Latest Odisha News

BREAKING NEWS

ପୋଲିସ କ୍ୱାର୍ଟରରେ ଚାଲୁଥିଲା ସେକ୍ସ ରାକେଟ୍, ଚାଞ୍ଚଲ୍ୟକର ତଥ୍ୟ ଦେଲେ ଅଭିଯୁକ୍ତଙ୍କ ୨ୟ ପତ୍ନୀ !

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟର ମଧ୍ୟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ପୋଲିସ ବାବୁ ଗିରଫ ହୋଇଥିବା ବେଳେ ଏହି ମାମଲା ଏକ ରୋଚକ ମୋଡ ନେଇଛି ।

ଅଭିଯୁକ୍ତ ପୋଲିସ କନଷ୍ଟେବଳ ଜିତେନ୍ଦ୍ର ସେଠୀଙ୍କ ଦ୍ୱିତୀୟ ପତ୍ନୀ ଭାବେ ନିଜକୁ ଦାବି କରି ଅଞ୍ଜଳୀ ନାମକ ଜଣେ ମହିଳା ଗୁରୁବାର ଦିନ ଗଣମାଧ୍ୟମକୁ ସମ୍ମୁଖରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ ତାଙ୍କ ବୟାନରେ କହିଛନ୍ତି, “ଜିତେନ୍ଦ୍ର ପୁରୀସ୍ଥିତ ପୋଲିସ କ୍ୱାର୍ଟରରେ ସେକ୍ସ ରାକେଟ୍ ଚଳାଉଥିଲା । ଏଥିରେ ତାଙ୍କର ପ୍ରଥମ ପତ୍ନୀ ତାଙ୍କୁ ସହଯୋଗ କରୁଥିଲେ । ଯିଏକି ବ୍ରହ୍ମଗିରି ଥାନାରେ କନଷ୍ଟେବଳ ଭାବେ ନିୟୋଜିତ ରହିଛନ୍ତି । ଏଭଳି କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଚାକିରିରୁ ନିଲମ୍ବିତ କରାଯିବା ଉଚିତ୍ । ଆହୁରି ମଧ୍ୟ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏଭଳି ଜଘନ୍ୟ ଘୃଣ୍ୟ କାର୍ଯ୍ୟ ଲାଗି ସର୍ବସମ୍ମୁଖରେ ଫାଶୀ ଦିଆଯିବା ଉଚିତ୍” ।

ପୂର୍ବରୁ ପୁରୀ ଏସପି ଉମାଶଙ୍କର ଦାଶ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସର୍ଭିସ୍ ବୁକରେ ୯ଟି କଳାଦାଗ ରହିଛି । ଏଥିସହିତ ପୁରୀ ଏସପି ତାଙ୍କୁ ଗତ ଫେବୃଆରୀ ମାସରେ କାର୍ଯ୍ୟରୁ ବହିଷ୍କାର କରିଥିଲେ । ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ବ୍ୟତିତ ପ୍ରଥମ ପତ୍ନୀ ରହିଥିବା ବେଳେ ୨ୟ ବିବାହ କରିବା ଏବଂ ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିବା ଅଭିଯୋଗ ମଧ୍ୟ ରହିଛି ।

ଗତ ୨୦୧୧ ମସିହାରେ ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ମାଲୁଦା ଚୌକିରେ ପୋଷ୍ଟିଂ ସମୟରେ ଅଭିଯୁକ୍ତ ଜିତେନ୍ଦ୍ର ଡାୟନାବୁଡା ଗ୍ରାମର ବଂଶୀଧର ଦାସଙ୍କ ଝିଅ ଅଞ୍ଜଳୀକୁ ଅପହରଣ କରିନେଇଥିଲା । ପରେ ସେ ତାଙ୍କୁ କଣ୍ଟିଲୋ ନୀଳମାଧବ ମନ୍ଦିରକୁ ନେଇଯାଇ ବିବାହ କରିଥିଲା । ଜିତେନ୍ଦ୍ର ପୂର୍ବରୁ ବିବାହିତ ଥିବା ନେଇ ଅଞ୍ଜଳୀ ବାହାଘର ପରେ ଜାଣିବାକୁ ପାଇଥିଲେ ।

ପରବର୍ତ୍ତୀ ସମୟରେ ସେ ଏକ ସନ୍ତାନର ଜନନୀ ପାଲଟିଥିବା ବେଳେ ଜିତେନ୍ଦ୍ର ତାଙ୍କୁ ନିଆଁରେ ପୋଡି ମାରିବାକୁ ଚେଷ୍ଟା କରିଥିଲେ । ତାଙ୍କ ଶରୀରର ୯୦% ପୋଡି ଯାଇଥିଲେ ମଧ୍ୟ ସୌଭାଗ୍ୟବଶତଃ ସେ ବଞ୍ଚିଯାଇଥିଲେ ।

ପରେପରେ ନ୍ୟାୟ ପାଇବା ଆଶାରେ ଅଞ୍ଜଳୀ ଓଡିଶା ମାନବାଧିକାର ଆୟୋଗ, ରାଜ୍ୟ ମହିଳା ଆୟୋଗ, ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ ।

ପରିଶେଷରେ ୨୦୧୩ ମସିହା ଡିସେମ୍ବର ୧୮ ତାରିଖରେ ସେ କୋର୍ଟର ଦ୍ୱାରସ୍ଥ ହେବା ସହ ସେ ଓ ତାଙ୍କ ଶିଶୁର ଭରଣପୋଷଣ ପାଇଁ ମାସିକ ୩୫୦୦ ଟଙ୍କା ଅର୍ଥରାଶି ପ୍ରଦାନ ଲାଗି କୋର୍ଟଙ୍କୁ ଅନୁରୋଧ କରିଥିଲେ । କୋର୍ଟ ତାଙ୍କୁ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିତେନ୍ଦ୍ର ଟଙ୍କାଟିଏ ବି ଦେଇନାହାଁନ୍ତି ।

ଆହୁରି ମଧ୍ୟ ପୁରୀର କିଛି ସ୍ଥାନୀୟ ଲୋକେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କାର୍ଯ୍ୟରୁ ବରଖାସ୍ତ ହୋଇଥିଲେ ମଧ୍ୟ କିଛି ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଜିତେନ୍ଦ୍ରର ଭଲ ସମ୍ପର୍କ ଯୋଗୁଁ ସେ ଏଭଳି ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲା ।

Leave A Reply

Your email address will not be published.