Latest Odisha News

BREAKING NEWS

ଆହୁରି ୨ ଦିନ ହିଟ୍ ୱେଭ୍ ୱାର୍ଣ୍ଣିଂ: ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୭ରୁ କାଳବୈଶାଖୀ

ଭୁବନେଶ୍ୱର: ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କଲାଣି ଜୀବନ। ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ, ଆଭ୍ୟନ୍ତରୀଣରେ ନିଆଁ ବର୍ଷା, ଉପକୂଳରେ ଗୁଳୁଗୁଳି । ପଦାକୁ ଯାଇ ହେଉନି, ଘରେ ବି ନିସ୍ତାର ମିଳୁନି। ଆହୁରି ଦୁଇଦିନ ଏମିତି ଛଟପଟ ହେବ ସାରା ଓଡ଼ିଶା। ୨୭ରୁ ଆରମ୍ଭ ହେବ କାଳବୈଶାଖୀ। ଏହି ବର୍ଷା ହିଁ ଆଣିବ ଆଶ୍ୱସ୍ତି। ଯଦିଓ ସାମୟିକ ଆଶ୍ୱସ୍ତି ପରେ ପୁଣି ମେ ପହିଲା ବେଳକୁ ରାଜ୍ୟରେ ତାପମାତ୍ରା ବଢ଼ିବା ସମ୍ଭାବନା ଅଛି।

ଗୁରୁବାର ରାଜ୍ୟର ୧୬ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ପାର୍‌ କରିଥିଲା। ସେଥିରୁ ୧୩ଟି ସ୍ଥାନରେ ପାରଦ ୪୨ ଡିଗ୍ରୀ ଉପରେ ରହିଥିଲା। ତତଲା ସହର ଝାରସୁଗୁଡ଼ା ପୁଣି ଡେଇଁଥିଲା ୪୫। ପାରଦ ପହଞ୍ଚିଥିଲା ୪୫.୨ ଡିଗ୍ରୀ ସେଲସିୟସ୍‌ରେ। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ୩୬-୩୮ ଡିଗ୍ରୀ ଭିତରେ ଥିଲା। ହେଲେ ଗୁଳୁଗୁଳି ପ୍ରକୋପ ଜାରି ରହିଥିଲା। ପାଣିପାଗ ବିଭାଗର ପୂର୍ବାନୁମାନ, ୨୫ ଓ ୨୬ ତାରିଖରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ।

ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ସୋନପୁରରେ ଗ୍ରୀଷ୍ମ ପ୍ରବାହ (ଅରେଞ୍ଜ ୱାର୍ଣ୍ଣିଂ) ଆଶଙ୍କା ରହିଛି । ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାରେ ରାତି ତାପମାତ୍ରା ଅଧିକ ରହିବା ଯୋଗୁ ଅସ୍ୱାଭାବିକ ସ୍ଥିତି ଅନୁଭୂତ ହୋଇପାରେ । ଅନୁଗୁଳ, ନୂଆପଡ଼ା, କଳାହାଣ୍ଡି, ଦେବଗଡ଼ରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳରେ ବିତାତିରୁ ନିସ୍ତାର ଆଶା ନାହିଁ । କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ତାତି ସାଙ୍ଗକୁ ଗୁଳୁଗୁଳି ପ୍ରଭାବ ରହିପାରେ।

୨୭ରୁ ତାତି ପ୍ରକୋପ କମିବା ସହ ରାଜ୍ୟରେ କାଳବୈଶାଖୀ ବଢ଼ିବ । ୨୭ ଓ ୨୮ରେ ବିସ୍ତୃତ ଅଞ୍ଚଳରେ ଘଡ଼ଘଡ଼ି, ପବନ ସହ ବର୍ଷା ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ଗରମରୁ ଆଶ୍ୱସ୍ତି ମିଳିବା ସମ୍ଭାବନା ଅଛି । ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ୨୬ରୁ ୨୯ ଭିତରେ ପୂର୍ବ ଭାରତରେ କାଳବୈଶାଖୀ ବର୍ଷା ହୋଇପାରେ ।

Comments are closed.