ନୂଆଦିଲ୍ଲୀ: କିଛି ମାସ ପରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । କାହା ସପକ୍ଷରେ ଯିବ ସୀମାଞ୍ଚଳର ୨୪ଟି ବିଧାନସଭା ସିଟ୍? ୨୦୨୦ ନିର୍ବାଚନରେ ଓବେସିଙ୍କ ଦଳ ପାଇଁ କ୍ଷତି ସହିଥିଲା ଆରଜେଡି । ତେବେ ଏଥର ମୁସଲିମ ବହୁଳ ସୀମାଞ୍ଚଳ ରାଜନୀତିର ଗଣିତ ବଦଳାଇବ କି ଓ୍ବକଫ୍ ଆଇନ ? ଆରଜେଡିର ତେଜସ୍ବୀ ଯାଦବ କ୍ଷମତାକୁ ଆସିଲେ ସୀମାଞ୍ଚଳ ଡେଭେଲପମେଣ୍ଟ ଅଥରିଟି ବନାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ମୁସଲିମ ବହୁଳ ଏହି ଅଞ୍ଚଳରେ ହିନ୍ଦୁ ଭୋଟ୍ ଓ ପଛୁଆ ମୁସଲିମଙ୍କ ସମର୍ଥନ ଆଶାରେ ରହିଛି ଶାସକ ଏନଡିଏ ।
କ’ଣ ରହିଛି ସୀମାଞ୍ଚଳ ସମୀକରଣ?
ବିହାରର ସୀମାଞ୍ଚଳ ପଶ୍ଚିମବଙ୍ଗର ଅନ୍ତରାଜ୍ୟ ସୀମା ଓ ନେପାଳ ସହ ଅନ୍ତର୍ଜାତୀୟ ସୀମାରେ ରହିଛି । ବାଂଲାଦେଶ ସୀମାଠାରୁ ମଧ୍ୟ କମ୍ ଦୂରତାରେ ରହିଛି ସୀମାଞ୍ଚଳ। ଏହି ଅଞ୍ଚଳରେ ବିହାରର ୪ଟି ଜିଲ୍ଲା କଟିହାର, ପୂର୍ଣ୍ଣିଆ, ଅରରିଆ ଓ କିଶାନଗଞ୍ଜ ଜିଲ୍ଲା ରହିଛି । ମୁସଲିମ ବହୁଳ ଏହି ୪ଜିଲ୍ଲାରେ ୨୪ଟି ବିଧାନସଭା ସିଟ୍ ରହିଛି । ଜାତି ଜନଗଣନା ତଥ୍ୟ ଅନୁସାରେ ଏଠାରେ ପୂରା ଜନସଂଖ୍ୟାର ୧୮ପ୍ରତିଶତ ମୁସଲିମ ରହିଛନ୍ତି । କିଶାନଗଞ୍ଜରେ ୬୮ପ୍ରତିଶତ, ଅରରିଆରେ ୪୩ ପ୍ରତିଶତ, କଟିହାରରେ ୪୫ପ୍ରତିଶତ ଓ ପୂର୍ଣ୍ଣିଆରେ ୩୯ ପ୍ରତିଶତ ମୁସଲିମ ରହିଛନ୍ତି । ତେଣୁ ଏହି ଅଞ୍ଚଳରେ ରହିଥିବା ୨୪ସିଟରେ ମୁସଲିମ ଭୋଟର ନିର୍ଣ୍ଣାୟକ ଭୂମିକା ନେବେ ।
୨୦୨୦ରେ କ୍ଷତି ସହିଥିଲା ଆରଜେଡି
