Latest Odisha News

BREAKING NEWS

ଶୀତୁଆ ପାଗରେ ଘରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଛତୁ ପରଟା

ଭୁବନେଶ୍ଵର: ପରଟା । ରୁଟି ଅପେକ୍ଷା ପରଟା ପ୍ରାୟ ସମସ୍ତଙ୍କର ପସନ୍ଦ । ସାଧା ପରଟା ହେଉ କି ପୁର ଦିଆ ପରଟା । ଶୀତୁଆ ପାଗରେ ଗରମା ଗରମ୍ ପରଟା ସହ ଯାହା ବି ଥାଉ ଶାନ୍ତିରେ ଖାଇ ହୋଇଯାଏ । ତେବେ ସାଧାରଣତଃ ଆପଣ ଆଳୁ ପରଟା, କୋବି ପରଟା, ପାଳଙ୍ଗ ପରଟା, ନଡିଆ ପରଟା ଆଦି ଖାଇଥିବେ ତ ନିଶ୍ଚୟ । କଣ କେବେ ଛତୁ ପରଟା ଖାଇଛନ୍ତି କି? ତେବେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଏହି ସ୍ଵାଦିଷ୍ଟ ଛତୁ ପରଟା, ଆଉ ଗରମା ଗରମ୍ ପରଶି ଦିଅନ୍ତୁ ଆପଣଙ୍କ ପ୍ରିୟଜନଙ୍କୁ । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ଛତୁ ପରଟା…

ଆବଶ୍ୟକ ସାମଗ୍ରୀ:

୧ କପ ଚୂନା ଚୂନା କଟା ଛତୁ , ୧ କପ ମଇଦା , ୧ କପ ଅଟା , ସ୍ଵାଦ ଅନୁସାରେ ଲୁଣ, ୨ ଟି ସିଝା ଆଳୁ , ଅଧା କପ କଟା ପିଆଜ, ଅଧା ଚାମଚ କଟା ଲଙ୍କା , ୨ ଚାମଚ ଅଦା ରସୁଣ ଛେଚା, କଟା ଧନିଆ ପତ୍ର ଅଳ୍ପ , ଅଳ୍ପ ରିଫାଇନ ତେଲ ଜୁଆଣି, ଘିଅ, ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ, ଚାଟ ମସଲା, ଆମଚୁର ପାଉଡ଼ର ।

ପ୍ରସ୍ତୁତି  ପ୍ରଣାଳୀ:

ପ୍ରଥମେ ଏକ ପାତ୍ରରେ ଅଟା, ଲୁଣ, ମଇଦା, ଜୁଆଣି ଓ ଘିଅ ନେଇ ଭଲ ଭାବେ ଗୋଳାନ୍ତୁ । ଏହା ପରେ ଅଳ୍ପ ଅଳ୍ପ ପାଣି ଢାଳି ଅଟାକୁ ଦଳନ୍ତୁ । ଅଟା ଦଳି ସାରିବା ପରେ ନରମ ହେବା ପାଇଁ ଏହାକୁ ଏକ କପଡ଼ାରେ ଗୁଡ଼ାଇ କିଛି ସମୟ ରଖି ଦିଅନ୍ତୁ । ଏକ ତାୱା ଗରମ କରି ତେଲ ପକାନ୍ତୁ । ତେଲ ଗରମ ହେବା ପରେ କଟା ଛତୁକୁ ପକାଇ ଅଳ୍ପ ଲୁଣ ଓ ଗୋଲମରିଚ ଗୁଣ୍ଡ ଦେଇ କିଛି ସମୟ ଭାଜନ୍ତୁ । ପରେ ଏଥିରେ ସିଝା ଆଳୁ, କଟା ପିଆଜ, କଟା କଞ୍ଚା ଲଙ୍କା, ଅଦା ରସୁଣ ଛେଚା, ଲଙ୍କାଗୁଣ୍ଡ, ଚାଟ ମସଲା, ଆମଚୁର ପାଉଡ଼ର ଓ କଟା ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାନ୍ତୁ । ମସଲା ପ୍ରସ୍ତୁତ ହୋଇଯିବା ପରେ ଏହାକୁ କାଢି ଥଣ୍ଡା କରନ୍ତୁ ।

ଏବେ ଚକଟା ଯାଇଥିବା ଅଟାକୁ ଗୁଳା କରନ୍ତୁ ଓ ଏହାକୁ ଅଳ୍ପ ବେଲି ଏହା ମଝିରେ ଛତୁ ପୁର ଦେଇ ପୁଣି ବନ୍ଦ କରିଦିଅନ୍ତୁ । ଏହା ପରେ ଏଗୁଡ଼ିକୁ ରୁଟି ପରି ବେଲନ୍ତୁ ଏବଂ ଗମର ତାୱାରେ ପକାଇ ଭଲ ଭାବେ ସେକନ୍ତୁ । ଦୁଇ ପଟ ଭଲ ଭାବେ ସେକି ହୋଇଗଲେ ତେଲ ପକାଇ ଏପଟ ସେପଟ କରନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ‘ଛତୁ ପରଟା’ । ଏହାକୁ ଚଟଣି, ସସ କିମ୍ବା ଦହି ସହିତ ଗରମା ଗରମ ଖାଆନ୍ତୁ । ଏହାକୁ ବିନା ପିଆଜ ରସୁଣରେ ମଧ୍ୟ କରି ପାରିବେ ।

Leave A Reply

Your email address will not be published.