ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଶେଷ ହେବା ବେଶୀ ଦିନ ହୋଇ ନାହିଁ । ଏଥିରେ ପଦକ ହାସଲ କରି ବିଶ୍ୱ ଦରବାରେ ନାମ କମାଇଥିବା ଆଥଲେଟ ଏବେ ନିରାଶ ହୋଇ ପଡିଛନ୍ତି । କେତେକ ପଦକ ରଙ୍ଗ ଛାଡିବା ସହ ନଷ୍ଟ ହେବାରେ ଲାଗିଛି । ଯାହାକୁ ନେଇ ଆଥଲେଟ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଛି । ଫ୍ରାନ୍ସର ମିଡିଆ ଆଉଟଲେଟ ଲା ଲେଟେ ଅନୁସାରେ ବିଶ୍ୱରେ ୧୦୦ରୁ ଅଧିକ ଆଥଲେଟ ଏହି ଅଭିଯୋଗ ଆଣି ସାରିଛନ୍ତି । ଭାରତର ଶୁଟର ମନୁ ଭାକର ଓ ସରବଜିତ ସିଂଙ୍କ ପଦକ ମଧ୍ୟ ନଷ୍ଟ ହେବା ଆରମ୍ଭ କରିଛି । ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ଏହା ଗୁରୁତ୍ୱ ସହକାରେ ନେଇଛି । ଖରାପ ହୋଇଥିବା ପଦକକୁ ଖୁବ ଶୀଘ୍ର ବଦଳାଯିବ ବୋଲି ଆଇଓଏ ପକ୍ଷରୁ କୁହାଯାଇଛି ।
ପଦକରେ କୌଣସି ଖରାପ ନାହିଁ, କେବଳ ରଙ୍ଗ ଛାଡୁଥିବା ଆୟୋଜକ କମିଟିର ଜନୈକ ଅଧିକାରୀ କହିଛନ୍ତି । ମୋନେନେ ଡି ପ୍ୟାରିସ ଏହି ପଦକ ପ୍ରସ୍ତୁତ କରିଥିଲେ । ଆମେ ତାଙ୍କ ସହିତ ଆଲୋଚନା କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ ବୋଲି ଆଇଓଏ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ପ୍ୟାରିସ ଅଲିମ୍ପିକ୍ସର ପଦକ ଏଫିଲ ଟାୱାରର ଲୁହାରୁ ପ୍ରସ୍ତୁତ କରାଯାଇଥିଲା । ପଦକର ଉପରସ୍ତରରେ ୧୮ ଗ୍ରାମ ଲୁହାରେ ଏକ ହେକ୍ସାଗନ ଆକୃତି ପ୍ରସ୍ତୁତ କରାଯାଇଥିଲା । ରିବନରେ ମଧ୍ୟ ଏଫିଲ ଟାୱାରର ଆକୃତି ରହିଥିଲା ।