ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ନିୟମିତ ସ୍ତମ୍ଭ: ବିଲୁପ୍ତି ବିପ୍ଳବ
କେନ୍ଦୁଝର ଯଦି କେବେ କଥା କହି ପାରନ୍ତା, ତେବେ ତାର କଥା ଗୁଡିକ ବୋଧେ ଏହି ଭଳି ଆର୍ତ୍ତନାଦର ଭ୍ରମ ସୃଷ୍ଟି କରନ୍ତା:
“ଓଃ ! ମୋତେ ଆଉ କେତେ ହାଣିବ, ତାଡିବ, ଖୋଳିବ? ମୋ ଶରୀରକୁ କେତେ ଆଉ କ୍ଷତ ବିକ୍ଷତ କଲେ ତୁମ ମନ ଶାନ୍ତି ପାଇବ? ବର୍ଷ ବର୍ଷ ଧରି ମୁଁ ଯେଉଁ ଗଛ, ଲତା, ଜଙ୍ଗଲକୁ ଲାଳନ ପାଳନ କରି ବଢାଇଛି ତାକୁ କାଟି ସଫା କରି ଦେବାକୁ ତୁମ ମନରେ ସଙ୍କୋଚ ଆସୁନି? ଲକ୍ଷ ଲକ୍ଷ ବର୍ଷଧରି ଯେଉଁ ରନô ସବୁକୁ ମୁଁ ମୋ ଗର୍ଭରେ ଧାରଣ କରିଛି ତାକୁ ରାତାରାତି ଲୁଣ୍ଠନ କରିନେବା ବେଳେ ଟିକେ ବି ତୁମ ମନ ଆନେ୍ଦାଳିତ ହେଉନି? ମୋ ବକ୍ଷରେ କ୍ଷୀର ସଦୃଶ ବୈତରଣୀ, ସୁନା, କାରୋ ଇତ୍ୟାଦିର ଜଳ ରାଶି ଏବେ ଶୁଷ୍କ ହେବାକୁ ବସିଲାଣି – ସେଥି ପ୍ରତି ତୁମ ମନରେ ଦରଦ ଟିକେ ନାହିଁ । ଧୂଳି ଧୂଆଁରେ ମୁ ଆଜି ଅଣନିଶ୍ୱାସୀ ! କେତେ ଡମ୍ଫର, ଟ୍ରକ, ଟ୍ରଲର ଯାନ ବାହାନ ଇତ୍ୟାଦି ମୋ ବୁକୁରେ ଚାଳାଇ ମୋତେ ଆଉ ଶ୍ୱାସରୁ୍ଦ୍ଧ କରାଇବ? କାହା ପାଇଁ ମୁଁ ସାଇତି ରଖିଛି ମୋ ଗର୍ଭରେ ଖଣି ରତ୍ନ ସବୁକୁ? କାହା ପାଇଁ ମୁଁ ଲାଳନ ପାଳନ କରି ବଢାଇଛି ଗଛ, ଲତା ଜଙ୍ଗଲ ସବୁକୁ? କାହା ପାଇଁ ମୁଁ ଝରାଇଛି ବୈତରଣୀ, ସୁନା, କାରୋ ଇତ୍ୟାଦି ନଦୀକୁ? ମୋ ପାଇଁ? ଆରେ ପାଗଳ! ଏ ସବୁ ତୁମରି ପାଇଁ ! କେବଳ ତୁମରି ପାଇଁ । ହେଲେ ତୁମେ ମାନେ ଅବିବେକି, ଅପରିଣାମଦର୍ଶୀ । ଯେଉଁ ଡାଳରେ ବସିଛ, ସେହି ଡାଳକୁ ହାଣୁଛ । ମୋତେ ନିଃଶେଷ କଲେ ତୁମେ ପାଇବ କଣ? ଏବେ ସିନା ତୁମେମାନେ ଲୋଭ ଓ ଲାଭରେ ମସଗୁଲ୍ । ହେଲେ କାଲିକି? ମୁଁ ମୁର୍ଦ୍ଧାର ପାଲଟିଯିବି, ହେଲେ ତୁମେ କଣ ବଂଚିପାରିବ?”
