ନୂଆଦିଲ୍ଲୀ: ବର୍ଷ ବର୍ଷ ଚାଲିଥିବା ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ ଏବେ ଅସ୍ତ୍ରବିରତି ପଡିଛି । ହେଲେ ଦୁଇ ଦେଶର ହାବଭାବ ଦେଖି ଲାଗୁଛି, ଆଉ ବେଶୀ ଦିନ ଏହି ଅସ୍ତ୍ରବିରତି ଜାରି ରହି ପାରିବ ନାହିଁ । କାରଣ ଚୁକ୍ତିନାମା ଅନୁସାରେ, ହମାସ କାଳେ ସର୍ତ୍ତରୁ ଉର୍ଦ୍ଧ୍ବକୁ ଯାଇ ବନ୍ଧକ ହସ୍ତାନ୍ତର ନେଇ କିଛି ନିଶ୍ଚିତ କରୁନାହିଁ । ଯାହାକୁ ନେଇ ଏବେ ଅଡିବସିଲାଣି ଇସ୍ରାଏଲ । ଏବେ ଇସ୍ରାଏଲ ପକ୍ଷରୁ ମୁକ୍ତ ହେବାକୁ ଥିବା ୬୨୦ ପାଲେଷ୍ଟାଇନୀ ବନ୍ଦୀଙ୍କୁ, ଏବେ ଛାଡିବା ପାଇଁ ବିଳମ୍ବ କରୁଛି । ଏନେଇ ସରକାରୀ ବବୃତ୍ତି ପ୍ରକାଶ କରି ଇସ୍ରାଏଲ କହିଛି, ଯେପର୍ଯ୍ୟନ୍ତ, ହମାସ ବନ୍ଧକ ଚୁକ୍ତି ନେଇ କିଛି ସ୍ପଷ୍ଟ କରିନାହିଁ । ସେ ପର୍ଯ୍ୟନ୍ତ, ବନ୍ଦୀ ମୁକ୍ତ ହେବାରେ ବିଳମ୍ବ ହେବ । ଯାହା ଗାଜା ଅସ୍ତ୍ରବିରତି ଚୁକ୍ତିନାମାର ଭଙ୍ଗୁରତାକୁ ସ୍ପଷ୍ଟ କରୁଛି । ଆଉ ପୁଣି ଥରେ ଯୁଦ୍ଧ ଆଡକୁ ଆଶଙ୍କା ବଢାଉଛି ।
ଏହାକୁ ନେଇ ଇସ୍ରାଏଲ ରବିବାର ଦିନ ବିବୃତ୍ତି ଜାରି କରିଛି ଯେ, ଆତଙ୍କବାଦୀ ଗୋଷ୍ଠୀ ହମାସ ତାର ସର୍ତ୍ତ ପୂରଣ ନ କରିବା ପର୍ଯ୍ୟନ୍ତ, ଇସ୍ରାଏଲ ଯୋଜନା କରିଥିବା ଶହ ଶହ ପାଲେଷ୍ଟାଇନୀ ବନ୍ଦୀଙ୍କୁ ମୁକ୍ତ କରିବାରେ ବିଳମ୍ବ କରୁଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ରବିବାର ଭୋର ସମୟରେ ଏହି ବିବୃତ୍ତି ଜାରି କରିଛି । ଯେପର୍ଯ୍ୟନ୍ତ ପରବର୍ତ୍ତୀ ବନ୍ଧକଙ୍କ ମୁକ୍ତି ହମାସ ପକ୍ଷରୁ ନିଶ୍ଚିତ ନହୋଇଛି, ସେପର୍ଯ୍ୟନ୍ତ ଅପମାନଜନକ ଭାବେ ଯେଉଁ ୬୨୦ ପାଲେଷ୍ଟାଇନୀ ବନ୍ଦୀ ରହିଛନ୍ତି, ତାଙ୍କୁ ମୁକ୍ତ କରାଯିବ ନାହିଁ ।
ତେବେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧରେ ଗତ ଜାନୁଆରୀ ମାସରେ ଅସ୍ତ୍ରବିରତି ଲାଗିଥିଲା । ଇସ୍ରାଏଲ ଏବଂ ପାଲେଷ୍ଟାଇନୀ ସଂଗଠନ ହମାସ ଯୁଦ୍ଧବିରତି ପାଇଁ ରାଜି ହୋଇଥିଲେ । ଯୁଦ୍ଧବିରତି ଏବଂ କଏଦୀ ବିନିମୟ ସମ୍ପର୍କରେ କିଛି ଦିନ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ଚାଲିବା ପରେ, ଇସ୍ରାଏଲ ଏବଂ ହମାସ ୧୫ ମାସ ପାଇଁ ଗାଜାରେ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଥିଲେ । ଆଉ ଚୁକ୍ତିନାମା ଅନୁସାରେ, ଯୁଦ୍ଧବିରତି ସମୟରେ, ହମାସ ଗାଜାରେ ବନ୍ଧକ ରଖାଯାଇଥିବା ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରିବ। ପ୍ରତିବଦଳରେ, ଇସ୍ରାଏଲ ମଧ୍ୟ ହମାସର ଲୋକଙ୍କୁ ମୁକ୍ତ କରିବ ।
ଚୁକ୍ତିନାମା ଅନୁସାରେ, ଦୀର୍ଘ ୧୫ ମାସ ଯୁଦ୍ଧ ପରେ ପ୍ରାଥମିକ ପର୍ଯ୍ୟାୟରେ ୩ ମହିଳା ବନ୍ଧକଙ୍କୁ ମୁକ୍ତ କରିଥିଲା ହମାସ । ସେପଟେ ଇସ୍ରାଏଲ ମଧ୍ୟ ୯୦ ପାଲେଷ୍ଟାଇନ କଏଦୀଙ୍କୁ ଛାଡିଥିଲା । ହେଲେ ଏହା ପରେ ହମାସ ମନମାନି କରୁଥିବାର ଅଭିଯୋଗ ଆଣିଥିଲା ଇସ୍ରାଏଲ । ପରବର୍ତ୍ତୀ ବନ୍ଧକ ମୁକ୍ତି ନେଇ, କିଛି ବି ସକାରାତ୍ମକ ପଦକ୍ଷେପ ନେଉନାହିଁ ହମାସ । ଯାହାକୁ ନେଇ ଇସ୍ରାଏଲ ଏବେ ଖପ୍ପା ।
ଏହାକୁ ନେଇ ଇସ୍ରାଏଲ ଅଭିଯୋଗ କରିଥିଲା, ଯେ ମାସିକ ପୁରୁଣା ଅସ୍ତ୍ରବିରତିକୁ ବାରମ୍ବାର ଉଲ୍ଲଂଘନ କରୁଛି ହମାସ । ଶନିବାର ପାଲେଷ୍ଟାଇନୀ ଆତଙ୍କବାଦୀ ଗୋଷ୍ଠୀ ଯୁଦ୍ଧବିରତି ଅଧୀନରେ ଆୟୋଜିତ ଏକ ବିନିମୟର ଅଂଶ ଭାବରେ ଗାଜାରୁ ଛଅ ଜଣ ବନ୍ଧକଙ୍କୁ ହସ୍ତାନ୍ତର କରିବା ପରେ ଏଡି ଅଭିଯୋଜ କରିଥିଲା ଇସ୍ରାଏଲ ।
ଶନିବାର ମୁକ୍ତ ହୋଇଥିବା ଛଅ ଜଣ ବନ୍ଧକ ଥିଲେ ଯୁଦ୍ଧବିରତିର ପ୍ରଥମ ପର୍ଯ୍ୟାୟରେ ହସ୍ତାନ୍ତର ହେବାକୁ ଥିବା ଶେଷ ଜୀବିତ ଇସ୍ରାଏଲୀ ବନ୍ଦୀ । ଏହା ବ୍ୟତୀତ ଚାରି ଜଣ ମୃତ ଇସ୍ରାଏଲୀ ବନ୍ଧକଙ୍କ ମୃତଦେହ ଆସନ୍ତା ସପ୍ତାହରେ ମୁକ୍ତ କରାଯିବାର ଥିଲା । ହେଲେ ଇସ୍ରାଏଲ ସେହି ମୁକ୍ତି କିମ୍ବା ଅନ୍ୟ ବନ୍ଧକ ମୁକ୍ତି ଉପରେ ପ୍ରତିଶ୍ରୁତି ଚାହୁଁଛି କି ନାହିଁ ତାହା ସ୍ପଷ୍ଟ କରୁନାହିଁ । ଯାହାକୁ ନେଇ ଏବେ ଯୁଦ୍ଧବିରତି ଉପରେ ପୂର୍ଣ୍ଣଚ୍ଛେଦ ପଡିବା ନେଇ ଆଶଙ୍କା ।
Comments are closed.