ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତୀୟ ଗୁରୁ ପଦ୍ମସମ୍ଭବ ସମାରୋହ । ଗୁରୁ ପଦ୍ମସମ୍ଭବଙ୍କ ସମ୍ପର୍କରେ ଅଧିକ ଜାଣିବା ଏବଂ ଆଲୋଚନା ପାଇଁ ‘ଫାଷ୍ଟ ଗୁରୁ ପଦ୍ମସମ୍ଭବ କନକ୍ଳେଭ’ ଆରମ୍ଭ ହେବ । ଆସନ୍ତା ଜାନୁଆରୀ ୧୨ତାରିଖ ଠାରୁ ୧୬ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଗୁରୁ ପଦ୍ମସମ୍ଭବ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ ।
ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଠାରେ ଭଗବାନ ବୁଦ୍ଧଙ୍କ ଦ୍ବିତୀୟ ଅବତାର ତଥା ଆନ୍ତର୍ଜାତୀୟ ଗୁରୁ ପଦ୍ମସମ୍ଭବଙ୍କ ଦେହବସାନ ଘଟିଛି । ଏହାର ପ୍ରାମାଣିକ ତଥ୍ୟ ମିଳିବା ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ରାଜ୍ୟ ଓଡ଼ିଆ ଭାଷା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ତଥା ଦେଶ ବାହାରୁ ୧୫ ଶହ ବୌଦ୍ଧ ଧର୍ମାବଲମ୍ବୀ ଯୋଗଦେବେ ।
ଏହି ସମ୍ମିଳନୀରେ ଭାରତର ବିଭିନ୍ନ ପ୍ରଦେଶ ସମେତ ଥାଇଲାଣ୍ଡ, ନେପାଳ, ଭୁଟାନ, ଭିଏତନାମ, କାମ୍ବୋଡ଼ିଆ, ବ୍ରାଜିଲ, ଆମେରିକା, ଫ୍ରାନ୍ସ ଦେଶରୁ ବୌଦ୍ଧ ସନ୍ୟାସୀ ଯୋଗଦେବେ । ସେମାନଙ୍କ ପାଇଁ ଉଦୟଗିରି, ରତ୍ନଗିରି ଓ ଲଳିତଗିରି ଠାରେ ରହଣୀ ସହ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ସାମିଲ ହେବାକୁ ଥିବା ବୌଦ୍ଧ ସନ୍ୟାସୀ ମାନେ ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିବେ ।
ଲାଇଟ ଅଫ ବୁଦ୍ଧ ଧର୍ମ ଫାଉଣ୍ଡେସନ ଏବଂ ଉଦୟଗିରି ବୁଦ୍ଧ ମହୋତ୍ସବ ସମିତି ସହାୟତାରେ ଅନୁଷ୍ଠିତ ହେବ ଏହି ସମାରୋହ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।