ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ଓ୍ଵାକଫ (ସଂଶୋଧନ) ବିଲ୍ ୨୦୨୫କୁ ମଞ୍ଜୁରୀ ଦେଇଛନ୍ତି। ଏହା ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ଦୀର୍ଘ ଆଲୋଚନା ପରେ ଏହି ବିଲ୍ ପାସ୍ ହୋଇଥିଲା। ଏବେ ଏହା ଆଇନରେ ପରିଣତ ହୋଇଛି। ଏହା ସହିତ ମୁସଲମାନ ଓ୍ଵାକଫ (ରଦ୍ଦ) ବିଲ୍ ୨୦୨୫କୁ ମଧ୍ୟ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। କେନ୍ଦ୍ର ସରକାର ଏହି ନୂଆ ଆଇନ କେବେ ଲାଗୁ ହେବ, ତାହା ଗେଜେଟ୍ ଜାରି କରି ଜଣାଇବେ।
ଏହି ନୂଆ ଓ୍ଵାକଫ ଆଇନ ଭାରତରେ ଓ୍ଵାକଫ ସମ୍ପତ୍ତିର ଉନ୍ନତ ପରିଚାଳନା ପାଇଁ କାମ କରିବ। ୧୯୯୫ର ଓ୍ଵାକଫ ଆଇନକୁ ଏହା ବଦଳାଇବ। ଗତ ବର୍ଷ ଅଗଷ୍ଟରେ ଏହି ବିଲ୍ ପାର୍ଲିମେଣ୍ଟରେ ଆଗତ ହୋଇଥିଲା। କିନ୍ତୁ ବିରୋଧୀ ଦଳ ଓ କିଛି ମୁସଲିମ ସଂଗଠନର ବିରୋଧ ପରେ ଏହାକୁ ଜଏଣ୍ଟ ପାର୍ଲିମେଣ୍ଟାରୀ କମିଟି (ଜେପିସି)କୁ ପଠାଯାଇଥିଲା। ବିଜେପି ସାଂସଦ ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ଏହି କମିଟି ଅନେକ ଦିନ ଆଲୋଚନା କରିଥିଲେ। ଶେଷରେ ଏପ୍ରିଲ୍ ୨ ତାରିଖରେ ବଜେଟ୍ ଅଧିବେଶନରେ ବିଲ୍ ଉପସ୍ଥାପିତ ହୋଇଥିଲା।
ଏପ୍ରିଲ୍ ୩ ତାରିଖ ରାତିରେ ଲୋକସଭାରେ ୧୨ ଘଣ୍ଟା ଚାଲିଥିବା ବିତର୍କ ପରେ ଏହି ବିଲ୍ ପାସ୍ ହୋଇଥିଲା। ୨୮୮ ସାଂସଦ ଏହାକୁ ସମର୍ଥନ କରିଥିବା ବେଳେ ୨୩୨ ଜଣ ବିରୋଧ କରିଥିଲେ। ଏପ୍ରିଲ୍ ୪ ତାରିଖ ସକାଳେ ରାଜ୍ୟସଭାରେ ୧୨୮ ସଦସ୍ୟ ପକ୍ଷରେ ଓ ୯୫ ଜଣ ବିପକ୍ଷରେ ଭୋଟ୍ ଦେଇଥିଲେ।
ବିରୋଧୀ ଦଳମାନେ ଏହି ଆଇନକୁ ସମ୍ବିଧାନ ବିରୋଧୀ ଓ ମୁସଲିମଙ୍କ ପ୍ରତି ଭେଦଭାବ ବୋଲି କହିଛନ୍ତି। କିନ୍ତୁ କେନ୍ଦ୍ର ସରକାର କହିଛନ୍ତି, ଏହା ମୁସଲିମ ବିରୋଧୀ ନୁହେଁ। ଓ୍ଵାକଫ ସମ୍ପତ୍ତି ପରିଚାଳନାରେ ସ୍ୱଚ୍ଛତା ଆଣିବା ଏହାର ଲକ୍ଷ୍ୟ। ନୂଆ ଆଇନ ଅନୁସାରେ, ଓ୍ଵାକଫ ପରିଷଦରେ ସର୍ବାଧିକ ୪ ଜଣ ଅଣ-ମୁସଲିମ ସଦସ୍ୟ ରହିବେ, ଯେଉଁଥିରେ ୨ ଜଣ ମହିଳା ମଧ୍ୟ ଥାଇପାରିବେ। ଏହା ସହ ଜିଲ୍ଲାପାଳଙ୍କ ଉପରେ ରାଙ୍କର ଅଧିକାରୀ ଏବେ ସମ୍ପତ୍ତି ଓ୍ଵାକଫ କି ସରକାରୀ ତାହାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
ଏହି ଆଇନକୁ ନେଇ କଂଗ୍ରେସ ସାଂସଦ ମହମ୍ମଦ ଜାୱେଦ, ଏଆଇଏମଆଇଏମ ସାଂସଦ ଆସଦୁଦ୍ଦିନ ଓୱେସୀ ଓ ଆମ୍ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନ ସୁପ୍ରିମକୋର୍ଟରେ ଅଲଗା ଅଲଗା ମାମଲା ଦାୟର କରିଛନ୍ତି। ସେମାନେ କହିଛନ୍ତି, ଏହା ମୁସଲିମଙ୍କ ମୌଳିକ ଅଧିକାରର ଉଲ୍ଲଂଘନ। ଏନଡିଏ ମେଣ୍ଟରେ ମଧ୍ୟ ଏହା ବିଭେଦ ଆଣିଛି। ନୀତୀଶ କୁମାରଙ୍କ ଜେଡିୟୁ ଦଳର ୫ ଜଣ ବରିଷ୍ଠ ନେତା ଶୁକ୍ରବାର ଦିନ ଇସ୍ତଫା ଦେଇଛନ୍ତି। ବିହାରରେ ଏହି ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ଏକ ବଡ଼ ଘଟଣା।
Comments are closed.