ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠନ ନେବାରେ ଲାଗିଛି।
ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦୋଷୀମାନଙ୍କୁ ଛଡାଯିବ ନାହିଁ।
ସୂଚନା ଅନୁଯାୟୀ, ଭାରତ ସରକାର ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଛନ୍ତି। ଭିସା ଅବଧି ଶେଷ ହେବା ପୂର୍ବରୁ ନିଜ ଦେଶକୁ ଫେରିଯିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର। ଫଳରେ ଭାରତରେ ଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ୨୭ ଏପ୍ରିଲ ପୂର୍ବରୁ ଭାରତ ଛାଡ଼ିବାକୁ ପଡିବ। ଏଥିସହିତ ପାକିସ୍ତାନୀ ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ମେଡିକାଲ ଭିସା କେବଳ ୨୯ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ବୈଧ ରହିବ।
ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଅଟାରୀ-ୱାଘା ସୀମାକୁ ତୁରନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରାଯାଇଛି।
ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ କହିଛନ୍ତି ଯେ ପହଲଗାମ ଆକ୍ରମଣର ଜବାବରେ ଭାରତ ଅଟାରୀ-ୱାଘା ସୀମା ବନ୍ଦ କରିବା, ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିବା ଏବଂ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିବା ସମେତ ଅନେକ କଠୋର ପଦକ୍ଷେପ ନେଇଛି। ସେ ସ୍ପଷ୍ଟ କରିଛନ୍ତି ଯେ କେବଳ ଯେଉଁମାନେ ମେ ୧ ପର୍ଯ୍ୟନ୍ତ ବୈଧ ଭିସା ସହିତ ଆସିଥିଲେ ସେମାନେ ଏହି ରାସ୍ତା ଦେଇ ଫେରିପାରିବେ। ସେହିପରି ଯେଉଁମାନେ ପାକିସ୍ତାନରେ ଅଛନ୍ତି ସେମାନଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି ବୈଦେଶିକ ମନ୍ତ୍ରଣାଳୟ ।
Comments are closed.