Latest Odisha News

BREAKING NEWS

ବାରବାଟୀରେ ଟିମ ଇଣ୍ଡିଆର ଦିନିକିଆ ପ୍ରଦର୍ଶନ

କଟକ: ଫେବୃୟାରୀ ୯ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ବାରବାଟୀ ମ୍ୟାଚ ଜିତି ଭାରତ ସିରିଜ ହାତେଇବାକୁ ଚାହିଁବ ବୋଲି ଆଶା କରାଯାଉଛି । ଏଠାରେ ଟିମ ଇଣ୍ଡିଆର ପ୍ରଦର୍ଶନ ଭଲ ରହିଛି । ଓଭରାଲ ଖେଳାଯାଇଥିବା ୧୭ ମ୍ୟାଚରେ ଭାରତ ୧୩ରେ ବିଜୟ ହାସଲ କରିଛି । ୨୦୧୯ରେ ଏଠାରେ ଖେଳା ଯାଇଥିବା ଶେଷ ଦିନିକିଆ ମ୍ୟାଚରେ ଭାରତ ୪ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । କଟକରେ ଭାରତର ସର୍ବାଧିକ ସ୍କୋର ୩୮୧ ରହିଛି । ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ଭାରତ ଏହି ସ୍କୋର କରିଥିଲା ।

ସେହିପରି ୪୧.୩ ଓଭରରେ ୫ ୱିକେଟ ବିନିମୟରେ ୧୬୧ ଦଳର ସର୍ବନିମ୍ନ ସ୍କୋର ରହିଛି । ୧୨ ଡିସେମ୍ବର ୧୯୮୮ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଏହି ରନ କରିଥିଲା । ଶ୍ରୀଲଙ୍କାକୁ ୧୬୯ ରନ ବ୍ୟବଧାନରେ ହରାଇ ଭାରତ ୨୦୧୪ରେ ସର୍ବବୃହତ ବିଜୟ ହାସଲ କରିଛି । ସେହିପରି ୧୯୯୪ରେ ୱେଷ୍ଟଇଣ୍ଡିଜକୁ ସର୍ବାଧିକ ୱିକେଟ ବ୍ୟବଧାନରେ ଭାରତ ହରାଇଥିଲା । ଏହି ମ୍ୟାଚକୁ ୮ ୱିକେଟରେ ଭାରତ ଜିତିଥିଲା । ସଚିନ ତେନ୍ଦୁଲକର କଟକରେ ୧୦ ମ୍ୟାଚରେ ୪୬୯ ରନ ସଂଗ୍ରହ କରି ଏବେ ବି ଶୀର୍ଷରେ ରହିଛନ୍ତି ।

ଜିମ୍ବାୱେ ବିପକ୍ଷରେ ୧୯୯୮ରେ ଭାରତର ମହମ୍ମଦ ଆଝାରୁଦ୍ଦିନ ୧୫୩ ରନ କରି ଅପରାଜିତ ରହିଥିଲେ । ଏହା ବାରବାଟୀରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ଅଜୟ ଜାଡେଜା ୩ଟି ମ୍ୟାଚରେ ଏଠାରେ ୧୩୬.୫ ଆଭରେଜରେ ରନ ସଂଗ୍ରହ କରି ଅନ୍ୟମାନଙ୍କଠାରୁ ଆଗରେ ରହିଛନ୍ତି । ସଚିନ ତେନ୍ଦୁଲକର ସର୍ବାଧିକ ୪ଟି ଅର୍ଦ୍ଧଶତକ ମାରିଥିବା ବେଳେ ଜାଡେଜା ୨ଟି ଶତକ ହାସଲ କରିଛନ୍ତି । ଭେଙ୍କଟପତି ରାଜୁ, ଭେଙ୍କଟେଶ ପ୍ରସାଦ ଓ ଈଶାନ୍ତ ଶର୍ମା ବାରବାଟୀରେ ସର୍ବାଧିକ ୩ ଥର ଲେଖାଏଁ ଶୂନରେ ଆଉଟ ହୋଇଛନ୍ତି । ୱେଷ୍ଟଇଣ୍ଡିଜର ଦୂର୍ଦ୍ଦଷ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡ ସର୍ବାଧିକ ୭ ଛକା ମାରିଥିବା ବେଳେ ଭାରତର ଅଜିତ ଅଗକର ୭ ୱିକେଟ ନେଇ ଶୀର୍ଷରେ ରହିଛି ।

୨୦୦୭ରେ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜର ଡାରେନ ପାୱେଲ ୧୦ ଓଭରରେ ୨୭ ରନ ଦେଇ ୪ଟି ୱିକେଟ ନେଇଥିଲେ । ବାରବାଟୀରେ ଏହା ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ । ନୟନ ମୋଙ୍ଗିଆ ୱିକେଟକିପର ଭାବେ ସର୍ବାଧିକ ୫ ଡିସମିସାଲ ଓ ମନୋଜ ପ୍ରଭାକର ୫ଟି କ୍ୟାଚ ନେଇ ଆଗରେ ରହିଛନ୍ତି । ୧୯୯୮ରେ ଆଝାରୁଦ୍ଦିନ ଓ ପ୍ରଭାକର ଜିମ୍ବାୱେ ବିପକ୍ଷରେ ସର୍ବାଧିକ ୨୭୫ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ଏବେ ବି ଏହି ରେକର୍ଡ ବଳବତର ରହିଛି । ସଚିନ ତେନ୍ଦୁଲକର ବାରବାଟୀରେ ସର୍ବାଧିକ ୧୦ଟି ମ୍ୟାଚ ଖେଳିଥିବା ବେଳେ ଅଧିନାୟକ ଭାବେ ଆଝାରୁଦ୍ଦିନ ୪ଟି ମ୍ୟାଚରେ ବିଜୟୀ ହୋଇଛନ୍ତି ।

Comments are closed.