Latest Odisha News

BREAKING NEWS

ଜଣାଶୁଣା ଶିକ୍ଷାବିତ୍ ଦିଗମ୍ବର ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ଶିକ୍ଷାବିତ୍ ତଥା ସମାଜ ବିଜ୍ଞାନୀ ପ୍ରଫେସର ଦିଗମ୍ବର ମିଶ୍ର ମଙ୍ଗଳବାର ଦିନ (ଏପ୍ରିଲ ୧୫) ଆମେରିକାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।

ସେ ୧୯୮୧ ମସିହାରୁ ଆଲାବାମାର ବର୍ମିଂହାମର ମାଇଲ୍ସ କଲେଜରେ ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ଏବଂ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଥିଲେ।

୮ ମେ ୧୯୩୮ ମସିହାରେ ଓଡ଼ିଶାର କମଳପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଦିଗମ୍ବର ମିଶ୍ର ୧୯୬୭ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ତା’ପରେ ସେ ୧୯୭୫ ମସିହାରେ ଆଲାବାମା ବିଶ୍ୱବିଦ୍ୟାଳୟରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ପରେ ୧୯୮୦ ମସିହାରେ ଆଲାବାମା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡକ୍ଟର ଅଫ୍ ଫିଲୋସୋଫି ହାସଲ କରିଥିଲେ।

ତାଙ୍କ ଜୀବନର କାର୍ଯ୍ୟକଳାପ ଅଗଣିତ ବ୍ୟକ୍ତିଙ୍କୁ ପ୍ରେରଣା ଦେଇଛି। ଯାହା ଶିକ୍ଷାକ୍ଷେତ୍ରରେ ଏକ ଭିନ୍ନ ଛାପ ଛାଡିଛି। ସେ ୧୯୯୧ରୁ ୧୯୯୩ ପର୍ଯ୍ୟନ୍ତ ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକାସ୍ (ଓଏସଏ)ର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କର ନେତୃତ୍ୱ ଉତ୍ତର ଆମେରିକାର ଓଡ଼ିଆ ସମ୍ପ୍ରଦାୟକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲା ଏବଂ ୨୦୦୬ ମସିହାରେ ଅଣ-ଆବାସିକ ଓଡ଼ିଆ ସୁବିଧା କେନ୍ଦ୍ର (NROFC)ରୁ ତାଙ୍କୁ ବିଶିଷ୍ଟ ଓଡ଼ିଆ ପୁରସ୍କାର ମିଳିବା ପରେ ତାଙ୍କର ବ୍ୟାପକ ଲୋକପ୍ରିୟତା ବଢ଼ିଥିଲା।

ତେବେ ତାଙ୍କ ପରିବାରରେ ତାଙ୍କ ପତ୍ନୀ ଜ୍ୟୋସ୍ନା ମିଶ୍ର, ପୁଅ ଅନୁପ, ବୋହୂ ମନୀଷା, ଝିଅ ଲିକୁନ୍, ଜ୍ୱାଇଁ କୁମାର ଏବଂ ତିନି ନାତି ନାତୁଣୀ ରହିଛନ୍ତି।

 

Comments are closed.