ଆଗ୍ରା: ଭାରତରେ, ବିଶେଷକରି ଗ୍ରାମାଞ୍ଚଳରେ ପୋଲିସ ଆଚରଣ ପ୍ରତି ଏକ ସାଧାରଣ ଦୃଷ୍ଟିକୋଣ ରହିଛି । ଅନେକ ଲୋକ ପୋଲିସଙ୍କୁ ଦେଖିଲେ କିମ୍ବା ପୋଲିସ ଷ୍ଟେସନକୁ କଲା ବେଳେ ମଧ୍ୟ ଭୟ ଏବଂ ନର୍ଭସ ଅନୁଭବ କରନ୍ତି । ଏହି ଭୟ ପ୍ରାୟତଃ ପୋଲିସ କର୍ମଚାରୀଙ୍କ ଆଚରଣ ଏବଂ ମନୋଭାବରୁ ସୃଷ୍ଟି ହୋଇଛି । ଆଉ ପୋଲିସକୁ ଦେଖିଲେ ଆମ ମନ ଭିତରେ ମଧ୍ୟ ସେଇ ଭାବନା ପ୍ରତିଫଳିତ ହୋଇଥାଏ । କିନ୍ତୁ ସବୁ ପୋଲିସ୍ ଅଧିକାରୀ ଯେ ସମାନ ତା ନୁହେଁ… କିଛି କିଛି ସ୍ଥାନରେ ପୋଲିସ ମାନଙ୍କ ଆଚରଣ ଜନତାଙ୍କ ପ୍ରତି ଅତ୍ୟନ୍ତ ସ୍ବାଗତଯୋଗ୍ୟ ହୋଇଥାଏ ।
ଆଉ ସେଇ ସାଧାରଣ ଭାବନାକୁ ପରିବର୍ତ୍ତନ କରିବା ପାଇଁ ପୋଲିସ୍ ଆଚରଣକୁ ନେଇ କିଛି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି ଆଗ୍ରା ପୋଲିସ୍ । ପୋଲିସ ଆଚରଣରେ ଉନ୍ନତି ଆଣିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଛି । ଆଗ୍ରା ପୋଲିସ କମିଶନର ଜେ. ରବିନ୍ଦର ଗୌଡ ,କ କଟେସି କମ୍ୟୁନିକେସନ ପଲିସି ବା ସୌଜନ୍ୟ ଯୋଗାଯୋଗ ନୀତି ଲାଗୁ କରିଛନ୍ତି । ଏହି ପଦକ୍ଷେପ ଅଧୀନରେ, ଏବେ ଆଗ୍ରା ପୋଲିସ ନାଗରିକମାନଙ୍କୁ ଅନୌପଚାରିକ ‘ତୁମେ’ କିମ୍ବା ‘ତୁ’ ପରିବର୍ତ୍ତେ ସମ୍ମାନଜନକ ଶବ୍ଦ ‘ଆପଣ’ ବୋଲି କହି ସ ସମ୍ବୋଧିତ କରିବେ । ଏହା ସହିତ, ଅଧିକାରୀମାନେ ଫୋନରେ କୌଣସି ବ୍ୟକ୍ତିଙ୍କ ସହ କଥା ହେବା ବେଳେ ଫୋନ୍ କରିଥିବା ବ୍ୟକ୍ତିଟି ସହିତ ‘ନମସ୍କାର’ ରୁ ହିଁ କଥା ଆରମ୍ଭ କରିବେ ।
ତେବେ ଆଗ୍ରା ପୋଲିସର ମନୋଭାବକୁ ପରିବର୍ତ୍ତନ କରିବା ପାଇଁ, କମିଶନର ସମସ୍ତ ଅଧିକାରୀଙ୍କୁ ଏହି ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅଧିକାରୀମାନେ ଏବେ ଅଭିଯୋଗକାରୀଙ୍କୁ ସ୍ୱାଗତ କରିବା ପାଇଁ ଠିଆ ହେବେ, ସେମାନଙ୍କୁ ଚା ଏବଂ ଖାଦ୍ୟ ପ୍ରଦାନ କରିବେ ଏବଂ ତାପରେ ସେମାନଙ୍କ ଅଭିଯୋଗକୁ ଧ୍ୟାନର ସହିତ ଶୁଣିବେ । ଏହାକୁ ନେଇ କମିଶନର କହିଛନ୍ତି, ଯେହେତୁ ପୂର୍ବରୁ ପାରସ୍ପରିକ କ୍ରିୟା ପ୍ରାୟତଃ ହଠାତ୍ ଏବଂ ଅନୌପଚାରିକ ରହିଥିଲା, ଏହାକୁ ନେଇ ଅନେକ ଅଭିଯୋଗ ମଧ୍ୟ ଆସିଛି । ହେଲେ ବର୍ତ୍ତମାନ ଅଧିକାରୀମାନେ କଥାବାର୍ତ୍ତା ସମୟରେ ‘ଶ୍ରୀମାନ’ ଭଳି ସମ୍ମାନଜନକ ଶବ୍ଦ ବ୍ୟବହାର କରିବେ, ଯାହା ଅଭିଯୋଗକାରୀଙ୍କୁ ଏକ ଆରାମଦାୟକ ବାତାବରଣ ପ୍ରଦାନ କରିବ ଏବଂ ପୋଲିସ ପ୍ରତି ସେମାନଙ୍କର ମନୋଭାବ ମଧ୍ୟ ବଦଳାଇବ ।