ଭୁବନେଶ୍ୱର: ୱାକଫ ବିଲ୍ ସପକ୍ଷରେ ବିଜେଡି ସାଂସଦ ସସ୍ମିତ ପାତ୍ର ଭୋଟ୍ ଦେବାକୁ ନେଇ ଦଳ ଭିତରେ ବଢୁଛି ଅସନ୍ତୋଷ। ପ୍ରଫୁଲ୍ଲ ସାମଲ କାର୍ଯ୍ୟାନୁଷ୍ଠାନ ଦାବି କରି ନବୀନଙ୍କୁ ଚିଠି ଲେଖିଥିବା ବେଳେ ଆଜି ପୁଣି ଥରେ ସସ୍ମିତଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଧାୟକ ବଦ୍ରି ପାତ୍ର। ୱାକଫ୍ ସଂଶୋଧନ ବିଲ୍କୁ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ବିଜେଡିରେ ଦେଖା ଦେଇଛି ଦଳୀୟ କନ୍ଦଳ। ପଦାରେ ପଡିଛି ବିଜେଡି ଦୁଇ ଫାଳ ହେବାର କଥା। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବଡ଼ ବଡ଼ିଆ ନେତା।
ଏହାକୁ ନେଇ ଗୋଟେ ପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦେଇଛନ୍ତି ବିସ୍ଫୋରକ ବୟାନ। ଅନ୍ୟପଟେ କଂଗ୍ରେସ ନେତା ତାରା ବାହିନୀପତି ମଧ୍ୟ ବିସ୍ଫୋରକ ବୟାନ ଦେଇଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଦଳକୁ ପଛରେ ରହି ଚଲାଉଥିବା ଡାଇରେକ୍ଟର ପାର୍ଟି ଛାଡ଼ି ପଳେଇବା ଯୋଜନାରେ ଅଛନ୍ତି। ଓଡ଼ିଶା ସହ ଭାରତ ଛାଡ଼ି ପଳାଇବେ ପାଣ୍ଡିଆନ। ପାଣ୍ଡିଆନଙ୍କ କଣ୍ଟ୍ରୋଲ ବାହାରକୁ ଦଳ ଚାଲି ଗଲାଣି, ଦଳ ଆଉ କାହା କଣ୍ଟ୍ରୋଲରେ ନାହିଁ, ଯାହାକି ଏବେର ଘଟଣାରୁ ଜଣାପଡ଼ିଗଲା।
ପାଣ୍ଡିଆନ ଆକ୍ସନ ଭୟରେ ବିପଦ ଅନୁଭବ କଲେଣି ତେଣୁ ସେ ଭାରତ ଛାଡ଼ିବା ଉଦ୍ଦେଶ୍ୟରେ ଅଛନ୍ତି। ସେଥିପାଇଁ ବିଜେଡିରେ ଲିଡରସିପ୍ କ୍ରାଇସିସ ଦେଖାଦେଲାଣି। ତାଙ୍କ ଦଳରେ ହେଉଥିବା ଖେଳ ବାବଦରେ ବଦ୍ରି ପାତ୍ର ଓ ପ୍ରଫୁଲ୍ଲ ସାମଲଙ୍କ ଭଳି ବରିଷ୍ଠ ନେତା ମାନେ କହି ସାରିଲେଣି। ଆଗାମୀ ଦିନରେ ଅନେକ କିଛି ହେବ, ଦେଖିବାକୁ ବାକି ରହିଲା ଅପେକ୍ଷା କରନ୍ତୁ ବୋଲି କହିଲେ ମନ୍ତ୍ରୀ।
ଅନ୍ୟପଟେ ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ବିଜେଡିରେ ବିରାଟ ଫାଙ୍କ, ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ ହୋଇଛନ୍ତି ବୋଲି କହିଲେ ତାରା। ଡ୍ରାମା କରୁଛି ବିଜେଡି, ୨୦୦୦ ମସିହାରୁ ବିଜେପି ସହ ଅଛି ବିଜେଡି। ସରକାର ବିଜେଡିର ନାହିଁ କିନ୍ତୁ ସଂସଦରେ ସମର୍ଥନ ଦେଉଛନ୍ତି। ହଜାର ହଜାର କୋଟିର ମାଇନ୍ସ ସ୍କାମ୍ ହୋଇଛି, ଯାହାକୁ ନେଇ ଭୟରେ ଅଛି ବିଜେଡି। ନବୀନ ବାବୁଙ୍କ ବିଜେପି ପ୍ରତି ପ୍ରେମ ନୁହେଁ ଭୟ ରହିଛି ବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି।
Comments are closed.