ମୁମ୍ବାଇ: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏନସିପି ଅଜିତ ପାୱାର ଦଳର ନେତା ଏବଂ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ । ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେଙ୍କୁ ଇସ୍ତଫା ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନଭିସ । ବୀଡରେ ସରପଞ୍ଚ ସନ୍ତୋଷ ଦେଶମୁଖ ହତ୍ୟା ମାମଲା ସହିତ ତାଙ୍କ ନାମ ଜଡିତ ଥିବାରୁ, ତାଙ୍କ ଇସ୍ତଫା ଗ୍ରହଣ କରିବା ପାଇଁ ସରକାରଙ୍କ ଉପରେ କ୍ରମାଗତ ଭାବରେ ଚାପ ବୃଦ୍ଧି ପାଉଥିବାରୁ ଏପରି ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସିଏମ୍ ଦେବେନ୍ଦ୍ର ଫଡ଼ନାବିସ କହିଛନ୍ତି, ”ମହାରାଷ୍ଟ୍ର ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ମୋତେ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଇସ୍ତଫା ପରର ଆଗାମୀ କାର୍ଯ୍ୟ ପାଇଁ ତାଙ୍କ ଇସ୍ତଫା ପତ୍ରକୁ ମୁଁ ରାଜ୍ୟପାଳଙ୍କ ପାଖକୁ ପଠାଇଛି । ” ତେବେ ଗତକାଲି ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ୍ ପାୱାରଙ୍କ ମଧ୍ୟରେ ରୁଦ୍ଧଦ୍ବାର ବୈଠକ ହୋଇଥିଲା । ବୈଠକ ପରେ ଧନଞ୍ଜୟ ମୁଣ୍ଡେ କ୍ୟାବିନେଟ୍ ମନ୍ତ୍ରୀପଦରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଥିଲା । ଶେଷରେ ସେ ଏବେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।
ସୂଚନାଯୋଗ୍ୟ, କିଛି ଦିନ ତଳେ ବିଡ୍ ଜିଲ୍ଲାରେ ସରପଂଚଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ନେଇ ପୁରା ମହାରାଷ୍ଟ୍ରରେ ରାଜନୀତି ଜୋର ଧରିଥିବା ବେଳେ ଦେବେନ୍ଦ୍ର ସରକାରଙ୍କୁ ଘେରିଥିଲେ ବିରୋଧୀ । ଏହି ହତ୍ୟାକାଣ୍ଡର କିଛି ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ସରଂପଚଙ୍କୁ ପ୍ରଥମେ ନିବସ୍ତ୍ର କରିବା ସହ ପାଇପ୍ ଓ ଅନ୍ୟ ଅସ୍ତ୍ର ସାହାଯ୍ୟରେ ତାଙ୍କୁ ହତ୍ୟା କରାଯାଇଥିଲା । ତେବେ ମୁର୍ମୂଷ ଅବସ୍ଥାରେ ସରପଂଚ ପଡ଼ିଥିବା ବେଳେ ତାଙ୍କ ଉପରେ ପରିସ୍ରା କରିଥିଲେ ଅଭିଯୁକ୍ତ । ତେବେ ଅଭିଯୁକ୍ତର ମନ୍ତ୍ରୀଙ୍କ ଘନିଷ୍ଠ ସମ୍ପର୍କ ଥିବା ନେଇ ଜଣାପଡିବା ପରେ ବିବାଦ ଘନେଇ ଥିଲା । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍ ଭିତରକୁ ଅଣାଯାଇଥିଲା ।
Comments are closed.