ଭୁବନେଶ୍ବର: ଆଜି ରାଜ୍ୟ ରାଜଧାନୀର ଜନ୍ମଦିନ । ୭୭ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ବର । ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖ ଆଜିର ଦିନରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି । ଆଜିର ଦିନରେ ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ୱାରା ରାଜଧାନୀ ପ୍ରତିଷ୍ଠା ଫଳକ ସ୍ଥାପନ କରାଯାଇଥିଲା ।
ସମୟ ସହିତ ତାଳ ଦେଇ ବୃଦ୍ଧି ପାଇଛି ଭୁବନେଶ୍ବରର କଳେବର । ବିକାଶ ଧାରାରେ ସାମିଲ ହୋଇ ଦେଶର ୧ନମ୍ବର ସ୍ମାର୍ଟସିଟିର ମାନ୍ୟତା ହାସଲ କରିଛି । ସହରର ଆକାର ବଢିବା ସହ ୭୭ ବର୍ଷ ଭିତରେ ନୂଆ ରୂପ ପାଇଛି ରାଜଧାନୀ । ପୂର୍ବରୁ ଏହାର ଜନସଂଖ୍ୟା ୧୫ ହଜାର ଥିବାବେଳେ ଏବେ ଏହା ୧୫ ଲକ୍ଷରେ ପହଞ୍ଚିଛି ।
ତେବେ ଆଜି ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ସମଗ୍ର ରାଜଧାନୀ । ରାଜଧାନୀରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ସମସ୍ତ ସରକାରୀ ବିଭାଗ ସମେତ ବିଏମସି ଓ ୬୭ଟି ୱାର୍ଡରେ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ସବୁ କ୍ଷେତ୍ରରେ ଜାରି ରହିଛି ବିକାଶ । ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଜରିଆରେ ଭୁବନେଶ୍ବରର ବିକାଶ ଜାରି ରହିଛି । ସହରରେ ଆଜି ଯୁଆଡେ ଚାହିଁବ ସିଆଡେ ନଭଶଚୁମ୍ବି ଅଟ୍ଟାଳିକାମାନ ଦେଖିବାକୁ ମିଳୁଛି । ଏହି ନୂତନ ନଗରୀର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର ଅଟୋ କୋନିସବର୍ଗର ।
ଭୁବନେଶ୍ୱରରେ ୬ଟି ୟୁନିଟ ଗଠନ ହେବା ସହ ପୁରୁଣା ଭୁବନେଶ୍ୱରକୁ ଏକ ବିଜ୍ଞାପିତ ଅଞ୍ଚଳ କରିବାକୁ ମଧ୍ୟ ଯୋଜନା କରାଯାଇଥିଲା । ଏହି ଯୋଜନାକୁ ଓଡ଼ିଶା ସହର ଯୋଜନା ଆଇନ ୧୯୫୬ ଅନୁସାରେ ଅନୁମୋଦନ ମିଳିଥିଲା । ଏଥିପାଇଁ ସ୍ୱତନ୍ତ୍ର ଭାବେ ଜଣେ ଯୋଜନା ଅଧିକାରୀ ମଧ୍ୟ ନିଯୁକ୍ତ କରାଯାଇଥିଲା । କ୍ରମଶଃ ଭୁବନେଶ୍ୱରର ଜନସଂଖ୍ୟା ବୃଦ୍ଧି ପାଇବାରୁ ଏଠାରେ ମ୍ୟୁନିସିପାଲଟି ଗଠିତ ହେଲା । ପରେ ଭୁବନେଶ୍ବର ମ୍ୟୁନିସିପାଲଟି ସହ ଖୋର୍ଦ୍ଧା ଓ ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ମିଶାଇ ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା ବା ବ୍ରିଟ ଗଠନ କରାଗଲା । ପରବର୍ତ୍ତୀ ସମୟରେ ଏହି ଅଞ୍ଚଳ ସହ ନିକଟସ୍ଥ ଗାଁଗୁଡିକର ସମିଶ୍ରଣ କରାଯାଇ ଗଠିତ ହେଲା ଭୁବନେଶ୍ୱର ଉନ୍ନୟନ ସଂସ୍ଥା ବା ବିଡିଏ ।
ଏଠାରେ ଥିବା ଶତାଧିକ ମନ୍ଦିର ଏହାକୁ ମନ୍ଦିରମାଳିନୀ ସହର ଭାବେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ଓଡ଼ିଶାର ଏହି ପୁରାତନ ସହରରେ ପୂର୍ବରୁ ଚେଦି ବଂଶର ରାଜାମାନେ ଶାସନ କରୁଥିଲେ ବୋଲି ଇତିହାସ ରହିଛି ।
Comments are closed.