Latest Odisha News

ଦିଲ୍ଲୀରେ ‘ୟୁପି ବିହାର’ ରାଜନୀତି

ନୂଆଦିଲ୍ଲୀ: ପୂର୍ବାଞ୍ଚଳୀଙ୍କୁ ନେଇ ବଢିଲା ଦିଲ୍ଲୀ ରାଜନୀତି । କେଜ୍ରିଓ୍ବାଲଙ୍କ ୟୁପି ବିହାର ବିବୃତ୍ତିକୁ ନେଇ ବିବାଦ । ବିଜେପିର ପୂର୍ବାଞ୍ଚଳ ସମ୍ମାନ ମାର୍ଚ୍ଚ । କେଜ୍ରିଓ୍ବାଲଙ୍କ ଘର ଯାଏଁ ବିଜେପିର ମାର୍ଚ୍ଚ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସିଧା ଆଟାକ୍ । ଫସିଯିବେ କି କେଜ୍ରିଓ୍ବାଲ ! ନୂଆଦିଲ୍ଲୀ ସିଟରେ ନକଲି ଭୋଟର ପ୍ରସଙ୍ଗ ଉଠାଇଥିଲେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ବିଜେପି ଉତ୍ତରପ୍ରଦେଶ ଓ ବିହାରରୁ ଆଣି ନକଲି ଭୋଟର ବନାଉଥିବା ସେ ଅଭିଯୋଗ କରିଥିଲେ । ଆଉ ତାପରେ ପୂର୍ବାଞ୍ଚଳୀଙ୍କୁ କେଜ୍ରିଓ୍ବାଲ ଅପମାନ କରିଥିବା କହି ତାଙ୍କ ବିରୋଧରେ ଗର୍ଜିଛି ବିଜେପି ।

କେଜ୍ରିଓ୍ବାଲଙ୍କ କେଉଁ ବୟାନକୁ ନେଇ ହଙ୍ଗାମା?

ନୂଆଦିଲ୍ଲୀ ସିଟରେ ଭୋଟର ପଞ୍ଜୀକରଣରେ ଅହେତୁକ ବୃଦ୍ଧିକୁ ନେଇ ସନ୍ଦେହ କରିଥିଲା ଆପ୍ । ବହୁ ପରିମାଣରେ ନକଲି ଭୋଟର ବନାଯାଉଥିବା ଆପ୍ ଅଭିଯୋଗ କରିଥିଲା । ଏନେଇ କେଜ୍ରିଓ୍ବାଲଙ୍କ ନେତୃତ୍ବରେ ଆପର ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟିଥିଲେ । ଡିସେମ୍ବର ୧୫ରୁ ଜାନୁଆରୀ ୮ମଧ୍ୟରେ ମଧ୍ୟରେ ୧୩ହଜାର ନୂଆ ଭୋଟର ପଞ୍ଜୀକରଣ ପାଇଁ ଆବେଦନ ହୋଇଥିବା କେଜ୍ରିଓ୍ବାଲ କହିଥିଲେ। ନୂଆଦିଲ୍ଲୀ ବିଧାନସଭା ସିଟରେ ମୋଟ୍ ୧ଲକ୍ଷ ଭୋଟର ଥିବା ବେଳେ ଗତ କିଛି ଦିନ ମଧ୍ୟରେ ଅପ୍ରତ୍ୟାଶିତ ଭାବେ ଭୋଟର ପଂଜୀକରଣ ବଢିଛି। ସେହିପରି ଗତ ୨୨ଦିନରେ ସାଢେ ୫ହଜାର ଭୋଟ୍ କାଟିବାକୁ ଆବେଦନ ହୋଇଛି । ୟୁପି, ବିହାର ଓ ଆଖପାଖ ରାଜ୍ୟରୁ ଲୋକ ଆଣି ନକଲି ଭୋଟର ବନା ଯାଉଥିବା କେଜ୍ରିଓ୍ବାଲ କହିଥିଲେ । ୧୮.୫ପ୍ରତିଶତ ଭୋଟର ଯଦି ଏପାଖ ସେପାଖ ହେବ ତେବେ ନିର୍ବାଚନରେ କି ସ୍ବଚ୍ଛତା ରହିବ ବୋଲି ସେ ପ୍ରଶ୍ନ କରିଥିଲେ ।

