ଭୁବନେଶ୍ୱର: ଚଳିତ ବର୍ଷ ମୋଟ ୪ଟି ପରାଗ ଓ ଗ୍ରହଣ ସଂଗଠିତ ହେବ। ଦୁଇଟି ଆଶିଂକ ସୂର୍ଯ୍ୟପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ସେଥିମଧ୍ୟରୁ କେବଳ ଗୋଟିଏ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଅର୍ଥାତ ୨୦୨୫ ରେ ୨ ପରାଗ, ୨ ଗ୍ରହଣ ହେବ।
ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ ତାରିଖରେ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆଟଲାଣ୍ଟିକ୍ ମହାସାଗର ପରି ଅଞ୍ଚଳରେ ଦେଖାଯିବ। ଏହା ଭାରତରୁ ଦୃଶ୍ୟମାନ ହେବ ନାହିଁ । ଚନ୍ଦ୍ରଗ୍ରହଣ ଭାରତୀୟ ସମୟ ଦିନ ୧୦ଟା ୩୯ ମିନିଟରେ ଆରମ୍ଭ ହୋଇ ପୂର୍ଣ୍ଣ ଗ୍ରହଣ ଦିନ ୧୧ଟା ୫୬ରୁ ଦିନ ୧ଟା ୧ପର୍ଯ୍ୟନ୍ତ ଦେଖାଯିବ। ସେ ସମୟରେ ଚନ୍ଦ୍ର ସଂପୂର୍ଣ୍ଣ ଲାଲ୍ ବର୍ଣ୍ଣ ଧାରଣ କରିବ ବୋଲି ପ୍ଲନେଟାରିୟମ୍ର ପୂର୍ବତନ ଉପନିର୍ଦ୍ଦେଶକ ତଥା ଜନବିଜ୍ଞାନୀ କହିଛନ୍ତି।
ଏହି ଗ୍ରହଣ ଭାରତୀୟ ସମୟ ଦିନ ୨ଟା ୧୮ରେ ଶେଷ ହେବ। ଏହା ଭାରତରେ ଦିନବେଳା ଘଟୁଥିବାରୁ ଦୃଶ୍ୟମାନ ହେବ ନାହିଁ। ସେହିପରି ମାର୍ଚ୍ଚ ୨୯ରେ ସଂଗଠିତ ହେବାକୁ ଥିବା ଆଂଶିକ ସୂର୍ଯ୍ୟପରାଗ ଉତ୍ତର ଆମେରିକା, ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ଆଟଲାଣ୍ଟିକ୍ ମହାସାଗର, ୟୁରୋପ ଏବଂ ଉତ୍ତର-ପଶ୍ଚିମ ଋଷରେ ଦୃଶ୍ୟମାନ ହେବ। ଏହା ମଧ୍ୟ ଭାରତରୁ ଦୃଶ୍ୟମାନ ହେବ ନାହିଁ।
ସେପ୍ଟେମ୍ବର ୭ ତାରିଖରେ ସଂଗଠିତ ହେବାକୁ ଥିବା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମଗ୍ର ଭାରତ ସହ ଏସିଆର ଅନ୍ୟାନ୍ୟ ଦେଶ, ୟୁରୋପ, ଆଣ୍ଟାର୍କଟିକା, ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ ଏବଂ ଭାରତ ମହାସାଗରର କିଛି ଅଞ୍ଚଳରେ ମଧ୍ୟ ଦୃଶ୍ୟମାନ ହେବ। ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ୭ ତାରିଖ ରାତି ୮ଟା ୫୮ରୁ ଆରମ୍ଭ ହୋଇ ୨ଟା ୨୫ ପର୍ଯନ୍ତ ରହିବ। ପୂର୍ଣ୍ଣ ଗ୍ରହଣ ରାତି ୧୦ଟାରୁ ରାତି ୧୨ଟା ୨୨ ମିନିଟ ପର୍ଯ୍ୟନ୍ତ ଦେଖାଦେବ।
ବର୍ଷର ଅନ୍ତିମ ଆଂଶିକ ସୂର୍ଯ୍ୟ ପରାଗ ସେପ୍ଟେମ୍ବର ୨୧ ଓ ୨୨ ତାରିଖରେ ନ୍ୟୁଜିଲ୍ୟାଣ୍ଡ, ଇଷ୍ଟର୍ଣ୍ଣ ମେଲାନେସିଆ ଏବଂ ପଶ୍ଚିମ ଆଣ୍ଟାର୍ଟିକାରେ ଦୃଶ୍ୟମାନ ହେବ। ଏହା ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ ।
Comments are closed.