Latest Odisha News

BREAKING NEWS

ସୁସ୍ଥ ହେଇ ଫେରିଲେ ରେହମାନ୍: ସ୍ତ୍ରୀ କହିଲେ, ‘ ଆମେ ଅଲଗା ହେଇନୁ’

ଚେନ୍ନାଇ: ଓସ୍କାର ବିଜେତା ସଙ୍ଗୀତଜ୍ଞ ତଥା କଣ୍ଠଶିଳ୍ପୀ ଏଆର ରେହମାନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ରହିଛି। ସେ ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ। ଆଜି ସକାଳେ ତାଙ୍କର ଛାତି ଯନ୍ତ୍ରଣା ହେବାରୁ, ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ତେବେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

ଏହାରି ଭିତରେ ସଂଗୀତକାର ଏ.ଆର୍. ରେହମାନଙ୍କ ଠାରୁ ଅଲଗା ହୋଇଥିବା ତାଙ୍କ ପତ୍ନୀ ସାଇରା ବାନୁ ଏବେ ତାଙ୍କ ବିବାହ ବିଚ୍ଛେଦ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେମାନେ ଅଲଗା ରହୁଛନ୍ତି ସତ, କିନ୍ତୁ ସେମାନେ ଆନୁଷ୍ଠାନିକ ଭାବରେ ଛାଡପତ୍ର ନେଇନାହାନ୍ତି। ଏଥିସହିତ ମିଡିଆକୁ ସେ ତାଙ୍କର ପୂର୍ବତନ ପତ୍ନୀ ବୋଲି ସମ୍ବୋଧନ କରିବାକୁ ବାରଣ କରିଛନ୍ତି।

ସ୍ବାମୀଙ୍କ ଦେହ ଅସୁସ୍ଥ ହେବା ପରେ, ଏକ ହୃଦୟସ୍ପର୍ଶୀ ବିବୃତ୍ତିରେ, ସେ ନିଜକୁ ସାଇରା ରେହମାନ୍ ବୋଲି ପରିଚିତ କରାଇ, ରେହମାନଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତା ପ୍ରକାଶ କରି କହିଥିଲେ, ମୁଁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି। ଆଲ୍ଲାଙ୍କ କୃପାରୁ, ସେ ଏବେ ସୁସ୍ଥ ଅଛନ୍ତି। ହେଲେ ମୁଁ ମିଡିଆକୁ କହିବାକୁ ଚାହେଁ କି ଯେ, ମୁଁ ଏବେ ବି ରେହମାନଙ୍କ ପତ୍ନୀ। ମୋର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମୁଁ ତାଙ୍କ ଠାରୁ ଅଲଗା ରହୁଛି, କାରଣ ମୁଁ ତାଙ୍କୁ ଅତିରିକ୍ତ ଚାପରେ ପକାଇବାକୁ ଚାହୁଁ ନଥିଲି। ହେଲେ ଆମର ଛାଡ଼ପତ୍ର ହୋଇନାହିଁ। ଏଥିସହିତ ସାଇରା ମଧ୍ୟ ରେହମାନଙ୍କ ପରିବାରକୁ ଅନୁରୋଧ କରିଥିଲେ ଯେ ତାଙ୍କର ଯତ୍ନ ନିଅନ୍ତୁ ଏବଂ ତାଙ୍କୁ ଆହୁ କଷ୍ଟ ନ ଦିଅନ୍ତୁ।

ତେବେ ୧୯୯୫ ମସିହାରେ ବିବାହ କରିଥିବା ଏହି ଦମ୍ପତି ନଭେମ୍ବର ୨୦୨୪ ରେ ସେମାନଙ୍କର ବିଚ୍ଛେଦ ଘୋଷଣା କରିଥିଲେ। ତଥାପି, ସାଇରା ଏବେ ଦାବି କରିଚନ୍ତି, ସେମାନେ ପରସ୍ପର ଠାରୁ ଦୂରରେ ରହୁଥିଲେ ମଧ୍ୟ ସେମାନେ ଏବେବି ସ୍ୱାମୀ-ସ୍ତ୍ରୀ ବନ୍ଧନରେ ଅଛନ୍ତି ।

Comments are closed.