Latest Odisha News

BREAKING NEWS

ମହିଳାଙ୍କୁ କୁମାରୀତ୍ୱ ପରୀକ୍ଷା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ: ହାଇକୋର୍ଟ

ରାୟପୁର: ଛତିଶଗଡ଼ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, କୌଣସି ମହିଳାଙ୍କୁ ତାଙ୍କ କୁମାରୀତ୍ୱ ପରୀକ୍ଷା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ । କାରଣ ଏହା ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ ଥିବା ମୌଳିକ ଅଧିକାର ତଥା ସମ୍ମାନର ଅଧିକାରକୁ ଉଲ୍ଲଂଘନ କରୁଛି। ଅନୁଚ୍ଛେଦ ୨୧କୁ ‘ମୌଳିକ ଅଧିକାରର କେନ୍ଦ୍ର’ ବୋଲି ଅଭିହିତ କରି କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହା ମହିଳାଙ୍କ ଗୋପନୀୟତା ଓ ସ୍ୱାଭାବିକ ନ୍ୟାୟର ମୂଳସିଦ୍ଧାନ୍ତକୁ ମଧ୍ୟ ଆଘାତ ଦେଇଥାଏ।

ଏହି ନିର୍ଦ୍ଦେଶ ଜଷ୍ଟିସ୍ ଅରବିନ୍ଦ କୁମାର ବର୍ମାଙ୍କ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଅପରାଧିକ ଆବେଦନର ଜବାବରେ ଦିଆଯାଇଛି। ସେ ତାଙ୍କ ପତ୍ନୀଙ୍କ କୁମାରୀତ୍ୱ ପରୀକ୍ଷା ଦାବି କରି ଆବେଦନ କରିଥିଲେ। ତାଙ୍କ ଅଭିଯୋଗ ଥିଲା ଯେ, ତାଙ୍କ ପତ୍ନୀ ଅନ୍ୟ ଜଣେ ପୁରୁଷଙ୍କ ସହ ଅବୈଧ ସମ୍ପର୍କରେ ରହିଛନ୍ତି। ଏହି ଆବେଦନ ପାରିବାରିକ ଅଦାଲତର ଗତ ଅକ୍ଟୋବର ୧୫, ୨୦୨୪ର ଆଦେଶକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିଲା । ଯେଉଁଠି ତାଙ୍କର ଅନ୍ତରୀଣ ଆବେଦନ ଖାରଜ ହୋଇଥିଲା। ଅନ୍ୟପକ୍ଷରେ, ପତ୍ନୀ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ୱାମୀ ପୁରୁଷତ୍ୱହୀନ ଏବଂ ସହବାସ କରିବାକୁ ମନା କରିଛନ୍ତି।

ହାଇକୋର୍ଟ କହିଛନ୍ତି ଯେ, ଯଦି ଆବେଦନକାରୀ ପୁରୁଷତ୍ୱହୀନତା ଅଭିଯୋଗକୁ ମିଛ ବୋଲି ପ୍ରମାଣ କରିବାକୁ ଚାହାଁନ୍ତି, ତେବେ ସେ ନିଜେ ଚିକିତ୍ସା ପରୀକ୍ଷା କରାଇ ପାରନ୍ତି କିମ୍ବା ଅନ୍ୟ କୌଣସି ପ୍ରମାଣ ଉପସ୍ଥାପନ କରିପାରନ୍ତି। କିନ୍ତୁ ନିଜ ପ୍ରମାଣର ଅଭାବ ପୂରଣ ପାଇଁ ପତ୍ନୀଙ୍କୁ କୁମାରୀତ୍ୱ ପରୀକ୍ଷା ପାଇଁ ବାଧ୍ୟ କରିବାର ଅନୁମତି ଦିଆଯାଇ ପାରିବ ନାହିଁ। ଗତ ଜାନୁଆରୀ ୯ରେ ଦିଆଯାଇଥିବା ଏହି ଆଦେଶ ନିକଟରେ ସାର୍ବଜନୀନ ହୋଇଛି।

