ନୂଆଦିଲ୍ଲୀ: ରଣଜୀ ଟ୍ରଫି କ୍ରିକେଟରେ କେରଳ ଟିମ ଇତିହାସ ରଚିଛନ୍ତି । ସେମିଫାଇନାଲ ମ୍ୟାଚରେ ଗୁଜରାଟକୁ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ପଛରେ ପକାଇ କେରଳ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଟାଇଟଲ ମୁକାବିଲାରେ କେରଳ ଓ ବିଦର୍ଭ ମଧ୍ୟରେ ମୁକାବିଲା ହେବ । ମ୍ୟାଚର ପଂଚମ ତଥା ଅନ୍ତିମ ଦିନ ଗୁଜରାଟକୁ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବା ପାଇଁ ୨୮ ରନ ଆବଶ୍ୟକ ହେଉଥିଲା । ଦଳ ନିକଟରେ ୩ଟି ୱିକେଟ ଥିଲେ ମଧ୍ୟ କେରଳର ସ୍ପିନର ଆଦିତ୍ୟ ସରସ୍ୱତୀ ମ୍ୟାଚର ଗତିପଥ ବଦଳାଇ ଦେଇଥିଲେ । ଗୁଜରାଟ ୨ ରନ ପଛରେ ରହି ଯାଇଥିଲା । ମହମ୍ମଦ ଆଝାରୁଦ୍ଦିନଙ୍କ ଶତକ(୧୭୭) ବଳରେ ୪୫୭ ରନ କରିଥିଲା । ଜବାବରେ ପ୍ରିୟଙ୍କ ପଂଚଲଙ୍କ ଶତକ ସହାୟତାରେ ଗୁଜରାଟ ୪୫୫ ରନ କରି ପ୍ରଥମ ଇନିଂସରେ ୨ ରନ ପଛରେ ରହି ଯାଇଥିଲା ।
କେରଳ ଦ୍ୱିତୀୟ ଇନିଂସରେ ୪ ୱିକେଟ ହରାଇ ୧୧୪ ରନ କରିଥିବା ବେଳେ ମ୍ୟାଚ ସମାପ୍ତ ହୋଇଥିଲା । ଅନ୍ୟ ଏକ ସେମିଫାଇନାଲରେ ମୁମ୍ବାଇକୁ ୮୦ ରନରେ ହରାଇ ବିଦର୍ଭ ଫାଇନାଲରେ ପ୍ରବେଶ କରିଛି । ନାଗପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ବିଦର୍ଭ ପ୍ରଥମେ ବ୍ୟାଟିଂ କରି ୩୮୩ ରନ କରିଥିଲା । ଜବାବରେ ମୁମ୍ବାଇ ୨୭୦ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ବିଦର୍ଭ ୨୯୨ ରନ କରିବା ଫଳରେ ମୁମ୍ବାଇ ସମ୍ମୁଖରେ ୪୦୬ ରନର ଲକ୍ଷ୍ୟ ରହିଥିଲା । ମୁମ୍ବାଇ ୩୨୫ ରନ କରି ଅଲଆଉଟ ହୋଇ ଯାଇଥିଲା । ବିଦର୍ଭ ୨ ଥର ରଣଜୀ ଟ୍ରଫି ଟାଇଟଲ ହାସଲ କରିଥିବା ବେଳେ ଥରେ ରନର୍ସଅପ ହୋଇଛି ।
Comments are closed.