କେନ୍ଦୁଝରର (ସେହିପରି ଅନ୍ୟାନ୍ୟ ଖଣି ଅଞ୍ଚଳ ଯଥା: ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଇତ୍ୟାଦିର) ଆର୍ତ୍ତନାଦ ଏକ କାଳ୍ପନିକ କଥାବସ୍ତୁ ବୋଲି ପାଠକେ ବିଚାର କରି ପାରନ୍ତି । କିନ୍ତୁ ସେ କାଳ୍ପନିକ ଭାବାବେଗ ସହିତ ଏକ ନିଷ୍ଠୁର ବାସ୍ତବତା ଯେ ଯୋଡି ହୋଇ ରହିଛି, ସେ କଥା କେହି ଅସ୍ୱୀକାର କରି ପାରିବେ ନାହିଁ । ସଂପ୍ରତି କେନ୍ଦୁଝରର ସ୍ଥିତି ଏବଂ ପରିସ୍ଥିତି ଉପରେ ଅବଲୋକନ କଲେ ଏହି ବାସ୍ତବତାର ଚିତ୍ରଟି ଉନ୍ନୋଚିତ ହେବ ।
ପ୍ରକୃତିର ଏକ ଅନନ୍ୟ ସୃଷ୍ଟି ହେଉଛି କେନ୍ଦୁଝର । ୮୨୪୦ ବର୍ଗ କିଲୋମିଟର ଭୌଗୋଳିକ ପରିସୀମା ଭିତରେ ଆବଦ୍ଧ ଥିବା ଏହି ଭୂଖଣ୍ଡଟି ବଣ, ପାହାଡ, ଝରଣାର ବେଷ୍ଟିନ୍ ଭିତରେ ଅପୂର୍ବ ସୈାନ୍ଦର୍ଯ୍ୟର ଅଧିକାରିଣୀ । ଗନ୍ଧମାର୍ଦ୍ଧନ, ମାଙ୍କଡ ନଚା, ଗୋନାସିକା, ଠାକୁରାଣୀ ଇତ୍ୟାଦି ପାହାଡ ଗୁଡିକ ଏହାର ମୁକୁଟ ପରି ଶୋଭାବର୍ଦ୍ଧନ କରେ । ବୈତରଣୀ ସମେତ ବୁଢି, କାନ୍ଜୋରୀ, ଆମ୍ବଝର. ମୂଷଳ, କୁଶେଇ, ସୁନା, କାରୋ ଇତ୍ୟାଦି ନଦ / ନଦୀ ଗୁଡିକ ଏହାର ବେକର ମାଳ ପରି ଲମ୍ବିଛି । ଦେଶର ୩୪ଟି ଭୂତାତ୍ୱିକ ଏ୍ୟତିହ କିର୍ତ୍ତିମାନ ଗୁଡିକ ଭିତରେ କେନ୍ଦୁଝରର ନମିରା ଅଂଚଲ ସ୍ଥାନ ପାଇଛି, ଯାହାକି ଭୂତତ୍ତ୍ୱବିଜ୍ଞାନ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ଜିଲ୍ଲା ମୋଟ ଆୟତନର ୩୦ ଶତାଂଶ ଅଂଚଳ ଘନ ଜଙ୍ଗଲରେ ଭରପୁର । ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଯେ ଏହି ଅଂଚଳଟି ରତ୍ନଗର୍ଭା । ଏହାର ଗର୍ଭରେ ପ୍ରକୃତି ଭରି ଦେଇଛି ଅନେକ ପ୍ରକାରର ରତ୍ନ ଯଥା- ଲୁହା, ମାଙ୍ଗାନିଜ୍, କ୍ରୋମାଇଟ ଇତ୍ୟାଦି । ବାସ୍ତବରେ ପ୍ରକୃତି ବିଭବଶାଳୀକରି ଗଢିଛି କେନ୍ଦୁଝରକୁ । ମାତ୍ର ସେହି ବିଭବ ଆଜି କାଳ ପାଲଟିଛି କେନ୍ଦୁଝର ପାଇଁ, ଆଉ ତାହାରି ପାଇଁ ଆଜି ତା’ର ଆର୍ତ୍ତନାଦ ।
