ନାପିଦ୍ୱ: ଧ୍ୱଂସର ସ୍ତୁପ ପାଲଟିଥିବା ମିଆଁମାରର ପିଛା ଛାଡୁନି ଭୂମିକମ୍ପ । ଗତକାଲି ଭୂମିକମ୍ପରେ ମିଆଁମାର ଧ୍ୱଂସ ହୋଇଯାଇଥିବା ବେଳେ ପୁଣି ଆଜି ବି ଭୂମିକମ୍ପ ହୋଇଛି । ଆଜିକୁ ମିଶାଇ ଏହା ତୃତୀୟ ଥର ଭୂକମ୍ପରେ ଥରିଲା ମିଆଁମାର । ରିକ୍ଟର ସ୍କେଲରେ ୪.୭ ତୀବ୍ରତାର ତୃତୀୟ ଭୂମିକମ୍ପ ଅପରାହ୍ନ ୨ଟା ୫୦ରେ ମିଆଁମାରରେ ଅନୁଭୂତ ହୋଇଥିଲା । ନ୍ୟୁଜ୍ ଏଜେନ୍ସି ଏଏଫଫିର ରିପୋର୍ଟ ମୁତାବକ, ଭୂମିକମ୍ପରେ ଏପର୍ଯ୍ୟନ୍ତ ୧୦୦୦ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ, ୧୫୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଭୟଙ୍କର ଭୂମିକମ୍ପ ପରେ ସେନା ପକ୍ଷରୁ ଛଅଟି ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଅଧିକାରୀମାନେ କହିଛନ୍ତି ଯେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ସେହି ସମୟରେ, ଏକ ଆମେରିକୀୟ ସଂସ୍ଥା ଚେତାବନୀ ଦେଇଛି ଯେ ମୃତ୍ୟୁ ସଂଖ୍ୟା ୧୦,୦୦୦ ଟପିପାରେ ।
ସୂଚନାଯୋଗ୍ୟ, ଶୁକ୍ରବାର ଦିନ ମିଆଁମାରରେ ୭.୭ ତୀବ୍ରତା ଭୂକମ୍ପ ହୋଇଥିଲା । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ ଶୁକ୍ରବାର ରାତି ୧୧.୫୬ ମିନିଟ ସମୟରେ ପୁଣି ଏକ ଭୂକମ୍ପ ହୋଇଥିଲା, ଯାହାର ତୀବ୍ରତା ଥିଲା ୪.୨ । କେବଳ ମ୍ୟାମାର ନୁହେଁ ଶନିବାର ସକାଳ ୫.୧୬ ମିନିଟରେ ଆଫଗାନିସ୍ତାନରେ ବି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ହେଲେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
Comments are closed.