ମୃତ୍ୟୁ ପରେ ବି ଜୀବନ୍ତ କରି ରଖିବାର ଇଚ୍ଛା, ସ୍ୱାମୀଙ୍କ ପ୍ରତିମୂର୍ତ୍ତି କରି ସେଥିରେ ପ୍ରାଣ ପ୍ରତିଷ୍ଠା କଲେ ସ୍ତ୍ରୀ
ରାୟଗଡ଼ା: ମୃତ୍ୟୁ ପରେ ବି ଅମର ସ୍ଵାମୀ । ନିର୍ମଳ ଚେହେରା, ସୁନ୍ଦର ଠାଣି ଏବଂ ସ୍ଵାମୀଙ୍କ ହସ ହସ ମୁହଁ ଦେଖି ସତେ ଯେମିତି ସବୁ ଦୁଃଖ ଭୁଲିଯାଉଛନ୍ତି ସ୍ତ୍ରୀ । ଏ ମୁର୍ତ୍ତି ହେଉଛି ରାୟଗଡା ଜିଲ୍ଲା ମୁନିଗୁଡ଼ାର ଜଣେ ଡାକ୍ତର ସମୀର ରାୟଙ୍କର । ସ୍ଵାମୀଙ୍କ ବିୟୋଗ ପରେ ଏତେ ବଡ ଦୁନିଆରେ କେମିତି ଏକା ବଞ୍ଚିବେ ଭାବି ପତ୍ନୀ ସାଗରିକା ରାୟ ସ୍ୱାମୀଙ୍କର ଏପରି ଏକ ସିଲିକନ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । କେବଳ ଯେ ନିର୍ମାଣ କରିଛନ୍ତି ତା’ ନୁହେଁ ମୁର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ମଧ୍ୟ କରିଛନ୍ତି । ଯାହା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ପଶ୍ଚିମବଙ୍ଗରୁ ଆସି ମୁନିଗୁଡା ତଥା ଆଖପାଖ ଅଞ୍ଚଳରେ ଗାଁକୁ ଗାଁ ବୁଲି ଲୋକଙ୍କ ବିଭିନ୍ନ ରୋଗର ଚିକିତ୍ସା କରି ଲୋକମାନଙ୍କ ମନରେ ଏକ ଛୋଟ ଜାଗା ବନେଇ ପାରିଥିଲେ ଡାକ୍ତର ସମୀର ରାୟ । ହେଲେ ଗତ ଦୁଇ ବର୍ଷ ତଳେ ଡାକ୍ତର ସମୀର ହଠାତ ଅସୁସ୍ଥ ହୋଇପଡ଼ିଥିଲେ l ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ପରିବାର ଲୋକେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସମୀରଙ୍କ ମୃତ୍ୟୁ ହୋଇଥିଲl । ଅନ୍ୟପଟେ ନିଜ ସ୍ୱାମୀଙ୍କୁ ହରାଇ ସ୍ତ୍ରୀ, ପୁଅ-ଝିଅ ସମସ୍ତେ ଭାଙ୍ଗି ପଡ଼ିଥିଲେ। ଏତେ ବଡ଼ ଘରଟା ଭିତରେ ସତେ ଯେମିତି ଅସହାୟ ଅନୁଭବ କରିଥିଲେ ପରିବାର ଲୋକେ ।
ଫଳରେ ସ୍ୱାମୀଙ୍କୁ ଘରେ ହିଁ ସ୍ଥାପନ କରି ରଖିବାକୁ ଇଚ୍ଛା କରିଥିଲେ ସାଗରିକା। ଏଥିପାଇଁ ଦୁଇ ବର୍ଷ ପରେ ସିଲିକନ ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ମନସ୍ତ କରିଥିଲେ। ଏଥିପାଇଁ ଧାର କରଜ କରିବା ସହ ନିଜ ସୁନାଗହଣା ବିକ୍ରି କରି ପ୍ରତିମୂର୍ତ୍ତିଟିଏ ଗଢି ତୋଳିଛନ୍ତି। ତା ସାଙ୍ଗକୁ ପ୍ରାଣ ପ୍ରତିଷ୍ଠା କରି ବର୍ତମାନ ନିଜକୁ ପୂର୍ଣ୍ଣ ଅନୁଭବ କରୁଥିବା ପ୍ରକାଶ କରିଛନ୍ତି ସ୍ତ୍ରୀ ସାଗରିକା ଓ ପୁଅ-ଝିଅ l
ତେବେ ସ୍ବାମୀଙ୍କ ଦେହାନ୍ତ ପରେ ସ୍ତ୍ରୀ ସାଗାରିକା ଏବେ ଗୋଟିଏ ମେଡିକାଲ ଷ୍ଟୋର କରି ପରିବାରର ଗୁଜୁରାଣ ମେଣ୍ଟାଇବା ସହ ଦୁଇ ପୁଅ ଝିଅଙ୍କୁ ଉଚ୍ଚ ଶିକ୍ଷା ପଢ଼ାଇ ଭଲ ମଣିଷ କରି ସ୍ଵାମୀଙ୍କ ସ୍ବପ୍ନ ପୁରଣ କରିବା ନେଇ ଅଣ୍ଟା ଭିଡିଛନ୍ତି।
Comments are closed.