ସୀମାଞ୍ଚଳକୁ ପୂର୍ବରୁ ଲାଲୁପ୍ରସାଦ ଯାଦବଙ୍କ ଆରଜେଡି ଓ କଂଗ୍ରେସର ଗଡ଼ କୁହାଯାଉଥିଲା । ତେବେ ଗତ ନିର୍ବାଚନରେ ବିଜେପିର ପ୍ରଦର୍ଶନ ଚମକାଇଥିଲା । ମୋଟ୍ ୨୪ରୁ ୮ଟି ସିଟ୍ ଜିତିଥିଲା ବିଜେପି । କଂଗ୍ରେସକୁ ୫, ଜେଡିୟୁକୁ ୪, ସିପିଆଇଏମଏଲ ଓ ଆରଜେଡିକୁ ଗୋଟିଏ ଲେଖାଏଁ ସିଟ୍ ମିଳିଥିଲା। ସେତେବେଳେ ଅସଦ୍ଦୁଦିନ ଓବେସିଙ୍କ ଏଆଇଏମଆଇଏମ ୫ଟି ସିଟରେ ବିଜୟୀ ହୋଇଥିଲା । ଓବେସିଙ୍କ ଦଳ ପାଇଁ ହିଁ ଆରଜେଡି ଏହି ଅଞ୍ଚଳରେ କ୍ଷତି ସହିଥିଲା । କାରଣ ୫ଟି ସିଟ୍ ଜିତିଥିବା ଏଆଇଏମଆଇଏମ ପ୍ରାର୍ଥୀ ୩ଟି ସିଟରେ ଦ୍ବିତୀୟ ସ୍ଥାନରେ ରହିଥିଲେ ।
କାହା ସପକ୍ଷରେ ଲୋକସଭା ଫଳାଫଳ ?
ଗତବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ସୀମାଞ୍ଚଳ ଫଳାଫଳ ମହାଗଠବନ୍ଧନକୁ ଉତ୍ସାହିତ କରିଥିଲା । ସୀମାଞ୍ଚଳର ମୋଟ୍ ୪ଟି ଲୋକସଭା ସିଟରୁ ୨ଟି ଜିତିଥିଲା ବିରୋଧୀ ମେଣ୍ଟ । ଗୋଟିଏ ସିଟରେ କଂଗ୍ରେସରେ ବିଦ୍ରୋହ କରି ସ୍ବାଧୀନ ପ୍ରାର୍ଥୀ ଭାବେ ଲଢିଥିବା ପପ୍ପୁ ଯାଦବ ନିର୍ବାଚନ ଜିତିଥିଲେ । ଏନଡିଏ ଖାତାକୁ କେବଳ ଅରରିଆ ସିଟ୍ ଯାଇଥିଲା । ପପ୍ପୁ ଯାଦବ ଏବେ କଂଗ୍ରେସ ସମର୍ଥନରେ ରହିଛନ୍ତି । ତେଣୁ ସୀମାଞ୍ଚଳରେ ଲୋକସଭା ନିର୍ବାଚନ ଫଳାଫଳ ମହାଗଠବନ୍ଧନ ସପକ୍ଷରେ ଯାଇଥିଲା ।
ସୀମାଞ୍ଚଳର ଭୋଟ୍ ଗଣିତ ଦେଖିଲେ, ସବୁ ସିଟରେ ହାରାହାରି ୩୬ରୁ ୩୭ପ୍ରତିଶତ ମୁସଲିମ ଭୋଟର ରହିଛନ୍ତି । ଓ୍ବକଫ୍ ଆଇନ ପରେ ଗରୀବ ମୁସଲିମଙ୍କ ସମର୍ଥନ ଆଶାରେ ରହିଛି ଏନଡିଏ । ସେପଟେ ମହାଗଠବନ୍ଧନ ନେତା ମୁସଲିମ ସମାଜ ସହ ଧର୍ମନିରପେକ୍ଷ ଭୋଟରଙ୍କ ସମର୍ଥନ ଆଶା କରୁଛନ୍ତି । ତେବେ ଓ୍ବକଫ୍ ଆଇନ ସୀମାଞ୍ଚଳ ଗଣିତ କେତେ ବଦଳାଇବ ? କାହା ସପକ୍ଷରେ ଯିବ ଭୋଟରଙ୍କ ସମର୍ଥନ? ତାଉପରେ ନଜର ରହିଛି ।
Comments are closed.