ଭୁବନେଶ୍ୱର: ଓଡ଼ିଶା ସରକାର ଶୁକ୍ରବାର ଦିନ ବ୍ୟବସାୟୀ ଓ ଦୋକାନୀମାନଙ୍କୁ ଚେତାବନୀ ଦେଇଛନ୍ତି। ଯଦି ସେମାନେ ନିଜ ଦୋକାନରେ ବା ବ୍ୟବସାୟିକ ପ୍ରତିଷ୍ଠାନରେ ଥିବା ସାଇନବୋର୍ଡରେ ଓଡ଼ିଆ ଭାଷା ବ୍ୟବହାର ନ କରିବେ, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏ ନେଇ ଏକ ଅଭିଯାନ ଆରମ୍ଭ କରିଛି । ଯେଉଁଥିରେ ସବୁ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ସାଇନବୋର୍ଡ ଲାଗିବା ନିଶ୍ଚିତ କରାଯିବ।
ଏହି ଅଭିଯାନ ଅଂଶରୂପେ ରାଜ୍ୟର ବିଭିନ୍ନ ସ୍ଥାନରେ ସଚେତନତା ରାଲି କରାଯାଇଛି। ଏପ୍ରିଲ ୧ ତାରିଖରୁ ‘ଉତ୍କଳ ଦିବସ’ ଆରମ୍ଭ ହୋଇ ଏପ୍ରିଲ ୧୪ ତାରିଖ ଯାଏ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ‘ଓଡ଼ିଆ ପକ୍ଷ’ ପାଳନ କରାଯାଉଛି। ରାଜଧାନୀରେ ଏକ ରାଲିର ଉଦ୍ଘାଟନ କରି ଶ୍ରମ, ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ବ୍ୟବସାୟୀମାନଙ୍କୁ ସ୍ପଷ୍ଟ ଓ ସଠିକ୍ ଭାବେ ଓଡ଼ିଆରେ ସାଇନବୋର୍ଡ ଲେଖିବାକୁ ଅନୁରୋଧ କରିଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ମାତୃଭାଷା ଏକ ରାଜ୍ୟର ଅସ୍ତିତ୍ୱ ଓ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ଲାଗି ସରକାର ବିଶେଷ ପଦକ୍ଷେପ ନେଉଛନ୍ତି। ସରକାରୀ ସୂଚନା ଅନୁସାରେ, ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ (୧୯୫୬) ଅନୁଯାୟୀ ସାଇନବୋର୍ଡ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ଏହାକୁ ଉଲ୍ଲଂଘନ କଲେ ମାମଲା ରୁଜୁ ହୋଇପାରେ ଓ ଜୋରିମାନା ଲାଗିବ।
ବିଭାଗ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ଏପର୍ଯ୍ୟନ୍ତ ଓଡ଼ିଆରେ ସାଇନବୋର୍ଡ ଲେଖି ନାହାନ୍ତି, ସେମାନେ ଶୀଘ୍ର ଏହା କରନ୍ତୁ। ଓଡ଼ିଆ ପରିଚୟ ଓ ଭାଷାକୁ ପ୍ରୋତ୍ସାହନ ଦେବା ରାଜ୍ୟର ଲକ୍ଷ୍ୟ ବୋଲି ମନ୍ତ୍ରୀ ସମସ୍ତଙ୍କୁ ଏଥିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।
Comments are closed.