ନୂଆଦିଲ୍ଲୀ: ଗତକାଲି ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଆମେରିକୀୟ ସାମରିକ ବିମାନ ଅମୃତସରରେ ଅବତରଣ କରିଛି। ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦାୟିତ୍ୱ ନେବା ପରେ ଦେଶରେ ପ୍ରବାସୀମାନଙ୍କ ବିରୁଦ୍ଧରେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ। ଏହି ବିମାନରେ ୨୦୫ ଜଣ ଲୋକ ଥିଲେ ବୋଲି ଜଣା ପଡ଼ିଛି, ଯେଉଁଥିରୁ ୧୦୪ ଜଣଙ୍କୁ ଭାରତୀୟ ଭାବେ ଚିହ୍ନଟ କରାଯାଇଛି। ପଞ୍ଜାବ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ବିମାନଟି ଶ୍ରୀ ଗୁରୁ ରାମଦାସ ଜୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। କୁହାଯାଉଛି ଯେ, ଏମାନେ ଆମେରିକାକୁ ଅନୈଧ ଭାବରେ ପ୍ରବେଶ କରିଥିଲେ । ଅର୍ଥାତ୍ ଡଙ୍କି ରୁଟ୍ ଦେଇ ଏମାନେ ଯାତ୍ରା କରିଥିଲେ ।
ଅବୈଧ ଭାବେ ଆମେରିକା ଭଳି ଦେଶକୁ ପ୍ରବେଶ କରିବାକୁ ଏହି ରୁଟ୍ ବ୍ୟବହାର କରାଯାଏ । ଏଥିପାଇଁ ଏଜେଣ୍ଟଙ୍କୁ ମୋଟା ଅଙ୍କର ଟଙ୍କା ଦେବାକୁ ପଡିଥାଏ । ତଥାପି ଜଣେ ସେହି ରାସ୍ତା ଦେଇ ଯିବା ସେତେଟା ସହଜ ନୁହେଁ । ବିପଦ ଶଙ୍କୁଳ ଅବସ୍ଥାରେ ପାହାଡ ଦେଇ ନଦୀ ପାର୍ ହୋଇ ଯିବାକୁ ପଡେ । କେହି ଯଦି ପାହାଡରୁ ଖସିପଡେ ତେବେ ଜୀବନ ବଞ୍ଚିବା ସମ୍ଭବ ନୁହେଁ । ତେବେ ଏଇ ଡଙ୍କି ଅନୁପ୍ରବେଶକାରୀ ସ୍ବଳ୍ପ ଶିକ୍ଷିତ ଏବଂ ଇଂରାଜୀ ଜାଣି ନ ଥିବାରୁ ଆମେରିକା ଦୂତାବାସରେ ଭିସା ପାଇବା ସମ୍ଭବ ହୋଇନଥାଏ। ଏଥିଲାଗି ଆବଶ୍ୟକ ଅନ୍ୟାନ୍ୟ ପରୀକ୍ଷା ଏଡ଼ାଇବା ଲାଗି ଏଜେଣ୍ଟମାନଙ୍କ ମିଥ୍ୟା ପ୍ରତିଶ୍ରୁତିରେ ପଡ଼ି ଡଙ୍କିରୁଟ୍କୁ ସହଜ ବୋଲି ଭାବନ୍ତି।
ଡଙ୍କି ରୁଟର ଯାତ୍ରା ସାଧାରଣତଃ ପଶ୍ଚିମ ଏସୀୟ ବିମାନବନ୍ଦରରୁ ଆରମ୍ଭ ହୁଏ । ଏଠାରୁ ଲୋକ ମାନଙ୍କୁ ତୁର୍କୀ ଭଳି ଦେଶ ଦେଇ ଯିବାକୁ ବାଧ୍ୟ କରାଯାଏ । ଏହା ପରେ ସେମାନେ ଆଟଲାଣ୍ଟିକ ପାର ହୋଇ ପାନାମାରେ ପହଞ୍ଚିବେ । ସେଠାରୁ ଏଲ୍ ସାଲଭାଡୋର ଦେଇ ସେମାନେ ମେକ୍ସିକୋରେ ପହଞ୍ଚିବେ। ସେଠାକାର ସ୍ଥାନୀୟ ଏଜେଣ୍ଟମାନେ ଟ୍ୟାକ୍ସି ସାହାର୍ଯ୍ୟରେ ଗୁଆଟେମାଲାରୁ ମେକ୍ସିକୋ ନେଇଯାଆନ୍ତି । ପ୍ରାୟ ୧୨ ରୁ ୧୫ ଘଣ୍ଟା ମଧ୍ୟରେ ସେମାନେ ୫୦୦-୬୦୦ କିଲୋମିଟର ଲମ୍ବା ଯାତ୍ରା କରନ୍ତି । ଶେଷରେ ସେମାନେ ସେମାନଙ୍କ ଲକ୍ଷ ସ୍ଥଳରେ ପହଞ୍ଚନ୍ତି । ତେବେ ଏହି ଯାତ୍ରା ସମୟ ମଧ୍ୟରେ ସେମାନଙ୍କୁ ଅନେକ ଚେକପୋଷ୍ଟ ଅତିକ୍ରମ କରିବାକୁ ପଡ଼ିଥାଏ ।
ଡଙ୍କି ରୁଟ୍ ଦେଇ ଲୋକଙ୍କୁ ବିଦେଶ ନେଇଯିବା ପାଇଁ ଏକ ବଡ଼ ରାକେଟ୍ କାମକରେ । ଅନେକ ଟ୍ରାଭେଲ ଏଜେନ୍ସି ଏବଂ ଏଜେଣ୍ଟ ଏହି କାମରେ ନିୟୋଜିତ ଥାଆନ୍ତି ଏବଂ ବିଦେଶ ପଠାଇବା ପାଇଁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରନ୍ତି। ଅନେକ ଲୋକ ଡଙ୍କି ରୁଟ୍ ଦେଇ ଆମେରିକା ପହଞ୍ଚିବା ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି । ଏଜେଣ୍ଟମାନେ ମେକ୍ସିକୋ କିମ୍ବା କାନାଡିଆନ ସୀମା ଦେଇ ଲୋକଙ୍କୁ ଆମେରିକାରେ ପ୍ରବେଶ କରିବାରେ ସାହାଯ୍ୟ କରନ୍ତି। ଏହା ପୂର୍ବରୁ, ଲୋକମାନେ ପାକିସ୍ତାନ ଏବଂ ଅନ୍ୟାନ୍ୟ ଦେଶ ଦେଇ ଆମେରିକା ନିକଟବର୍ତ୍ତୀ ଦେଶଗୁଡ଼ିକରେ ପହଞ୍ଚୁଥିଲେ ।
ଯେଉଁ ଲୋକମାନେ ଏହି ରୁଟ୍ ଦେଇ ଆମେରିକା କିମ୍ବା ଅନ୍ୟ କୌଣସି ଦେଶକୁ ପ୍ରବେଶ କରନ୍ତି, ସେମାନେ ଏପରି ଏକ ସ୍ଥାନରେ ରୁହନ୍ତି ଯେଉଁଠାକୁ ପୋଲିସର ଯାତାୟତ କମ୍ ଥାଏ। ସେମାନେ ଏପରି କାମ ମଧ୍ୟ କରନ୍ତି ଯେଉଁଥିରେ ସେମାନଙ୍କୁ କୌଣସି କାଗଜପତ୍ର ଦେଖାଇବାକୁ ମଧ୍ୟ ପଡିନଥାଏ । ଏହି ଲୋକମାନେ ଏପରି ସ୍ଥାନକୁ ମଧ୍ୟ ଯାଆନ୍ତି ନାହିଁ ଯେଉଁଠାକୁ ପୋଲିସ କିମ୍ବା ଅଧିକାରୀମାନଙ୍କର ଯାତାୟତ ବେଶି ଥାଏ । ଏପରି ଲୋକଙ୍କୁ ଧରିବା ପାଇଁ, ଅନେକ ଦେଶର ପୋଲିସ ଚଢାଉ କରନ୍ତି, ଯେଉଁଥିରେ ଅନେକ ଲୋକ ଧରା ମଧ୍ୟ ପଡ଼ନ୍ତି। ଧରାପଡ଼ିବା ପରେ, ସେମାନଙ୍କୁ ଏକ ଡିଟେନସନ୍ କ୍ୟାମ୍ପକୁ ପଠାଯାଏ ଏବଂ ତା’ପରେ ନିର୍ବାସନ ପ୍ରକ୍ରିୟା ଆରମ୍ଭ ହୁଏ। ତେବେ ଆମେରିକାରେ ଏପରି ଲୋକଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷରୁ ଅଧିକ ବୋଲି କୁହାଯାଉଛି ।
Comments are closed.