନ୍ଦି ହୋଇଛନ୍ତି ଆପ୍ ସରକାର । ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ବହୁ ବରିଷ୍ଠ ନେତା ଜେଲ୍ ଯାଇ ଫେରିଛନ୍ତି । ତେଣୁ କେଜ୍ରିଓ୍ବାଲ ଚାହୁଁଛନ୍ତି ଆପ୍ ବିରୋଧୀ ଭୋଟ୍ କେବଳ ବିଜେପିକୁ ନଯାଉ, ବରଂ ଉଭୟ ବିଜେପି ଓ କଂଗ୍ରେସ ମଧ୍ୟରେ ବାଣ୍ଟି ହୋଇଯାଉ । ଶାସନ ବିରୋଧୀ ଲହର କାଟିବାକୁ ଏଥର ଅନେକ ସିଂଟିଂ ଏମଏଲଏଙ୍କ ଟିକେଟ୍ କାଟିବା ସହ ସମାଜର ବିଭିନ୍ନ ବର୍ଗ ପାଇଁ ସ୍ବତନ୍ତ୍ର ଯୋଜନା ଆଣିଛନ୍ତି କେଜ୍ରିଓ୍ବାଲ ।
ପୁଣି ମୋଦି Vs କେଜ୍ରିଓ୍ବାଲ !
ଦିଲ୍ଲୀରେ ବିଜେପି ଏପର୍ଯ୍ୟନ୍ତ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିନାହିଁ । ଏଥର ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିବ ବୋଲି ଚର୍ଚ୍ଚା ହେଉଛି। ଏମିତି ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରାରେ ହିଁ ନିର୍ବାଚନ ଲଢିବ ବିଜେପି । ଅର୍ଥାତ ଦିଲ୍ଲୀରେ ମୋଦି ବନାମ କେଜ୍ରିଓ୍ବାଲ ଲଢେଇ ହେବ । ବିଜେପି ଓ ମୋଦିଙ୍କର ସବୁଠୁ ବଡ ଚ୍ୟାଲେଞ୍ଜର ଯେ ଅରବିନ୍ଦ କେଜ୍ରିଓ୍ବାଲ, ସେନେଇ ସନ୍ଦେଶ ଦେବାକୁ ଚାହୁଁଛି ଆପ୍ । ଏହାସହ କଂଗ୍ରେସକୁ ବି ଲଗାତର ଟାର୍ଗେଟ୍ କରୁଛନ୍ତି କେଜ୍ରିଓ୍ବାଲ । କଂଗ୍ରେସକୁ ଭୋଟ୍ ଦେଲେ କିଛି ଲାଭ ନାହିଁ, ବରଂ ନିଜ ଭୋଟ୍ ବରବାଦ କରିବା ସହ ସମାନ ବୋଲି ଜନତାଙ୍କୁ ବୁଝାଇବାକୁ ଚାହୁଁଛି ଆପ୍ । ତେଣୁ କଂଗ୍ରେସ ଜାଗାରେ ଆପକୁ ବାଛିବାକୁ ଜନତାଙ୍କୁ ଅପିଲ୍ କରୁଛନ୍ତି କେଜ୍ରିଓ୍ବାଲ ।
ବିଜେପି ଆରମ୍ଭରୁ ହିଁ ଆପକୁ ଟାର୍ଗେଟ୍ କରିଆସୁଥିବା ବେଳେ ଏବେ ଆକ୍ରାମକ ହୋଇଛି କଂଗ୍ରେସ । ଉଭୟ ଦଳ ଆପ ହାତରୁ କ୍ଷମତା ଛଡାଇନେବା ପାଇଁ ଉଦ୍ୟମ କରୁଛନ୍ତି । ଶାସନ ବିରୋଧୀ ଲହର, ଦୁର୍ନୀତି ଭଳି ପ୍ରସଙ୍ଗକୁ ନେଇ ଉଭୟ ଆପକୁ ଘେରୁଛନ୍ତି। ସେପଟେ ଆପ୍ ବି ଜାଣିଛି, ଏଥର ଦିଲ୍ଲୀ ଯୁଦ୍ଧ ସହଜ ନୁହେଁ । ସେଥିପାଇଁ ବିଭିନ୍ନ ଯୋଜନା ଘୋଷଣା ସହ ଜନତାଙ୍କୁ ନିଜ ସହ ରଖିବାକୁ ଉଦ୍ୟମ ଚଳାଇଛି ।
Comments are closed.