ରାୟପୁର: ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ପ୍ଲାଣ୍ଟର ଚିମନୀ ଭୁଶୁଡ଼ି ପଡ଼ିବାରୁ ୪ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ୨ ଜଣଙ୍କୁ ଜୀବିତ ଅବସ୍ଥାରେ ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଏବେ ବି ଅନେକ ଶ୍ରମିକ ଭୁଶୁଡ଼ି ପଡ଼ିଥିବା ଚିମନୀ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି ।
ମୁଙ୍ଗେଲି ଏସ୍ପି ଭୋଜରାମ ପଟେଲ କହିଛନ୍ତି, ସାରଗାଓଁ ଅଞ୍ଚଳରେ ଥିବା କୁସୁମ ଷ୍ଟିଲ ପ୍ଲାଣ୍ଟରେ କାମ ଚାଲୁଥିବା ବେଳେ ମଧ୍ୟାହ୍ନ ସମୟରେ ଏହି ଅଘଟଣ ଘଟିଥିଲା । ପ୍ଲାଣ୍ଟରେ ଚିମନୀ ଭୁଶୁଡ଼ି ପଡ଼ିବାରୁ ଏହା ତଳେ କାର୍ଯ୍ୟରତ ଶ୍ରମିକମାନେ ଚାପି ହୋଇ ରହିଯାଇଥିଲେ । ଏନେଇ ତୁରନ୍ତ ପୋଲିସ ଓ ଉଦ୍ଧାରକାରୀ ଦଳକୁ ଖବର ଦିଆଯାଇଥିଲା ।
ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାରୀ ଦଳ କାର୍ଯ୍ୟରେ ମେସିନ ବ୍ୟବହାର କରି ଦୁଇ ଜଣକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ମୁଙ୍ଗେଲି ଏସ୍ପି ଭୋଜରାମ ପଟେଲ କହିଛନ୍ତି ।