ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ପରୀକ୍ଷା ଆସନ୍ତା ୨୦୨୦ ମସିହା ମେ’ ୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବୁର୍ଖା ଓ ହିଜାବ ଭଳି ପାରମ୍ପରିକ ପୋଷାକ ପିନ୍ଧି ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଅନୁମତି ମିଳିବ ।
ଏହି ପରୀକ୍ଷାକୁ ଆୟୋଜିତ କରୁଥିବା ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ତରଫରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଉକ୍ତ ବିଜ୍ଞପ୍ତି ଅନୁଯାୟୀ ଯେଉଁ ଛାତ୍ରଛାତ୍ରୀମାନେ ବୁର୍ଖା, କୃପାଣ, କଡା ଓ ହିଜାବ ଭଳି ଧାର୍ମିକ ପ୍ରତୀକ ଥିବା ପୋଷାକ ପିନ୍ଧି ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାକୁ ଚାହୁଁଛନ୍ତି, ତାହେଲେ ସେମାନେ ପରୀକ୍ଷାର ୧ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ରିପୋର୍ଟ କରିବାକୁ ପଡିବ ।
ନିଟ୍ ୨୦୨୦ ବର୍ଷ ଲାଗି ପଞ୍ଜିକରଣ ସୋମବାର ଅପରାହ୍ନ ୪ଟାରୁ ଆରମ୍ଭ ହେବାକୁ ଯାଉଛି । ଆଶାୟୀ ପ୍ରାର୍ଥୀମାନେ ସୂଚନା ପାଇଁ ଏଠାରେ କ୍ଲିକ୍ କରିପାରିବେ ।
ପରୀକ୍ଷାର୍ଥୀଙ୍କ ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ଡ୍ରେସ୍ କୋର୍ଡକୁ ସାମାନ୍ୟ କୋହଳ କରାଯାଇଥିଲେ ମଧ୍ୟ ପରୀକ୍ଷାର୍ଥୀମାନଙ୍କୁ ଜୋତା ପିନ୍ଧିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ । କେବଳ ସ୍ଲିପର ଓ କମ୍ ଉଚ୍ଚତା ବିଶିଷ୍ଟ ଚପଲ ପିନ୍ଧିବାକୁ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.