Latest Odisha News

BREAKING NEWS

ଟାରିଫ୍ ଛାଟ…ସେୟାର ବଜାରରେ ବ୍ଲାକ୍ ମଣ୍ଡେ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଟାରିଫ୍ ଯୋଗୁଁ ଷ୍ଟକ ମାର୍କେଟରେ ବ୍ଲଡ ବାଥ୍ । ଭାରତର ସେୟାର ବଜାରରେ ବ୍ଲାକ ମଣ୍ଡେ । ୧୦ସେକେଣ୍ଡରେ ଉଡିଗଲା ୨୦ଲକ୍ଷ କୋଟି । କେବଳ ଭାରତ ନୁହେଁ ବିଶ୍ବ ବଜାରରେ ହାହାକାର । ଟ୍ରମ୍ପଙ୍କ ଟାରିଫ ଘୋଷଣା ଯୋଗୁଁ ସେୟାର ବଜାରରେ ସୁନାମୀ। ସପ୍ତାହର ପ୍ରଥମ ଦିନରେ ଭାରତୀୟ ସେୟାର ମାର୍କେଟ ଖୋଲୁଖୋଲୁ ସେନସେକ୍ସ ୩ହଜାରରୁ ଅଧିକ ପଏଣ୍ଟ ଖସିଥିଲା । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ମଧ୍ୟ ୧୧ଶହ ପଏଣ୍ଟ ହ୍ରାସ ପାଇଥିଲା। କେବଳ ଭାରତ ନୁହେଁ ପୂରା ବିଶ୍ବ ବଜାରରେ ଟ୍ରମ୍ପଙ୍କ ଟାରିଫର ଗୁରୁତର ପ୍ରଭାବ ଦେଖିବାକୁ ମିଳିଛି । ତେବେ ପ୍ରଶ୍ନ ଉଠୁଛି, ବଡ଼ ବିପଦ ଆଣିବ କି ଟ୍ରମ୍ପଙ୍କ ଟାରିଫ ନିଷ୍ପତି?

ସେୟାର ବଜାରରେ ଟାରିଫ ପ୍ରଭାବ

ସୋମବାର ଭାରତୀୟ ସେୟାର ବଜାରରେ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି । ଫଳରେ ନିବେଶକଙ୍କୁ ବିପୁଳ କ୍ଷତି ସହିବାକୁ ପଡିଛି । ମାତ୍ର ୧୦ସେକେଣ୍ଡରେ ପ୍ରାୟ ୨୦ଲକ୍ଷ କୋଟି କ୍ଷତି ହୋଇଛି । କେବଳ ଭାରତୀୟ ବଜାର ନୁହେଁ ପୂରା ବିଶ୍ବ ବଜାରରେ ଟ୍ରମ୍ପଙ୍କ ଟାରିଫର ପ୍ରଭାବ ଦେଖିବାକୁ ମିଳିଛି । ଏସିଆ ବଜାରରେ ଭୟଙ୍କର ହ୍ରାସ ଦେଖାଦେଇଛି । ହଂକଂର ହାଙ୍ଗସେଙ୍ଗ ଇଣ୍ଡେକ୍ସ ବଜାରରେ ୯.୨୪%, ଜାପାନର ନିକେଇ ୭%ରୁ ଅଧିକ, ଦକ୍ଷିଣ କୋରିଆର କୋସ୍ପି ୫%ରୁ ଅଧିକ ଖସିଛି । ସେହିପରି ସିଙ୍ଗାପୁର ବଜାର ୭%, ଚୀନ୍ ମାର୍କେଟ ୫.୫% ଓ ମାଲେସିଆ ବଜାର ୪.୨% ଖସିଛି । ସେୟାର ମାର୍କେଟରେ ହାହାକାର ପଛରେ ଟ୍ରମ୍ପଙ୍କ ଟାରିଫକୁ ଦାୟୀ କରାଯାଉଛି । ଟାରିଫକୁ ନେଇ ଆମେରିକା ଓ ଚୀନ୍ ମୁହାଁମୁହିଁ ହୋଇଥିବା ବେଳେ ଏହାର ପ୍ରଭାବ ସେୟାର ବଜାରରେ ଦେଖିବାକୁ ମିଳୁଛି ।

ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟ…ମାନ୍ଦାବସ୍ଥା ଆଶଙ୍କା

ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଘୋଷଣା ପରଠୁ ସାରା ବିଶ୍ବର ପ୍ରମୁଖ ବଜାରରେ ଜୋରଦାର ବିକ୍ରି ଦେଖିବାକୁ ମିଳିଛି। ଏହାଦ୍ବାରା ଅନେକ ବଡ କମ୍ପାନୀର ସେୟାର ପ୍ରଭାବିତ ହୋଇଛି । ଟ୍ରମ୍ପ ପ୍ରଶାସନ ନିଜ ଟାରିଫ ନୀତିରୁ ପଛରୁ ହଟିବା ନେଇ ଏପର୍ଯ୍ୟନ୍ତ କୌଣସି ସଙ୍କେତ ଦେଇନାହାନ୍ତି। ରବିବାର ପାରସ୍ପରିକ ଆମଦାନୀ ଶୁଳ୍କକୁ ଔଷଧ କହିବା ସହ କିଛି ଠିକ୍ କରିବାକୁ ହେଲେ ଔଶଧ ନେବାକୁ ପଡେ ବୋଲି ଟ୍ରମ୍ପ କହିଥିଲେ । ଏହାସହ ବିଶ୍ବ ବଜାରରେ କ୍ଷତିକୁ ନେଇ ଆଦୌ ଚିନ୍ତିତ ନୁହନ୍ତି ବୋଲି ଟ୍ରମ୍ପ କହିଥିଲେ । ଟାରିଫକୁ ନେଇ ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟ ଯୋଗୁଁ ବଜାରରେ ହଲଚଲ ବଢିଛି ।

ଟ୍ରମ୍ପଙ୍କ ଟାରିଫ ଆଣିବ ମହଙ୍ଗା ମାଡ଼

ଟ୍ରମ୍ପଙ୍କ ଟାରିଫ ଯୋଗୁଁ ମହଙ୍ଗା ମାଡ଼ ନେଇ ଅର୍ଥନୈତିକ ବିଶେଷଜ୍ଞ ଆକଳନ କରିଛନ୍ତି । କର୍ପୋରେଟ୍ ବେନିଫିଟ୍ କମିବା ସହ ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡିବ । ଯାହା ସିଧାସଳଖ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଭାବିତ କରିବ । ଆମେରିକାର ଟାରିଫ୍ ଲଗାଇବା ଓ ପରେ ଚୀନ୍ ଆମେରିକୀୟ ସାମଗ୍ରୀ ଉପରେ ଅତିରିକ୍ତ ଟାରିଫ ଲଗାଇବା ବଡ଼ ବାଣିଜ୍ୟ ଯୁଦ୍ଧ ନେଇ ଚିନ୍ତା ବଢାଇଛି।  ଏଭଳି ହେଲେ ଏହାର ପ୍ରଭାବ ବିଶ୍ବ ଅର୍ଥନୀତି ଉପରେ ଗଭୀର ଭାବେ ପଡିବ । ବିଶ୍ବରେ ମାନ୍ଦାବସ୍ଥା ଆଶଙ୍କାକୁ ୪୦ପ୍ରତିଶତରୁ ବଢାଇ ୬୦ପ୍ରତିଶତ କରିଛି ଜେପି ମୋର୍ଗାନ୍ ।

ଟ୍ରମ୍ପଙ୍କ ଟାରିଫ ଯୋଗୁଁ ସାରା ବିଶ୍ବ ବଜାରରେ ହାହାକାର ରହିଥିବା ବେଳେ ଆମେରିକାର ୫୦ଟି ରାଜ୍ୟରେ ଟ୍ରମ୍ପଙ୍କୁ ଜୋରଦାର  ବିରୋଧ କରାଯାଉଛି । ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇ ଟ୍ରମ୍ପ-ମସ୍କ ଗୋ ବ୍ୟାକ ନାରା ଲଗାଉଛନ୍ତି । ଟାରିଫ, ଅର୍ଥବ୍ୟବସ୍ଥା ଓ ମାନବାଧିକାର ଭଳି ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବିରୋଧ କରାଯାଉଛି । ବିରୋଧକୁ ହ୍ୟାଣ୍ଡସ ଅନ୍ ବା ଆମ ଅଧିକାରଠାରୁ ଦୂରରେ ରୁହ ରଖାଯାଇଛି । ପ୍ରଦର୍ଶନକାରୀ ସେମାନଙ୍କ ଅଧିକାର ଉପରେ କାହାର ନିୟନ୍ତ୍ରଣକୁ ସହ୍ୟ କରାଯିବନି ବୋଲି ସନ୍ଦେଶ ଦେଇଛନ୍ତି । ଟ୍ରମ୍ପଙ୍କ ଟାରିଫ ଯୋଗୁଁ ଆମେରିକାରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପ୍ରାୟ ଶହେ ପ୍ରତିଶତ ମହଙ୍ଗା ହେବ । ଏହାର ସିଧା ପ୍ରଭାବ ଆମେରିକାର ମଧ୍ୟବିତ୍ତଙ୍କ ଉପରେ ପଡିବ । ଖାଦ୍ୟ ସାମଗ୍ରୀଠୁ ଆରମ୍ଭ କରି ଔଷଧ, ଲୁଗା, ପ୍ଲାଷ୍ଟିକ ସାମଗ୍ରୀ, ଗାଡ଼ି ସବୁ ମହଙ୍ଗା ହେବ । ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଆମେରିକୀୟ ।

Comments are closed.