କୋର୍ଟ ଆହୁରି ଉଲ୍ଲେଖ କରିଛନ୍ତି ଯେ, ପତ୍ନୀଙ୍କ କୁମାରୀତ୍ୱ ପରୀକ୍ଷା ଦାବି କରାଯାଇଥିବା ଆବେଦନ ସମ୍ବିଧାନ ବିରୋଧୀ, କାରଣ ଏହା ଅନୁଚ୍ଛେଦ ୨୧ ଅଧୀନରେ ମହିଳାଙ୍କ ସମ୍ମାନର ଅଧିକାରକୁ କ୍ଷତି ପହଞ୍ଚାଇଥାଏ।

ଏହି ଦମ୍ପତି ୨୦୨୩ ମସିହା ଏପ୍ରିଲ ୩୦ରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ। କୋରବା ଜିଲ୍ଲାରେ ସ୍ୱାମୀଙ୍କ ପରିବାର ସହ ରହୁଥିଲେ। ପତ୍ନୀ ତାଙ୍କ ପରିବାରକୁ କହିଥିଲେ ଯେ, ତାଙ୍କ ସ୍ୱାମୀ ପୁରୁଷତ୍ୱହୀନ ଏବଂ ସେ ବୈବାହିକ ସମ୍ପର୍କ ସ୍ଥାପନ କିମ୍ବା ସହବାସ କରିବାକୁ ମନା କରିଛନ୍ତି। ଗତ ବର୍ଷ ଜୁଲାଇ ୨ରେ ସେ ରାୟଗଡ଼ ଜିଲ୍ଲାର ପରିବାରିକ ଅଦାଲତରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ)ର ଧାରା ୧୪୪ ଅଧୀନରେ ଏକ ଅନ୍ତରୀଣ ଆବେଦନ ଦାଖଲ କରି ସ୍ୱାମୀଙ୍କଠାରୁ ୨୦,୦୦୦ ଟଙ୍କା ଭରଣପୋଷଣ ଦାବି କରିଥିଲେ।

ଏହାର ଜବାବରେ ସ୍ୱାମୀ ଅଭିଯୋଗ କରିଥିଲେ ଯେ, ତାଙ୍କ ପତ୍ନୀ ତାଙ୍କ ଭିଣୋଇଙ୍କ ସହ ଅବୈଧ ସମ୍ପର୍କରେ ଅଛନ୍ତି ଏବଂ ବିବାହ କେବେ ପୂର୍ଣ୍ଣାଙ୍ଗ ହୋଇନାହିଁ। ସେ ପତ୍ନୀଙ୍କ କୁମାରୀତ୍ୱ ପରୀକ୍ଷା ଦାବି କରିଥିଲେ। ଗତ ଅକ୍ଟୋବର ୧୫ରେ ରାୟଗଡ଼ ପରିବାରିକ ଅଦାଲତ ଏହି ଦାବି ନାମଞ୍ଜୁର କରିବା ପରେ ସ୍ୱାମୀ ହାଇକୋର୍ଟରେ ଅପରାଧିକ ଆବେଦନ ଦାଖଲ କରିଥିଲେ। ବର୍ତ୍ତମାନ ଏହି ମାମଲା ପାରିବାରିକ ଅଦାଲତରେ ପ୍ରମାଣ ପର୍ଯ୍ୟାୟରେ ରହିଛି।

ହାଇକୋର୍ଟ ମତ ଦେଇଛନ୍ତି ଯେ, ଉଭୟ ପକ୍ଷଙ୍କ ଅଭିଯୋଗ ପ୍ରମାଣ ଉପରେ ନିର୍ଭର କରେ ଏବଂ ପ୍ରମାଣ ପରେ ହିଁ ନିଷ୍କର୍ଷ ନିଆଯାଇ ପାରିବ। କୋର୍ଟ ଆହୁରି କହିଛନ୍ତି, “ଆମର ବିଚାରରେ ପାରିବାରିକ ଅଦାଲତର ଆଦେଶ ଅବୈଧ କିମ୍ବା ଭ୍ରମାତ୍ମକ ନୁହେଁ ଏବଂ ଏଥିରେ କୌଣସି ନ୍ୟାୟିକ ତ୍ରୁଟି ହୋଇନାହିଁ।”

Comments are closed.