ଏବେ କେନ୍ଦୁଝରରେ ୧୨୬ଟି ମାଇନିଂ ବ୍ଲକ ବା ଖଣି ଉପଖଣ୍ଡ ରହିଛି ୩୩,୦୦୦ ହେକ୍ଟର ଜମିରେ । ଏହା ଭିତରୁ ୨୪୦୦୦ ହେକ୍ଟର ହେଉଛି ଜଙ୍ଗଲ ଜମି । ଅର୍ଥାତ ଖଣି ଖନନ ଯୋଗୁଁ ୨୪୦ ବର୍ଗ କିଲୋମିଟର ଅଂଚଳରେ ଜଙ୍ଗଲ ସଫା ହୋଇ ସାରିଲାଣି । ଏସବୁ ସରକାରୀ ହିସାବ । ବେଆଇନ୍ ଖଣିକୁ ଯଦି ହିସାବକୁ ନିଆଯାଏ, ତେବେ ଏହାର ପରିମାଣ ଅହୁରି ଅଧିକ ହେବ । ଖଣି ଖୋଳା ଏବଂ ଜଙ୍ଗଲ ସଫା ହେବା ଦ୍ୱାରା ମୃର୍ତ୍ତିକା କ୍ଷୟ ସୀମା ଲଙ୍ଘିଛି । ପାଣି ପବନର ପ୍ରଦୂଷଣ ବିପଦଜନକ ଅବସ୍ଥାକୁ ଆସିଲାଣି । ପାହାଡରୁ ବାହାରିଥିବା ନଦୀ ଏବଂ ଝରଣା ଗୁଡିକ ସେମାନଙ୍କର ସତ୍ତା ହରାଇବାକୁ ବସିଲାଣି । ଏକଦା ଠାକୁରାଣି ପାହାଡରୁ ୫ଟି ଝରଣା ବାହାରି ଦଲ୍କି ନାଳ ସୃଷ୍ଟି କରି କାରୋ ନଦୀରେ ମିଶୁଥିଲା ବଡ୍ବିଲ୍ ନିକଟରେ । ଏବେ ଠାକୁରାଣୀ ପାହାଡ ଉପରୁ ବାହାରିଥିବା ସେ ଝରଣା ଗୁଡିକ ଭିତରୁ ତିନୋଟି ଶୁଖି ଗଲାଣି । ବୈତରଣୀ ନଦୀର ଜଳର ପ୍ରବାହ କ୍ରମଶଃ କମି କମି ଯାଉଛି । ଖଣି ଏବଂ ଶିଳ୍ପର ଶୋଷକୁ ମେଣ୍ଟାଇବାକୁ ଯାଇ ଜିଲ୍ଲାର ପ୍ରବାହିତ ନଦୀ ଓ ଝରଣା ଗୁଡିକ ସତେ ଅବା ଅବଶ ହୋଇ ଗଲେଣି । ଏହା ସହିତ ଏସବୁର ପାଣି ଗଭୀର ଭାବରେ ପ୍ରଦୂଷିତ । ଖଣି କମ୍ପାନୀ ଏବଂ ଶିଳ୍ପ ଗୁଡିକ ଏମାନଙ୍କର ପାଣିକୁ ଯେମିତି ଶୋଷୁଛନ୍ତି, ଠିକ୍ ସେହି ପରି ଭାବରେ ବ୍ୟବହୃତ ଦୂଷିତ ପାଣିକୁ ଏହା ଦେହକୁ ଛାଡୁଛନ୍ତି । ମାଟି ତଳ ଏବଂ ମାଟି ଉପର ଜଳ ଏବେ ପ୍ରଚୁର ପରିମାଣରେ ପ୍ରଦୂଷିତ । ସ୍ଥାନେ ସ୍ଥାନେ ନଦୀର ପାଣି ପିଇବା ତ ଦୂରର କଥା, ଗାଧେଇବା