ପୁରୀ: ଜୁନ୍ ୨୭ ତାରିଖରେ ଅନୁଷ୍ଠିତ ହେବ ଚଳିତ ବର୍ଷର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗତ ରଥଯାତ୍ରାର ଅଭିଜ୍ଞତାକୁ ଉପଯୋଗ କରି ଚଳିତ ବର୍ଷ ସମସ୍ତ କାର୍ଯ୍ୟକୁ ସମ୍ମିଳିତ ଉଦ୍ୟମରେ ସଫଳ କରିବାକୁ ସେ ଆହ୍ଵାନ ଦେଇଥିଲେ ।
ବିଭିନ୍ନ ବିଭାଗକୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ରଥକାଠ ସଂଗ୍ରହ, ରଥ ନିର୍ମାଣ, ରଥଖଳା ପରିଷ୍କାର, ରଥଯାତ୍ରା ନିମନ୍ତେ ବିଭିନ୍ନ ସାମଗ୍ରୀ ସଂଗ୍ରହ ଓ ଯୋଗାଣ, ରଥକପଡା ସଂଗ୍ରହ, ନୀତି ସଂପାଦନ, ରଥଟଣା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ, ପାର୍କିଂ ସ୍ଥଳ, ଶାନ୍ତି ଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗ ମାନେ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଏସପି ବିନୀତ ଅଗ୍ରୱାଲ ରଥଯାତ୍ରା ପାଇଁ ଆଇନଶୃଙ୍ଖଳା ରକ୍ଷାର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ସମସ୍ତ କାର୍ଯ୍ୟର ସଫଳତା ପାଇଁ ସମ୍ମିଳିତ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅସୁରକ୍ଷିତ ବିଲ୍ଡିଂ ର ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ, ଅଗ୍ନି ନିର୍ବାପକ ବ୍ୟବସ୍ଥାର ସମୀକ୍ଷା ଇତ୍ୟାଦିକୁ ଯୁଗ୍ମ ତଦନ୍ତ ମାଧ୍ୟମରେ ତ୍ୱରାନ୍ୱିତ ପାଇଁ ସେ ପରାମର୍ଶ ଦେଇଥିଲେ ।
ଚଳିତ ବର୍ଷ ଅକ୍ଷୟ ତୃତୀୟା ତିଥିରେ ରଥକାଠ ଅନୁକୂଳ ଅପ୍ରେଲ ୩୦ ତାରିଖରେ, ଦେବସ୍ନାନ ପୂର୍ଣ୍ଣିମା ଜୁନ ୧୧, ଶ୍ରୀଗୁଣ୍ଡିଚା ଜୁନ ୨୭, ସନ୍ଧ୍ୟା ଦର୍ଶନ ଜୁଲାଇ ୪, ବାହୁଡା ଜୁଲାଇ ୫, ସୁନାବେଶ ଜୁଲାଇ ୬, ଅଧରପଣା ଜୁଲାଇ ୭ ଓ ନୀଳାଦ୍ରି ବିଜେ ଜୁଲାଇ ୮ ତାରିଖରେ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି ।
ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକ ଥିବା ବେଳେ ଗତବର୍ଷ ର ୫୧ ଖଣ୍ଡ ବଳକା କାଠ ଥିବାରୁ ଅବଶିଷ୍ଟ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି । ଇତି ମଧ୍ୟରେ ୧୦୧ ଖଣ୍ଡ କାଠ ପହଞ୍ଚି ସାରିଛି । ସେହିପରି ଅନ୍ୟାନ୍ୟ ରଥଯାତ୍ରା ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରାଯାଉଛି ବୋଲି ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ ସୂଚନା ଦେଇଥିଲେ ।
Comments are closed.