ନୂଆଦିଲ୍ଲୀ: ଭାରତରେ ତହବୁର । ଚାଲିଛି ଜେରା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡ୍ଯନ୍ତ୍ରକାରୀ ତହବୁର ରାଣାକୁ ଗୁରୁବାର ରାତିରେ ପଟିଆଲା ହାଉସ୍ କୋର୍ଟ ୧୮ ଦିନ ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ହେପାଜତକୁ ପଠାଇ ଦେବାପରେ ଆଜିଠାରୁ ତାକୁ ଏନଆଇଏ ସ୍ବତନ୍ତ୍ର ସେଲ୍ରେ ଜେରା ଆରମ୍ଭ ହୋଇଛି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ୧୫ ବର୍ଷରୁ ଅଧିକ ସମୟ ପରେ, ଆତଙ୍କବାଦ ବିରୋଧୀ ଏଜେନ୍ସି ଏନଆଇଏ ଏବେ ଜଣେ ପଡ଼ୋଶୀ ବ୍ୟକ୍ତିଙ୍କୁ ଖୋଜୁଛି ଯିଏ ହତ୍ୟାକାଣ୍ଡ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ତହବୁର ରାଣାଙ୍କୁ ଦୁବାଇରେ ଭେଟିଥିଲେ ବୋଲି ଅଭିଯୋଗ ହୋଇଛି। ଏନଆଇଏ ସୂତ୍ର ଅନୁଯାୟୀ, ଏହି ବ୍ୟକ୍ତି ଆକ୍ରମଣ ବିଷୟରେ ଜାଣିଥିଲେ । ଯାହାକୁ ନେଇ ଏବେ ତହବୁର ଠାରୁ ସତ ଓଗାରିବାକୁ ଚାହୁଛି ଏନଆଇଏ । କିଏ ସେହି ବ୍ୟକ୍ତି, ଯିଏ ଦୁବାଇରେ ବସି ଚଲାଇଥିଲା ଆକ୍ରମଣର ଗୋଟି ।
୬୪ ବର୍ଷୀୟ ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ ବ୍ୟବସାୟୀ ଏବଂ ୨୬/୧୧ ଘଟଣାର ଷଡ଼ଯନ୍ତ୍ରକାରୀ ଡେଭିଡ୍ କୋଲମ୍ୟାନ୍ ହେଡଲିଙ୍କ ବିଶ୍ୱସ୍ତ ତହବୁର, ଆମେରିକାରୁ ତାର ଦୀର୍ଘ ପ୍ରତୀକ୍ଷିତ ପ୍ରତ୍ୟର୍ପଣ ପରେ ଏବେ ନୂଆଦିଲ୍ଲୀରେ ଉଚ୍ଚ-ସୁରକ୍ଷା ଏନଆଇଏ ମୁଖ୍ୟାଳୟରେ ଅଛି । ଜାତୀୟ ତଦନ୍ତକାରୀ ସଂସ୍ଥା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତହବୁର ହୁସେନ ରାଣାଙ୍କୁ ଦୁବାଇରେ ଭେଟିଥିବା ବ୍ୟକ୍ତିଙ୍କ ବିଷୟରେ ପଚରାଉଚରା କରିବ । ଯିଏ ୨୬/୧୧ ଆକ୍ରମଣ ବିଷୟରେ ପୂର୍ବରୁ ଜାଣିଥିଲା । ଏହି ବ୍ୟକ୍ତିକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନଥିବା ବେଳେ, ଭାରତର ଇତିହାସର ସବୁଠାରୁ ଖରାପ ଆତଙ୍କବାଦୀ ଆକ୍ରମଣ ମଧ୍ୟରୁ ଗୋଟିଏ ସହିତ ‘ଦୁବାଇ ସମ୍ପର୍କ’ ନେଇ ଅନେକ କିଛି ଓଗାରିବାର ଆଶା ରଖିଛି ।
ତେବେ ତହବୁରକୁ ଆମେରିକା ଏଜେନ୍ସି ଧରିବା ପରେ, ସେ ଦୁବାଇ ବ୍ୟକ୍ତି ବିଷୟରେ ଆମେରିକୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ସୂଚନା ଦେଇଥିଲା ତହବୁର । ଆଉ ତହବୁର ପ୍ରତ୍ୟାର୍ପଣ ବେଳେ ଆମେରିକା ତଦନ୍ତ ଏଜେନ୍ସି ସହ ହୋଇଥିବା ବାର୍ତ୍ତଳାପରେ ଆମେରିକା ଏଜେନ୍ସି ଏନଆଇଏକୁ ତଥ୍ୟ ଦେଇଥିଲେ । ମୁମ୍ବାଇ ଘେରାବନ୍ଦୀ ଆରମ୍ଭ ହେବା ପୂର୍ବରୁ ରାଣା ଦୁବାଇରେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ, କିଏ ସେହି ବ୍ୟକ୍ତି, ଯିଏକି ଆସନ୍ନ ଆକ୍ରମଣ ବିଷୟରେ ପୂର୍ବରୁ ଜାଣିଥିଲେ । ଏମିତିକି ତାଙ୍କ ନିର୍ଦ୍ଦେଶରେ କାମ କରୁଥିଲା ରାଣା । ଯାହାକୁ ନେଇ ଏନଆଇଏ ତଦନ୍ତ କରୁଥିବା ବେଳେ ଏନେଇ ରାଣା ପାଖରୁ ସତ ବାହାରିବା ନେଇ ଚେଷ୍ଟା ଜାରି ରଖିଛି । ସେତେବେଳେ ଏନେଇ ଦୁବାଇରେ କାହା ନିର୍ଦ୍ଦେଶରେ ଏହି ବୈଠକ ହୋଇଥିଲା ଏବଂ ଡେଭିଡ୍ ହେଡଲି ରାଣାକୁ ଏହି ବ୍ୟକ୍ତିକୁ ଭେଟିବାକୁ କହିଥିଲେ କି ନାହିଁ ତାହା ଜାଣିବାକୁ ଏନଆଇଏ ରାଣାଠାରୁ ଜାଣିବାକୁ ଚେଷ୍ଟା କରିବ ।
ଏନଆଇଏ ଏହା ମଧ୍ୟ ତଦନ୍ତ କରିବ ଯେ, ମୁମ୍ବାଇ ଆକ୍ରମଣ ହୋଇଥିବା ମାସ ହୋଇଥିଲେ ମଧ୍ୟ, କାହିଁକି ରାଣା ଏବଂ ହେଡଲି ନଭେମ୍ବର ୨୦୦୮ରେ ସେମାନଙ୍କର ମୁମ୍ବାଇ କାର୍ଯ୍ୟାଳୟର ଲିଜ୍ ନବୀକରଣ କରିନଥିଲେ । ଲିଜ୍ ନବୀକରଣ ନକରିବା ପଛରେ କୌଣସି ଷଡ଼ଯନ୍ତ୍ର ଥାଇପାରେ ବୋଲି ଏଜେନ୍ସି ସନ୍ଦେହ କରୁଛି । ଏନଆଇଏ ଦ୍ବାରା କରାଯାଇଥିବା ଏହି ପଚରାଉଚରା ୨୬/୧୧ ଆକ୍ରମଣ ସହ ଜଡିତ ଗଭୀର ସୂଚନା ସଂଗ୍ରହ ଏବଂ ଆକ୍ରମଣର ସମ୍ପୂର୍ଣ୍ଣ ଷଡଯନ୍ତ୍ରକୁ ବୁଝିବାରେ ସାହାଯ୍ୟ କରିପାରିବ ।
ଏନଆଇଏ ସୂତ୍ର ଅନୁଯାୟୀ, ହେଡଲି ଯିଏକି ଦାଉଦ ଗିଲାନି ନାମରେ ମଧ୍ୟ ଜଣାଶୁଣା, ୨୦୦୮ରେ ରାଣାକୁ ସେ ଭାରତ ଯାତ୍ରା ନକରିବାକୁ ସ୍ପଷ୍ଟ ଭାବରେ ଚେତାବନୀ ଦେଇଥିଲା । ଆସନ୍ନ ଆତଙ୍କବାଦୀ କାର୍ଯ୍ୟକଳାପର ଇଙ୍ଗିତ ଦେଇଥିଲା । ହେଡଲି ଅଭିଯୋଗ ଅନୁଯାୟୀ ରାଣାଙ୍କୁ ଦୁବାଇରେ ଜଣେ ସହ-ଷଡ଼ଯନ୍ତ୍ରକାରୀଙ୍କୁ ଭେଟିବା ପାଇଁ ବ୍ୟବସ୍ଥା କରରାଯାଇଥିଲା, ଯିଏ ଆକ୍ରମଣକୁ ଆସନ୍ନ ବୋଲି ନିଶ୍ଚିତ କରିଥିଲା । ଏମିତିକି ମୁମ୍ବାଇରେ ରେକି କରି ତଥ୍ୟ ହେଡଲି ପାଖକୁ ପହଞ୍ଚାଇବାରେ ମଧ୍ୟ ସାହାର୍ଯ୍ୟ କରିଥିଲେ । ଯାହାକୁ ନେଇ ଏବେ କର୍ତ୍ତୃପକ୍ଷ ଯାଞ୍ଚ କରୁଛନ୍ତି ଯେ, ଏହି ବ୍ୟକ୍ତି ପାକିସ୍ତାନର ସାମରିକ ଗୁଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ଆଇଏସଆଇ) କିମ୍ବା ପାକିସ୍ତାନୀ ସେନାର ଜଣେ ବରିଷ୍ଠ ବ୍ୟକ୍ତି, କିମ୍ବା ପାକିସ୍ତାନରୁ କାର୍ଯ୍ୟ କରୁଥିବା ଏକ ନିର୍ଦ୍ଧିଷ୍ଟ ଆତଙ୍କବାଦୀ ଗୋଷ୍ଠୀର ନେତା ସହିତ ଜଡିତ ଥିଲେ କି ନାହିଁ । ଯାହାର ତଥ୍ୟ ଆଗକୁ ଭାରତ ପାଇଁ ବଡ ସଫଳତା ଦେଇପାରେ ।
Comments are closed.