ନୂଆଦିଲ୍ଲୀ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନଜର ଏବେ କାନାଡ଼ା ଉପରେ। ପୂର୍ବରୁ କାନାଡ଼ାକୁ ଆର୍ଥିକ ଶକ୍ତି ଆଧାରରେ ଆମେରିକାର ଏକ ଅଂଶ କରିବାକୁ ଟ୍ରମ୍ପ ଇଚ୍ଛା ପ୍ରକାଶ କରିଥିଲେ। ଆଉ ଏବେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ କାନାଡା ଏବଂ ଆମେରିକାର ଏକ ମାନଚିତ୍ର ପୋଷ୍ଟ କରି ଏହାକୁ ଯୁକ୍ତରାଷ୍ଟ୍ର ଆମେରିକା ଭାବରେ ଦର୍ଶାଇଛନ୍ତି। ଟ୍ରମ୍ପଙ୍କ ଏହି ପୋଷ୍ଟକୁ କିଛି କାନାଡ଼ା ନେତା ଘୋର୍ ବିରୋଧ କରିଛନ୍ତି। ପୂର୍ବରୁ ଟ୍ରମ୍ପ ଫ୍ଲୋରିଡାରେ ଥିବା ନିଜ ବାସଭବନ ସାମ୍ନାରେ ଗଣମାଧ୍ୟମକୁ କହିଥିଲେ ଯେ କାନାଡ଼ାକୁ ଆମେରିକା ସହ ମିଶାଇ ଏହାକୁ ଆମେରିକାର 51ତମ ରାଜ୍ୟ କରିବାକୁ ଇଚ୍ଛା ରହିଛି।
ଏବେ ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ମାନଚିତ୍ରକୁ କାନାଡ଼ା ନେତାମାନେ ତୀବ୍ର ବିରୋଧ କରିଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋ ଏପରି ପୋଷ୍ଟ ଉପରେ କହିଛନ୍ତି ଯେ କାନାଡ଼ା ଆମେରିକାର ଅଂଶ ହେବାର କୌଣସି ସମ୍ଭାବନା ନାହିଁ। ସେହିଭଳି କାନାଡ଼ାର ବୈଦେଶିକ ମନ୍ତ୍ରୀ ମେଲାନି ଜାଲି କହିଛନ୍ତି ଟ୍ରମ୍ପଙ୍କ ବୟାନ କାନାଡ଼ାକୁ ଏକ ମଜବୁତ ଦେଶ କରିବାର ବୁଝାମଣାର ଅଭାବକୁ ଦର୍ଶାଉଛି। ସେ ଆହୁରି କହିଛନ୍ତି ଆମର ଅର୍ଥନୈତିକ ବ୍ୟବସ୍ଥା ଖୁବ ମଜବୁତ ରହିଛି। ଆମେ ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିପାରିବୁ।
ସୂଚନା ଥାଉକି, ପନାମା ସହର ଓ ଗ୍ରୀନଲ୍ୟାଣ୍ଡ ଉପରେ ଅକ୍ତିଆର କରିବା ପାଇଁ ସୈନ୍ୟ ବଳର ସହାୟତାକୁ ବି ଏଡ଼ାଇ ଦିଆଯାଇ ନପରେ। କାହିଁକି ନା ଏହି ଦୁଇ ରାଜ୍ୟ ଉପରେ ନିୟନ୍ତ୍ରଣ ଆମେରିକାର ସୁରକ୍ଷା ବ୍ୟବସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଟ୍ରମ୍ପ କହିଛନ୍ତି। ସେ କହିଛନ୍ତି ପନାମା ସହର ଆମ ଦେଶ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ। ଆମ ଦେଶର ସୁରକ୍ଷା ପାଇଁ ଗ୍ରୀନଲ୍ୟାଣ୍ଡ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ। ସୂଚନାଯୋଗ୍ୟ ଯେ ଗ୍ରୀନଲ୍ୟାଣ୍ଡ ହେଉଛି ଡେନମାର୍କର ଏକ ସ୍ୱୟଂଶାସିତ ଅଞ୍ଚଳ, ଯାହା ଆମେରିକାର ଦୀର୍ଘ ଦିନର ସହଯୋଗୀ ତଥା ନାଟୋର ପ୍ରତିଷ୍ଠାତା ସଦସ୍ୟ ହୋଇ ରହିଛି। ଯଦି ଗ୍ରୀନଲ୍ୟାଣ୍ଡ କିଣିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରେ ତେବେ ଟ୍ରମ୍ପ ଡେନମାର୍କ ଉପରେ ଶୁଳ୍କ ଲାଗୁ କରିବାକୁ ମଧ୍ୟ ପ୍ରସ୍ତାବ ଦେଇପାରନ୍ତି ବୋଲି କୁହାଯାଉଛି।