ବିଜେପିର ପୂର୍ବାଞ୍ଚଳ ସମ୍ମାନ ମାର୍ଚ୍ଚ

କେଜ୍ରିଓ୍ବାଲଙ୍କ ବୟାନକୁ ନେଇ ବର୍ଷିଛି ବିଜେପି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କଠାରୁ ଆରମ୍ଭ କରି ମନୋଜ ତିଓ୍ବାରୀଙ୍କ ପର୍ଯ୍ୟନ୍ତ, କେଜ୍ରିଓ୍ବାଲ ୟୁପି, ବିହାର ଲୋକଙ୍କୁ ଅପମାନିତ କରିଥିବା କହିଛନ୍ତି । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେପି । ମନୋଜ ତିଓ୍ବାରୀଙ୍କ ନେତୃତ୍ବରେ ବିଜେପି ଅଶୋକ ରୋଡରୁ କେଜ୍ରିଓ୍ବାଲଙ୍କ ଘର ଯାଏଁ ପୂର୍ବାଞ୍ଚଳ ସମ୍ମାନ ମାର୍ଚ୍ଚ କରିଛି । ମାର୍ଚ୍ଚ ବେଳେ ପୋଲିସ ସହ ମୁହାଁମୁହିଁ ହୋଇଛନ୍ତି ବିଜେପି ନେତା ଓ କର୍ମୀ । ବ୍ୟାରିକେଡିଂ କରିବା ସହ ବିକ୍ଷୋଭକାରୀଙ୍କ ଉପରେ ଓ୍ବାଟର କାନନ ମାଡ କରାଯାଇଛି । ଅନେକ ବିଜେପି କର୍ମୀ ଓ ନେତାଙ୍କୁ ବି ଅଟକ ରଖାଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେଜ୍ରିଓ୍ବାଲଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି । ହାରିବା ଡରରେ କେଜ୍ରିଓ୍ବାଲ ବିହାର ଓ ୟୁପି ଲୋକଙ୍କ ବିରୋଧରେ ବୟାନବାଜି କରୁଛନ୍ତି । ସେଠାକାର ଲୋକଙ୍କୁ ନକଲି ଭୋଟର କହି କେଜ୍ରିଓ୍ବାଲ ସେମାନଙ୍କର ଅପମାନ କରିଥିବା କହିବା ସହ ଦିଲ୍ଲୀ ଜନତା ଏହାର ଜବାବ ଦେବେ ବୋଲି ନଡ୍ଡା ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଥିଲେ ।

କାହିଁକି ପୂର୍ବାଞ୍ଚଳ ଭୋଟ୍ ଜରୁରୀ?

ଉତ୍ତରପ୍ରଦେଶ, ବିହାର ସୀମାବର୍ତ୍ତୀ ଅଞ୍ଚଳକୁ ପୂର୍ବାଞ୍ଚଳ କୁହାଯାଏ । ଏହି ଅଞ୍ଚଳରୁ ଅନେକ ସଂଖ୍ୟାରେ ଲୋକ ରୋଜଗାର ପାଇଁ ଦିଲ୍ଲୀ ଆସନ୍ତି । ଦିଲ୍ଲୀରେ ପୂର୍ବାଞ୍ଚଳୀ ଭୋଟରଙ୍କ ସଂଖ୍ୟା ୪୬ଲକ୍ଷ ଥିବା ବେଳେ ସେମାନଙ୍କର ସିଧାସଳଖ ପ୍ରଭାବ ୨୯ଟି ସିଟରେ ରହିଛି । ଗତ କିଛି ବର୍ଷ ଧରି ପୂର୍ବାଞ୍ଚଳୀ ଭୋଟରଙ୍କ ସମର୍ଥନ ପାଇଆସିଛି ଆପ୍ । ୨୦୨୦ ବିଧାନସଭା ନିର୍ବାଚନରେ ୨୯ରୁ ୨୪ଟି ସିଟ୍ ଜିତିଥିଲା ଦଳ । ତେବେ ଏଥର ଆପ୍ ହାତରୁ ପୂର୍ବାଞ୍ଚଳୀ ଭୋଟବ୍ୟାଙ୍କ ଛଡାଇ ଆଣିବାକୁ ଉଦ୍ୟମ କରୁଛି ବିଜେପି । ଖାସ୍ ସେଥିପାଇଁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ । ମନୋଜ ତିଓ୍ବାରୀ ଓ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଦିଲ୍ଲୀ ନିର୍ବାଚନ ପ୍ରଚାରରେ ସକ୍ରିୟ ରହିଛନ୍ତି । ଏପରିକି ଏନଡିଏ ସହଯୋଗୀ ଜେଡିୟୁ ଓ ଏଲଜେପିକୁ ବି କିଛି ସିଟ୍ ଦେବା ନେଇ ବିଜେପି ଚିନ୍ତା କରୁଥିବା ବି କୁହାଯାଉଛି । ପୂର୍ବାଞ୍ଚଳୀ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଲିଟ୍ଟି-ଚୋଖା ପେ ଚର୍ଚ୍ଚା ଅଭିଯାନ ପ୍ରସ୍ତୁତ କରିଛି ବିଜେପି । ଏଭଳି ସମୟରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବୟାନକୁ ନେଇ ତୁମ୍ଭିତୋଫାନ କରୁଛି ବିଜେପି । ପୂର୍ବାଞ୍ଚଳୀଙ୍କ ଅପମାନକୁ ପ୍ରସଙ୍ଗ କରି ଆପ୍ ବିରୋଧରେ ରାସ୍ତାକୁ ଓହ୍ଲାଇଛି । ସେପଟେ ଆପ୍ ହିଁ ପୂର୍ବାଞ୍ଚଳୀଙ୍କ ପାଇଁ ସବୁବେଳେ ଠିଆ ହୋଇଥିବା କହି ବିଜେପିକୁ ଟାର୍ଗେଟ୍ କରିଛି ଆମ୍ ଆଦମୀ ପାର୍ଟି ।

Leave A Reply

Your email address will not be published.