ଉପଯୋଗୀ ମଧ୍ୟ ହେଉ ନାହିଁ । ଜଙ୍ଗଲ ଧ୍ୱଂସ ଏବଂ ଟେପରୁଆ ଖଣି ଖନନ ଯୋଗୁଁ ମୃର୍ତ୍ତିକା କ୍ଷୟ ଏକ ବିଷମ ସମସ୍ୟା ସୃଷ୍ଟି କଲାଣି । ପାହାଡ ଉପରୁ କ୍ଷୟ ହେଉଥିବା ମୂର୍ତ୍ତିକା ସମତଳ ଅଂଚଳର ମାଟିକୁ ଅନୁର୍ବର କରି ସାରିଲାଣି । ଯାହାର ପ୍ରଭାବ ମାଟିର ଫସଲ ଫଳାଇବା କ୍ଷମତାକୁ ପ୍ରଭାବିତ କରୁଛି । ଆଉ ପବନ କଥା ନକହିଲେ ଭଲ । ବିଶୁଦ୍ଧ ପବନ ଟିକେ ଖଣି ଅଂଚଳରେ, ବିଶେଷ କରି ଯୋଡା ବଡ ବିଲ୍ ଇତ୍ୟାଦି ସ୍ଥାନରେ ପାଇବା କଷ୍ଟ ।
ଧୂଳି ଆଉ ଧୂଆଁରେ ଆଉଟ ପାଉଟ ମଣିଷ । ଘଣ୍ଟାଏ ଜୋଡା ବା ବଡବିଲ୍ ରାସ୍ତା ପାଖରେ ଛିଡା ହେଲେ, ଗୋଟିଏ ମଣିଷ ଦେହରେ ଏତେ ଧୂଳି ଲାଗିଯିବ ଯେ ତାକୁ ଚିହ୍ନିବା କଷ୍ଟକର ହୋଇ ପଡିବ । ବଡବିଲ୍, ଯୋଡା ଯାଉଥିବା ଯାତ୍ରୀମାନେ ଏହାର ସତ୍ୟତା ବେଶ୍ ଅଙ୍ଗେ ଲିଭେଇଥିବେ । ସେମାନଙ୍କର ଅନୁଭବ ଯଥେଷ୍ଟ । ଏଠାରେ ପରିସଂଖ୍ୟାନର ଆବଶ୍ୟକତା ନାହିଁ । ସମୟଥିଲା କେନ୍ଦୁଝର ଏକ ଶୈଳନିବାସର ମର୍ଯ୍ୟାଦା ବହନ କରୁଥିଲା । କିନ୍ତୁ ଏବେ? ଏ ପ୍ରଶ୍ନର ଉତ୍ତର କେନ୍ଦୁଝରବାସୀ ଦେବେ । ଶୀତ ଦିନରେ ମଧ୍ୟ ଘରେ ଫ୍ୟାନ ବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ବ୍ୟବହାର ବିନା ସେମାନେ ଯେ ଏବେ ଶୋଇ ପାରୁ ନାହାନ୍ତି, ତାହା କହିବା ବାହୁଲ୍ୟ ମାତ୍ର ।
କେନ୍ଦୁଝର ଲୁଟ୍ ହେଉଛି, ସ୍ପଷ୍ଟ ଦିବାଲୋକରେ, ପ୍ରତିଦିନ, ପ୍ରତିକ୍ଷଣରେ । ଆଇନଗତ ଏବଂ ବେଆଇନ୍ ଭାବରେ ହେଉଛି ଏହି ଲୁଟ୍ । ଆଇନକୁ ଆୟୁଧ କରି କେନ୍ଦୁଝରକୁ ଲୁଟ କରୁଛି ରାଷ୍ଟ୍ର ବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ବେଆଇନ୍ ଭାବରେ ଲୁଟ୍ କରୁଛନ୍ତି ଖଣି ମାଫିଆମାନେ । ରାଷ୍ଟ୍ର ଦ୍ୱାରା ଆଇନଗତ ଭାବରେ ଲୁଟ ହେଉଥିବା ସଂପଦର ମୂଲ୍ୟ ଆକଳନ କରି ହୁଏ ସରକାରଙ୍କୁ ଉପଲବ୍ଧ ହେଉଥିବା ଖଣି ରୟାଲ୍ଟିରୁ । କିନ୍ତୁ ବେଆଇନ୍ ଖଣି ଲୁଟର ଆକଳନ ଏକ ଦ୍ୱରୁହ ବ୍ୟାପାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୂତାବକ ଗଠିତ ନ୍ୟାୟାଧିଷ ଏମ୍.ବି ଶାହା କମିଶନଙ୍କ ରୋପୋର୍ଟରୁ ଏହାର କିଛି ଝଲକ ଆମକୁ ମିଳେ । ମାତ୍ର ଏହା ସମୁଦ୍ରରେ ହିମଶୈଳର ଉପର ଭାଗ ଦେଖିବା ସହିତ ସମାନ । ବାସ୍ତବରେ କେନ୍ଦୁଝରରୁ କେତେ ସମ୍ପଦ ଲୁଟ ହେଉଛି ତାର ଆକଳନ କରିବା କଷ୍ଟକର । ୨୦୧୭ ମସିହା ଅଗଷ୍ଟ ୨ ତାରିଖରେ ମାନ୍ୟବର ସୁପ୍ରିମକୋର୍ଟ କେନ୍ଦୁଝର ବେଆଇନ୍ ଖଣି ଖନନ ପାଇଁ ଯେଉଁ ଜୋରିମନା ଧାର୍ଯ୍ୟ କରିଥିଲେ ତାର ପରିମାଣ ହେଉଛି ୧୭,୫୭୯ କୋଟି ଟଙ୍କା । ଏଥିରୁ ମୋଟ ଖଣି ଲୁଟର ପରିମାଣ ବିଷୟରେ ଆମକୁ କେବଳ କିଛି ଅଭାସ ମିଳେ ।
ଗତ ଅକ୍ଟୋବର ମାସରେ ରାଜ୍ୟ ସରକାର କେନ୍ଦୁଝରର ଆଉ ୧୬ଟି ଲୁହା ଖଣି କୁ ଲିଜ୍ ଦେବା ପାଇଁ ନିଷ୍ପତି ନେଇଛନ୍ତି । ତା’ ଭିତରୁ ୯ ଟି ହେଉଛି ନୂଆ ଖଣି ବ୍ଲକ ବା ଭର୍ଜିନ ଗ୍ରୀନ୍ ଫିଲଡ୍ ମାଇନ୍ସ୍ । ଏହି ଖଣି ବ୍ଲକ କେଉଁଠି କେତେ ପରିମାଣର ଜମି ଏଥିପାଇଁ ବ୍ୟବହାର ହେବ, କେତେ ଜଙ୍ଗଲ ପୁଣି ଧ୍ୱସଂ ହେବ ଏସବୁର ଖବର ଲୋକଙ୍କୁ ଜଣା ନାହିଁ । କିନ୍ତୁ କେନ୍ଦୁଝରକୁ ଜଣା ଯେ ଏହି ନୂଆ ଖଣି ଇଲାକାରେ ସିଏ ପୁଣି କ୍ଷତାକ୍ତ ହେବ, ତାର ଶରୀରକୁ ନିର୍ଦ୍ଧୟ ଭାବରେ ହଣାଯିବ, ତାର ଝରଣା, ପାହାଡ, ସବୁଜ ବନାନୀ ପୁଣି ଧ୍ୱଂସ ପାଇବ । ଏଥିରେ କେନ୍ଦୁଝର ବିଳପି ଉଠିବା ଏବଂ ଆର୍ତ୍ତନାଦ କରିବା ସ୍ୱଭାବିକ୍ ନୁହେଁ କି?
୪- ସ୍ୱର୍ଣ୍ଣପୁରୀ, କାନନ୍ ବିହାର-୨, ଭୁବନେଶ୍ୱର
(ଲେଖକ ଜଣେ ବିଶିଷ୍ଟ ସ୍ତମ୍ଭକାର)
Comments are closed.