ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ପାକିସ୍ତାନୀ ପତାକା ଲାଗିଥିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ସଂଧ୍ୟା ସମୟରେ ରୂପାଲି ଛକରେ ପାକିସ୍ତାନୀ ପତାକା ଓ ଷ୍ଟିକର ଲାଗିଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସହରରେ ଚର୍ଚ୍ଚା ଜୋର ଧରିଛି। ଏହି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଟ୍ରାଫିକ ପୋଲିସ ଉପସ୍ଥିତ ଥାଇ ମଧ୍ୟ କିପରି ଏଭଳି ଘଟଣା ଘଟିଲା, ତାହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।
କିଏ ଏବଂ କାହିଁକି ଏହି କାର୍ଯ୍ୟ କଲା, ତାହା ଜାଣିବା ପାଇଁ ସିସିଟିଭି ଫୁଟେଜ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଏବଂ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି । ହେଲେ ଏହାକୁ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।
ଏହି ଘଟଣା ସାମାଜିକ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସାରା ଦେଶରେ ଆତଙ୍କବାଦ ଓ ପାକିସ୍ତାନ ବିରୋଧରେ ଗୋଟିଏ ଆକ୍ରୋଶ ରହିଛି । ଏହାରି ଭିତରେ କେନ୍ଦ୍ର ସରକାର ଦେଶରେ ରହୁଥିବା ପାକିସ୍ତାନୀ ମାନଙ୍କୁ ଦେଶ ଛାଡ଼ିବାକୁ କହିସାରିଛନ୍ତି । ରବିବାର ଓଡ଼ିଶା ଛାଡ଼ିଛନ୍ତି ୨ ପାକିସ୍ତାନ ନାଗରିକ । ଏଥିମଧ୍ୟରୁ ଭୁବନେଶ୍ୱରରେ ରହୁଥିଲେ ପାକିସ୍ତାନର ନଗମା ୟୁସୁଫ । ଯିଏକି ୨୦୦୮ରୁ ବିବାହ କରି ଏଠାରେ ରହୁଥିଲେ । ହେଲେ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଥିଲା । ସେ ଲଙ୍ଗ ଟର୍ମ ଭିସା ପାଇଁ ଆବେଦନ କରିଥିଲେ ମଧ୍ୟ ଏହାକୁ ଏବେର ସ୍ଥିତି ଦେଖି ଅଗ୍ରାହ୍ୟ କରି ଦେଇଛନ୍ତି ଭାରତ ସରକାର ।
ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିରୀହ ନାଗରିକଙ୍କ ମୃତ୍ୟୁ ଘଟିଛି । ଏପରି ସ୍ଥିତିରେ ଭୁବନେଶ୍ୱରରେ ପାକିସ୍ତାନୀ ପତାକା ଲାଗିଥିବା ଘଟଣା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଆକ୍ରୋଶ ବଢ଼ାଇଛି। ଓଡ଼ିଶା ପୋଲିସ ଏହି ଘଟଣାକୁ ଗୁରୁତର ଭାବେ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି ।
ଆତଙ୍କବାଦୀ ମାନେ ପର୍ଯ୍ୟଟକଙ୍କ ଧର୍ମ ପଚାରି ଗୁଳି କରିଥିବା ଜଣାପଡ଼ିଛି । ଆଉ ଅଧିକାଂଶ ହିନ୍ଦୁ ଲୋକଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ଭାରତ ସରକାର ପାକିସ୍ତାନକୁ ପାନେ ଦେବାକୁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ହଠାତ ରାଜଧାନୀ ସ୍ଥିତ ରୂପାଲି ଛକରେ ଏପରି ସ୍ଥିତି ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ାଇଛି ।
Comments are closed.