ନୂଆଦିଲ୍ଲୀ: ଆସାମ ଏଆଇୟୁଡିଏଫ୍ (AIUDF) ବିଧାୟକ ଅମିନୁଲ ଇସଲାମ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଏକ ବିବାଦୀୟ ବୟାନ ଦେଇ ଫସିଯାଇଛନ୍ତି। ବିଧାୟକଙ୍କ ବିବାଦୀୟ ବୟାନ ଦେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦୃଢ଼ ନିନ୍ଦା କରାଯାଉଛି। ଏହି ଭିଡିଓରେ ବିଧାୟକ ପାକିସ୍ତାନର ସପକ୍ଷରେ କହୁଥିବା ଅଭିଯୋଗ ଆସିଛି। ଯାହା ପରେ ପୋଲିସ ତାଙ୍କୁ ଗୁରୁବାର ଗିରଫ କରିଛି।
ବୁଧବାର ବିରୋଧୀ ଦଳ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ବିଧାୟକ ଅମିନୁଲ୍ ଇସଲାମଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓରେ ବିଧାୟକ ବିବାଦୀୟ ବୟାନ ଦେଉଥିବାର ଦେଖାଯାଉଛି। ସେ ଦାବି କରିଥିଲେ ଯେ ଫେବୃଆରୀ ୨୦୧୯ରେ ପୁଲୱାମାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କନଭୟ ଉପରେ ଆତ୍ମଘାତୀ ଆକ୍ରମଣ ଏବଂ ପହଲଗାମରେ ୨୬ ଜଣ ପର୍ଯ୍ୟଟକଙ୍କ ହତ୍ୟା ଏକ “ସରକାରୀ ଷଡଯନ୍ତ୍ର” ଥିଲା। ଏହି ଭିଡିଓଟି ସୋସିଆଲ ମିଡିଆରେ ଦୃତ ଗତିରେ ଭାଇରାଲ ହେବାକୁ ଲାଗିଲା, ଯାହା ପରେ ଥାନାରେ ଅଭିଯୋଗ ଦାଖଲ କରାଗଲା। ଗୁରୁବାର ପୋଲିସ ବିଧାୟକଙ୍କୁ ତାଙ୍କ ଘରୁ ଗିରଫ କରିଛି। ଏନେଇ ଆସାମ ଡିଜିପି ହରମିତ୍ ସିଂହ ସୂଚନା ଦେଇଛନ୍ତି।
ଆସାମ ଡିଜିପି ହରମିତ୍ ସିଂହ କହିଛନ୍ତି ଯେ ଆସାମ ପୋଲିସ AIUDF ଧିଙ୍ଗ୍ ବିଧାୟକ ଅମିନୁଲ ଇସଲାମଙ୍କୁ ଗିରଫ କରିଛି। ପୋଲିସ ତାଙ୍କୁ ନାଗାଓଁ ଥାନାକୁ ନେଇଯାଇଛି। ଡିଜିପି କହିଛନ୍ତି ଯେ ପହଲଗାମରେ ହୋଇଥିବା କାପୁରୁଷ ଆକ୍ରମଣ ଉପରେ ବିଧାୟକ ଅପମାନଜନକ ମନ୍ତବ୍ୟ ଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟି ଜାଣିବା ପରେ, ତାଙ୍କୁ ଗିରଫ କରାଯାଇଛି। ଡିଜିପି କହିଛନ୍ତି ଯେ ଏଆଇୟୁଡିଏଫ ବିଧାୟକ ଅମିନୁଲ ଇସଲାମ ସାଧାରଣରେ ଭ୍ରାନ୍ତିକର ଏବଂ ଉତ୍ତେଜନାମୂଳକ ବୟାନ ଦେଇଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। ଏହି ଆଧାରରେ, ନାଗାଓଁ ପୋଲିସ ଏକ ମାମଲା ରୁଜୁ କରି ବିଧାୟକଙ୍କୁ ଗିରଫ କରିଛି।
Comments are closed.