ନୂଆଦିଲ୍ଲୀ: ବର୍ତ୍ତମାନ ସ୍ଥିତିରେ କୌଣସି ପଦାର୍ଥର ସୁଦ୍ଧତା ବୋଧା ସ୍ବପ୍ନ । ପନିପରିବା ଠାରୁ ଆରମ୍ଭ କରି ଡାଲି ଚାଉଳ, ଚିନି, ପନିର, ଘିଅ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ପଦାର୍ଥର ସୁଦ୍ଧତା ଏବେ ବୋଧେ ଆଶା କରିବା ବେକାର । ଯାହା ଏବେକା ଲୋକଙ୍କ ପାଇଁ ଖାଉଥିବା ଖାଦ୍ୟକୁ ନେଇ ଚିନ୍ତା ବଢାଇଥିବା ବେଳେ, ଏକ ଭାଇରାଲ ଭିଡିଓ ସମସ୍ତଙ୍କୁ ଅବାକ୍ କରିଦେଇଛି ।
ଭେଜାଲ ପନୀର ଏବଂ ଭେଜାଲ ଘିଅ ନେଇ ଚିନ୍ତା ପରେ ଏବେ ଟମାଟୋ ନେଇ ଦେଖାଦେିଛି ଆଶଙ୍କା । ସୁଢଳ, ଲାଲ ଟହଟହ ଦେଖାଯାଉଥିବା ଟମାଟୋରେ ବି ଏବେ କ୍ଷତିକାରକ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଉଛି । ଟମାଟୋ ଯେତେ ଲାଲ୍, ତାର ଅର୍ଥ ସେତେ ବିପଦ । ଏକଥା ଆମେ ନୁହେଁ, ସୋସିଆଲ୍ ମିଡିଆରେ ପ୍ରସାରିତ ଏକ ସାମ୍ପ୍ରତିକ ଭିଡିଓ କହୁଛି । ସତୀଶ ସୋନୁ ପାଣ୍ଡେ ନାମକ ଜଣେ ବ୍ୟକ୍ତି ଦ୍ୱାରା ସେୟାର କରାଯାଇଥିବା ଭିଡିଓଟିରେ ଜଣେ ଚାଷୀ ସଦ୍ୟ ଅମଳ କରାଯାଇଥିବା ଟମାଟୋକୁ ଏକ ରାସାୟନିକ ଦ୍ରବଣରେ ବୁଡ଼ାଇ ଦେଖାଉଛନ୍ତି । ଯାହା କଞ୍ଚା ସବୁଜ ଟମାଟୋକୁ ଚକଚକିଆ ଲାଲ ଟମାଟୋରେ ପରିଣତ କରୁଛି । ଯାହା ଦେଖିବା ପରେ ପୁଣି ଥରେ ବଜାରରେ ଉତ୍ପାଦର ସୁଦ୍ଧତା ନେଇ ପ୍ରଶ୍ନ ଉଠୁଛି ।
ଯାହାର ଭିଡିଓ ଭାଇରାଲ ହେବା ପରେ, ଏହାକୁ ନେଇ ଅଧିକ ଚର୍ଚ୍ଚା ବଢିବା ପରେ, ଏନେଇ ମତ ରଖିଛନ୍ତି ବିଶେଷଜ୍ଞ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଟମାଟୋରେ ବ୍ୟବହୃତ ସବୁଠାରୁ ସାଧାରଣ ରାସାୟନିକ ପଦାର୍ଥ ହେଉଛି ଇଥେଫୋନ୍ବା ବା ଇଥେରେଲ୍ । ଯାହା କ୍ୟାଲସିୟମ କାର୍ବାଇଡ୍ ଭଳି କାମ କରେ । ଏହା ଟମାଟୋର ପାଚିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟବହୃତ ହୁଏ । ଏଥିସହିତ ଟମାଟୋ ଗଛରେ ମଧ୍ୟ ଗିବରେଲିକ ଏସିଡ୍ (GA3)କୁ ପ୍ରଚୁର ପରିମାଣରେ ବ୍ରବହାର