ନୂଆଦିଲ୍ଲୀ: ସଡ଼କ ସୁରକ୍ଷାକୁ ମଜବୁତ କରିବା ଓ ଟ୍ରାଫିକ ନିୟମ ପାଳନକୁ ବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ଗାଡ଼ିର ବେଗ ମାପିବା ପାଇଁ ରାଡାର ଉପକରଣ ସମ୍ପର୍କିତ ନୂତନ ନିୟମାବଳୀ ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ, ସମସ୍ତ ରାଡାର-ଆଧାରିତ ବେଗ ମାପ ଉପକରଣକୁ ଲିଗାଲ ମେଟ୍ରୋଲୋଜି କର୍ତ୍ତୃପକ୍ଷ ଦ୍ୱାରା ଯାଞ୍ଚ କରାଯିବ।
ଏହି ନିୟମ ଆସନ୍ତା ଜୁଲାଇ ୧ ତାରିଖରୁ ଲାଗୁ ହେବ। ଏହି ନିୟମ ରାଡାର ଉପକରଣଗୁଡ଼ିକର ସଠିକ ତଥ୍ୟ ଓ ଆଇନଗତ ଅନୁପାଳନକୁ ସୁନିଶ୍ଚିତ କରିବ। ଏହା ଟ୍ରାଫିକରେ ସ୍ପିଡ ନିରୀକ୍ଷଣ, ଦୁର୍ଘଟଣା ନିରୋଧ ଏବଂ ସଡ଼କ ଭିତ୍ତିଭୂମିର କ୍ଷୟକ୍ଷତି ହ୍ରାସ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ରାଡାର ଉପକରଣଗୁଡ଼ିକ ଡପ୍ଲର ରାଡାର ପରି ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଗାଡ଼ିର ସ୍ପିଡ ଅତି ନିର୍ଭୁଲ ଭାବେ ମାପେ। ନୂଆ ନିୟମରେ ଏହି ଉପକରଣଗୁଡ଼ିକର କ୍ୟାଲିବ୍ରେସନ, ବିଭିନ୍ନ ପାଣିପାଗ ପରିସ୍ଥିତିରେ ସ୍ଥିର କାର୍ଯ୍ୟକ୍ଷମତା ସୁରକ୍ଷା ସମ୍ପର୍କିତ ବିସ୍ତୃତ ଟେକ୍ନିକାଲ ଓ ସୁରକ୍ଷା ଆବଶ୍ୟକତା ଉଲ୍ଲେଖ କରାଯାଇଛି।
ଏହି ନିୟମ ଆନ୍ତର୍ଜାତୀୟ ମାନକ OIML R 91 ଉପରେ ଆଧାରିତ ଏକ କମିଟି ଦ୍ୱାରା ପ୍ରସ୍ତୁତ ହୋଇଛି। ରାଜ୍ୟ ଲିଗାଲ ମେଟ୍ରୋଲୋଜି ବିଭାଗ, ଆଞ୍ଚଳିକ ରେଫରେନ୍ସ ଷ୍ଟାଣ୍ଡାର୍ଡ ଲାବୋରେଟୋରୀ, ଉତ୍ପାଦକ ଓ ଉପଭୋକ୍ତା ସଂଗଠନମାନଙ୍କ ସମେତ ସମସ୍ତ ସଂପୃକ୍ତ ପକ୍ଷଙ୍କ ସହ ଆଲୋଚନା ଓ ଜନସାଧାରଣଙ୍କ ମତାମତ ଗ୍ରହଣ ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି।
ଏହାଦ୍ୱାରା ସାଧାରଣ ନାଗରିକଙ୍କ ପାଇଁ ବେଗ ନିୟମର ସଠିକ ପାଳନ ନିଶ୍ଚିତ କରିବ । ଯାହା ବେଆଇନ ଜରିମାନାରୁ ରକ୍ଷା କରିବ ଓ ସଡ଼କ ସୁରକ୍ଷାକୁ ବୃଦ୍ଧି କରିବ। ନିୟମ ପାଳନ ସଂସ୍ଥାଗୁଡ଼ିକ ପାଇଁ ଏହି ଯାଞ୍ଚ ଉପକରଣଗୁଡ଼ିକ କାର୍ଯ୍ୟକ୍ଷମ ଦକ୍ଷତା ଓ ବିଶ୍ୱସନୀୟତା ବୃଦ୍ଧି କରିବ। ଏହା ପ୍ରମାଣ-ଆଧାରିତ ନିୟମ ପାଳନକୁ ସହଜ କରି ଜନସାଧାରଣଙ୍କ ଆସ୍ଥା ବଜାୟ ରଖିବାରେ ସହାୟକ ହେବ।
ଜାତୀୟ ସ୍ତରରେ ଏହି ପଦକ୍ଷେପ ଟ୍ରାଫିକ ପରିଚାଳନାରେ ଡାଟା-ଆଧାରିତ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାର ହ୍ରାସ, ରାଜପଥରେ ଶୃଙ୍ଖଳା ବୃଦ୍ଧି ଏବଂ ଦୁର୍ଘଟଣା, ଗାଡ଼ି କ୍ଷୟକ୍ଷତି ଓ ଭିତ୍ତିଭୂମି କ୍ଷତି ଯୋଗୁଁ ହେଉଥିବା ସାମାଜିକ ଓ ଅର୍ଥନୈତିକ କ୍ଷତିକୁ ହ୍ରାସ କରି ସ୍ଥାୟୀ ଅର୍ଥନୈତିକ ବିକାଶକୁ ସମର୍ଥନ କରିବ।
Comments are closed.