Latest Odisha News

BREAKING NEWS

ଭୁବନେଶ୍ୱରର ବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ: ଡିସି ଅଫିସ୍ ଘେରିଲେ ଅଭିଭାବକ

ଭୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ରେ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାକୁ ନେଇ ଅଭିଭାବକମାନେ ଶନିବାର ଦିନ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନର ଡେପୁଟି କମିଶନରଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଗତ ଶୁକ୍ରବାର ଦିନ ସ୍କୁଲର ଜଣେ ଛାତ୍ରୀ ପଡିଆରେ ଶାରୀରିକ କସରତ କରୁଥିଲେ । କୌଣସିକାରଣ ବଶତଃ ସ୍କୁଲର ପିଇଟି ଶିକ୍ଷୟତ୍ରୀ ତାଙ୍କୁ ଅପମାନ ସୂଚକ କଥା କହିବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ତାଙ୍କୁ ଗାଳିଗୁଲଜ ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା ।

ପରବର୍ତ୍ତୀ ମସୟରେ ଅପମାନ ସହି ନପାରି ଛାତ୍ରୀ ଜଣକ ସ୍କୁଲର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଛାତ୍ରୀଙ୍କର ମୁଣ୍ଡ, ଗୋଡ ଓ ଛାତିରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ଏହି ଘଟଣା ପରେ ପିଇଟି ଶିକ୍ଷୟତ୍ରୀ ଜଣକ ବିଦ୍ୟାଳୟରୁ ଚାଲି ଯାଇଥିଲେ ।

ସମ୍ପୃକ୍ତ ପିଇଟି ଶିକ୍ଷୟତ୍ରୀଙ୍କ ଏଭଳି ଦୁର୍ବ୍ୟବହାରକୁ ସହିନପାରି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହାବ୍ୟତିତ ଉକ୍ତ ଶିକ୍ଷୟତ୍ରୀ ଜଣକ ବହୁ ସମୟରେ ପିଲାମାନଙ୍କୁ ଏକପ୍ରକାର ଶାରୀରିକ ନିର୍ଯ୍ୟାତନା ଦେଉଥିବା ନେଇ ପ୍ରିନ୍ସିପାଲଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଥିଲୁ । ସମସ୍ତ ଅଭିଭାବକ ମାନେ ଶନିବାର ଦିନ ଡେପୁଟି କମିଶନରଙ୍କୁ ଭେଟି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବୁ ବୋଲି ଅଭିଭାବକ ମାନେ ସୂଚନା ଦେଇଛନ୍ତି ।

ଅପରପକ୍ଷରେ ଅଭିଭାବକମାନଙ୍କର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍କୁଲର ପ୍ରିନ୍ସିପାଲ୍ ପ୍ରିତି ରାୟ । “ମୋତେ ପିଇଟି ଶିକ୍ଷୟତ୍ରୀଙ୍କ ବିରୋଧରେ କୌଣସି ଲିଖିତ ଅଭିଯୋଗ ମିଳିନାହିଁ । ନିକଟରେ ଅଭିଭାବକ-ଶିକ୍ଷକ (ପିଟିଏ) ମିଟିଂରେ ସେମାନେ ମୋତେ ଏକ ପତ୍ର ଦେଇଥିଲେ । ପିଲାମାନଙ୍କ ପ୍ରତି ତାଙ୍କ ବ୍ୟବହାରକୁ ନେଇ ପିଇଟି ଶିକ୍ଷୟତ୍ରୀଙ୍କ ସହ କଥା ହେବା ପାଇଁ ଜଣାଇଥିଲେ କିନ୍ତୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉକ୍ତ ଚିଠିରେ ଉଲ୍ଲେଖ ହୋଇନଥିଲା ।

Leave A Reply

Your email address will not be published.