କରାଯାଏ । ଯାହା ଗଛର ବୃଦ୍ଧିକୁ ପ୍ରୋତ୍ସାହିତ କରିବା ସହିତ ଫୁଲ ଏବଂ ଫଳକୁ ମଧ୍ୟ ଜଲଦି ବାହାରିବାରେ ସାହାର୍ଯ୍ୟ କରେ । ଏଥିସହିତ ଫଳ ଝଡ଼ିବା ରୋକିବା ଏବଂ ଫଳର ଗୁଣବତ୍ତା ଉନ୍ନତ କରିବା ପାଇଁ ନାପ୍ଥାଲିନେଆସେଟିକ୍ ଏସିଡ୍ ବ୍ୟବହାର କରାଯାଏ । ଟମାଟୋଗୁଡ଼ିକୁ ଶୀଘ୍ର ପାଚିବା ପାଇଁ କାର୍ବାଇଡ୍ ମଧ୍ୟ ବ୍ୟବହାର କରାଯାଏ । ଆଉ ଏହାକୁ ଆକର୍ଷଣୀୟ ଏବଂ ଲାଲ୍ କରିବା ପାଇଁ ଏହା ଉପରେ ଏକ କୃତ୍ରିମ ଆବରଣ ଦିଆଯାଏ । ଯାହା ଟମାଟୋକୁ ବାସ୍ତବତା ଠାରୁ ଅଧିକ ଲାଲ୍ କରିବା ସହ ଏହାର ସେଲ୍ଫ ଲାଇଫ୍ ବି ବଢାଇ ଦିଏ ।
କେମିତି ଜାଣିବେ କେତେ ସୁଦ୍ଧ ଆପଣଙ୍କ ନାଲି ଟମାଟୋ?
ଅତ୍ୟଧିକ ଚକଚକିଆ, ସମ୍ପୂର୍ଣ୍ଣ ଲାଲ ଏବଂ ଟାଣ ଟମାଟୋ, ବିଶେଷକରି ଅଫ-ସିଜନରେ ଯଦି ଏଭଳି ଟମାଟୋ ମିଳୁଛି, ତାହେଲେ ଏହା ଇଥିଲିନ୍ କିମ୍ବା କ୍ୟାଲସିୟମ୍ କାର୍ବାଇଡ୍ ପରି ରାସାୟନିକ ପଦାର୍ଥ ବ୍ୟବହାର କରି କୃତ୍ରିମ ଭାବରେ ପାଚିଥାଇପାରେ । ବିଶେଷଜ୍ଞଙ୍କ ଅନୁସାରେ, ପ୍ରାକୃତିକ ଟମାଟୋରେ ସାଧାରଣତଃ ଅସମାନ ପାଚିବା, ସାମାନ୍ୟ ଦାଗ କିମ୍ବା ଏହାର ମୁଣ୍ଡ ପାଖରେ ସବୁଜ-ହଳଦିଆ ପ୍ୟାଚ୍ ରହିଥାଏ ।
ଏଥିସହିତ ପ୍ରାକୃତିକ ଭାବରେ ପାଚିଥିବା ଟମାଟୋରେ ଏକ ମୃଦୁ, ମାଟି ଭଳି ଟମାଟୋ ଗନ୍ଧ ଥାଏ, ବିଶେଷକରି ତା ଭୁଣ୍ଡି ପାଖରେ । ଅନ୍ୟପକ୍ଷରେ, ରାସାୟନିକ ଭାବରେ ଚିକିତ୍ସା କରାଯାଇଥିବା ଟମାଟୋଗୁଡ଼ିକରେ ପ୍ରାୟତଃ କୌଣସି ସୁଗନ୍ଧ ନଥାଏ, ଏଥିସହିତ ଏହା ପୂରା ଲାଲ୍ ଦେଖାଯାଏ । ଏହାବ୍ୟତୀତ ଠିକ୍ ଟମାଟୋ ଜଶରିବା ପାଇଁ, ଆପଣ ଟମାଟୋଗୁଡ଼ିକୁ ୩୦ରୁ ୪୦ ମିନିଟ ଯାଏଁ ପାଣିରେ ବୁଡାଇ ରଖନ୍ତୁ । ଯଦି ସେଗୁଡ଼ିକ ମହମ କିମ୍ବା ସିନ୍ଥେଟିକ୍ ରଙ୍ଗରେ ଆବୃତ ହୋଇଥିବ, ତେବେ ଆପଣ ପାଣି ଉପରେ ତେଲିଆ ଅବଶିଷ୍ଟାଂଶ ଭାସୁଥିବାର ଦେଖିପାରିବେ, ଏକ ପତଳା ଧଳା କିମ୍ବା ରଙ୍ଗୀନ ସ୍ତର ଟମାଟୋ ଉପର ଚମରୁ ବାହାରିଯିବ ।
Comments are closed.