Latest Odisha News

BREAKING NEWS

ଭାରତର ଶୁଭାଂଶୁ ଶୁକ୍ଳା ମେ’ରେ କରିବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା

ନୂଆଦିଲ୍ଲୀ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଆସନ୍ତା ମାସରେ ଆକ୍ସିଅମ୍-୪ ମିଶନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ଯାତ୍ରା କରିବେ।  କେନ୍ଦ୍ରୀୟ ମହାକାଶ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଆସନ୍ତା ମାସରେ ଜଣେ ଭାରତୀୟ ମହାକାଶଚାରୀଙ୍କୁ ନେଇ ଏକ ଅନ୍ତର୍ଜାତୀୟ ମହାକାଶ ଅଭିଯାନ ସ୍ଥିର ହୋଇଛି। ଭାରତ ତାର ମହାକାଶ ଯାତ୍ରାରେ ଏକ ନିର୍ଣ୍ଣାୟକ ଅଧ୍ୟାୟ ଲେଖିବାକୁ ପ୍ରସ୍ତୁତ। ISRO ନୂତନ ସୀମା ସ୍ଥିର କରିବାକୁ ଏବଂ ଜଣେ ଭାରତୀୟ ମହାକାଶଚାରୀଙ୍କୁ ମହାକାଶ ମିଶନରେ ପଠାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଗଗନଯାନର ପ୍ରସ୍ତୁତି ,ଆଇଏସଏସ ମିଶନ ଓ ଭାରତର ମହାକାଶ ସ୍ୱପ୍ନ ଆହୁରି ଉପରକୁ ଉଠିବାରେ ଲାଗିଛି।

ଏଥି ଲାଗି ଭାରତ ୬୦ ନିୟୁତ ଡଲାରରୁ ଅଧିକ ପୈଠ କରିଛି। ଏହି ମିସନକୁ ସ୍ପେସ୍-ଏକ୍ସ ଫାଲକନ ୯ ରକେଟ ଦ୍ୱାରା ଲଞ୍ଚ କରାଯିବ ଓ ୪ ଜଣିଆ ଏକ ଦଳ ସ୍ପେସ୍-ଏକ୍ସ କ୍ରୁ ଡ୍ରାଗନ କ୍ୟାପସୁଲରେ ବସିବ। ଏହା ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍ ଷ୍ଟେସନରୁ ଉଡାଣ କରିବ।

ଗତ ଆଠ ମାସ ଧରି ନାସା ଏବଂ ଘରୋଇ ମହାକାଶ କମ୍ପାନୀ ଆକ୍ସିଅମ୍ ସ୍ପେସ୍ ସହିତ ତାଲିମ ନେଉଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଲା ଏକ ଘରୋଇ ବାଣିଜ୍ୟିକ ମିଶନରେ ISS କୁ ଉଡାଣ ଭରିବେ । ଚାରି ଦଶନ୍ଧି ପୂର୍ବେ, ରାକେଶ ଶର୍ମା ଏକ ରୁଷୀୟ ମହାକାଶଯାନରେ ମହାକାଶ ଯାତ୍ରା କରିଥିଲେ।

ଲକ୍ଷ୍ନୌର ବାସିନ୍ଦା ଶୁଭାଂଶୁ ଶୁକ୍ଲାଙ୍କ ବୟସ ୪୦ ବର୍ଷ ଓ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ତାଙ୍କୁ ଏହି ମିସନ ଲାଗି ସବୁଠୁ ଯୁବ ମହାକାଶ ଯାତ୍ରୀ ରୂପେ ଚୟନ କରିଛି। ଏକ୍ସିଓମ-୪ମିସନ କମାଣ୍ଡର ନାସାର ପୂର୍ବତନ ମହାକାଶ ଯାତ୍ରୀ ପେଗୀ ହ୍ୱିଟସନ ରହିବେ। ଅନ୍ୟ ଦୁଇ ଜଣ କ୍ରୁ ମେମ୍ବରଙ୍କ ମଧ୍ୟରେ ପୋଲାଣ୍ଡର ସ୍ଲାଭୋଜ ଉଜନାସ୍କି ଓ ହଙ୍ଗେରୀର ଟିବୋର କାପୁ ଅଛନ୍ତି। ଗ୍ରୁପ କ୍ୟାପ୍ଟେନ ଶୁକ୍ଳା ମିସନରେ ପାଇଲଟ ଭୂମିକା ନିର୍ବାହ କରିବେ।

Comments are closed.