Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୨୨: ସର୍ବଦା ପ୍ରଭୁଙ୍କର ଚିନ୍ତନରେ ମଗ୍ନ ହୋଇଗଲେ ଭଗବାନଙ୍କ ସାନିଧ୍ୟ ନିଶ୍ଚିତ ହୋଇଯାଏ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣ୍ଣିତ ଭକ୍ତ ପ୍ରହଲ୍ଲାଦ ଉପାଖ୍ୟାନରେ ଏକ ବଡ଼ କଥା ଆମେ ଜାଣିବାକୁ ପାଇବା ଯଥା କୋଅତି ପ୍ରୟାସୋଅସୁରବାଳକହରେ
ରୁପାସନେ ସ୍ବେ ହୃଦି ଛିଦ୍ରବତ ସତଃ
ସ୍ୱସ୍ୟାତ୍ମନଃ ସଖ୍ୟୁରଶେଷ ଦେହିନଂ।
ସାମାନ୍ୟ ତଃ କିଂ ବିଷୟୋପପାଦନୈଃ।।

ଅର୍ଥାତ ଭଗବାନଙ୍କୁ ନିଜର ସଖା ବା ବନ୍ଧୁ ହିସାବରେ ପାଇବା ପାଇଁ କୌଣସି ପ୍ରୟାସ ସାପେକ୍ଷ ବସ୍ତୁ, ପଦାର୍ଥ ବା ମାଧ୍ୟମର ଆବଶ୍ୟକତା ନାହିଁ, ଏଥିପାଇଁ (ପ୍ରଭୁଙ୍କର ପ୍ରୀତି ଲାଭ ) କେବଳ ଆମ ପାଖରେ ଥିବା ବା ଆମ ଶରୀରର ସମସ୍ତ ଅଙ୍ଗ ଗୁଡିକର ଉପଯୁକ୍ତ ବ୍ୟବହାର ଦରକାର। ଯେପରି କାନ ଦ୍ୱାରା ସର୍ବଦା ପ୍ରଭୁଙ୍କ ମହିମା ଶ୍ରବଣ, ଜିହ୍ୱା ଦ୍ୱାରା ପ୍ରଭୁଙ୍କର ମହିମା ଉଚ୍ଚାରଣ, ଚକ୍ଷୁ ଦ୍ୱାରା ପ୍ରଭୁଙ୍କର ମନଲୋଭା ରୂପ ଦର୍ଶନ ନାସିକା ଦ୍ୱାରା ପ୍ରଭୁଙ୍କର ପାଦରେ ଅର୍ପିତ ତୁଳସୀ ଚନ୍ଦନର ମହକ ଅସ୍ୱାଦନ, କର ବା ହସ୍ତ ଦ୍ୱାରା ପ୍ରଭୁଙ୍କର ବେଶ ପରିପାଟୀ ସଜ୍ଜା ବା ପରିଚର୍ଯ୍ୟା, ପାଦ ଦ୍ୱାରା ପ୍ରଭୁଙ୍କର ବାସସ୍ଥାନ ଭ୍ରମଣ।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-21-achieving-god-may-be-rare-but-not-impossible/

ଏହିସବୁ କ୍ରିୟାର ଆଗ୍ରହ ସହ ପାଳନ ମଧ୍ୟ ସତସଙ୍ଗ ସଦୃଶ୍ୟ। ଭାବ ଓ ଭକ୍ତିର ସହ ଏହି ପ୍ରକାର ସତସଙ୍ଗ କଲେ ବା ସର୍ବଦା ପ୍ରଭୁଙ୍କର ଚିନ୍ତନରେ ମଗ୍ନ ହୋଇଗଲେ ଭଗବାନଙ୍କ ସାନିଧ୍ୟ ନିଶ୍ଚିତ ହୋଇଯାଏ। ଯେହେତୁ ଶ୍ରୀମଦ ଭାଗବତ ମଧ୍ୟ ସ୍ୱୟଂ ପ୍ରଭୁଙ୍କର ସ୍ୱରୂପ ଧାରଣ କରିଛନ୍ତି ସେଥିପାଇଁ ପ୍ରଥମରୁ ଆଲୋଚନା କରି ଜାଣିଲେ ଶ୍ରୀମଦ ଭାଗବତଙ୍କୁ ଭାବ ଓ ଭକ୍ତିରେ ବାନ୍ଧି ପାରିଲେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଆପେ ଆପେ ଆପଣାର ହୋଇଯିବେ। ସେଥିପାଇଁ ଶ୍ରୀଜଗନ୍ନାଥ ଦାସ କହିଛନ୍ତି
ଏ କଳି ଯୁଗର ମହିମା।
ଅଛଇ ଏକ ଗୁଣ ସୀମା।।
ସେ ବାସୁଦେବ ନାମ ଗୁଣି।
ବୈକୁଣ୍ଠ ଲଭେ ହେଳେ ପ୍ରାଣୀ।।
ଯେହେତୁ ବଦ୍ଧ ଜୀବର ମୁକ୍ତି ନିମିତ୍ତ ଭଗବତକୀର୍ତ୍ତନ ହିଁ ଏକ ମାତ୍ର ଅଵଲମ୍ବନ, ସେହି ରସମୃତ ଏ କଳି ଯୁଗରେ ଶ୍ରୀମଦ ଭାଗବତ ଛଡା ଆଉ ମିଳିବ କେଉଁ ଠାରେ? ଶ୍ରୀମଦ ଭାଗବତରେ ନାମ ଓ ଲୀଳା ରସାମୃତର ଆନନ୍ଦ ଗାମିନୀ ମନ୍ଦାକିନୀ ସଦା ଛତ୍ରେ ଛତ୍ରେ ପ୍ରବାହିତ ହେଉଛି। ସର୍ବଦା ସେଥିରେ ନିମଗ୍ନ ରହିଲେ ନିଶ୍ଚୟ ଭଗବାନଙ୍କ ସାନିଧ୍ୟ ମିଳିବ। ଏହା ଛଡା ଅନ୍ୟ ରୂପରେ ଜୀବ ତ୍ରିବର୍ଗ ଲାଭ କରିଲେ ମଧ୍ୟ ପ୍ରଭୁଙ୍କର ସାନିଧ୍ୟ ସୁଖ ଲାଭ କରି ପାରିବ ନାହିଁ। ତେଣୁ କହିଲେ
ଯେ ପ୍ରାଣୀ ଅନ୍ୟ ମାର୍ଗେ ଭଜେ।
ହରି ଭକତି ଦୂରେ ତେଜେ।।
ବିଷ୍ଣୁ ଭକତି ଲାଭ ଛାଡି।
ତ୍ରିବର୍ଗ ମଧ୍ୟେ ଲୋଭେ ବଢି।।
ତାହାର ସୁଖ ଲେଶ ନାହିଁ।
ସମୁଦ୍ରେ ଯେହ୍ନେ ନାଵ ଥାଇ।।
ତେଣୁ ଆସନ୍ତୁ ଯେଉଁ ଭାଗବତଙ୍କୁ ଆଶ୍ରା କରିଛେ, ତାଙ୍କରି ପ୍ରେମରେ ପଡିବା ଆଉ ଭଗବାନଙ୍କୁ ଆପଣାର କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

 

Comments are closed.