ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାତିଗତ ଜନଗଣନା ଘୋଷଣାର ଗୋଟିଏ ଦିନ ପରେ, ଏହାକୁ ନେଇ ସରଗରମ ହୋଇଛି ରାଜନୀତି । ସରକାର ଏବଂ ବିରୋଧୀ ଦଳ ଏହି ଐତିହାସିକ କାର୍ଯ୍ୟର ମାଲିକାନା ଦାବି କରିବା ସହିତ ଏହାର ଶ୍ରେୟ କାହାକୁ ଯିବ, ତାକୁ ନେଇ ଲଢ଼େଇ ଜୋରଦାର ଜାରି ରଖିଛନ୍ତି । କଂଗ୍ରେସ ତା’ର ଦିଲ୍ଲୀ ମୁଖ୍ୟାଳୟ ବାହାରେ ଏକ ପୋଷ୍ଟର ଲଗାଇ, ଯେଉଁଥିରେ ଜାତିଗତ ଜନଗଣନାକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ରାହୁଲ ଗାନ୍ଧୀ ସ୍ୱାଗତ କରୁଛନ୍ତି । ଏଥିସହିତ ଲେଖାହୋଇଛି ହୋଇଛି ଯେ, ‘କହିଥିଲି ନା ମୋଦିଙ୍କୁ ଜାତିଭିତ୍ତିକ ଜନଗଣନା କରାଇବାକୁ ହିଁ ପଡିବ, ଆମେ କରାଇକରି ରହିବୁ । ଏଥିସହିତ ଦୁନିଆ ନଇଁପାରେ, କେବଳ ନୁଆଁଇଲା ବାଲା ଦରକାର’ ବୋଲି ଏଥିରେ ଉଲ୍ଲେଖ ରହିଛି । ଯାହାକୁ ନେଇ କଡା କାଉଣ୍ଟର କରିଛି ବିଜେପି, ବିଜେପି କଂଗ୍ରେସକୁ ରାଜୀବ ଗାନ୍ଧୀ ଓବିସି ସମ୍ପ୍ରଦାୟ ପାଇଁ କୋଟା ବିରୋଧରେ କହିଥିବା ପ୍ରସଙ୍ଗ ମନେ ପକାଇଦେଇଛି । ପ୍ରତିଦ୍ବନ୍ଦ୍ବୀ ସବୁବେଳେ ଦେଶର ପଛୁଆ ବର୍ଗ ବିରୁଦ୍ଧରେ ବୋଲି ଅଭିଯୋଗ କରିଛି ।
କେମିତି ରାହୁଲ ବନିଲେ ପୋଷ୍ଟର ବୟ?
ତେବେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ରାଜନୀତି ବଦଳିଥିଲା । ଯାହା ଯାହା କଂଗ୍ରେସର ନିୟନ୍ତ୍ରଣରେ ଥିଲା ତାକୁ ସବୁକିଛି ଅକ୍ତିଆର କରିଚାଲିଲା ବିଜେପି । କଂଗ୍ରେସ ହାତରୁ କ୍ଷମତା ଗଲା ପରେ ଜାତି ଜନଗଣନା ବାହାନାରେ ରାହୁଲ ଗାନ୍ଧୀ ନିଜର ହଜିଯାଇଥିବା ରାଜନୈତିକ ଭୂମିକୁ ଫେରି ପାଇବା ପାଇଁ କସରତ ଆରମ୍ଭ କରିଥିଲେ । ଏଥିପାଇଁ, ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ୨୦୧୧ ଜାତି ସର୍ଭେ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିବା ଆରମ୍ଭ କରିଥିଲେ । ବିଗତ ଦିନ ମାନଙ୍କରେ ଜାତିଗତ ଜନଗଣନାକୁ ଜୋରଦାର ତେଜିଥିଲା କଂଗ୍ରେସ । ଜାତିଭିତ୍ତିକ ଜନଗଣନାରେ କଂଗ୍ରେସ ମଧ୍ୟ ଏସପି, ବିଏସପି, ଆରଜେଡି, ଡିଏମକେକୁ ସମର୍ଥନ କରିଥିଲା । ଜାତି ଜନଗଣନା ସମ୍ପର୍କରେ, ରାହୁଲ ଗାନ୍ଧୀ ଏହାକୁ ତାଙ୍କର ରାଜନୈତିକ ପ୍ରଚାରର ଏକ ବଡ଼ ପ୍ରସଙ୍ଗ କରିଥିଲେ । ଅନେକ କଂଗ୍ରେସ ସଦସ୍ୟ ରାହୁଲ ଗାନ୍ଧୀଙ୍କ ଏହି ଚିନ୍ତାଧାରା ପସନ୍ଦ କରିନଥିଲେ, କିନ୍ତୁ ରାହୁଲଙ୍କ ଜିଦ୍ କଂଗ୍ରେସକୁ ଏହାକୁ ସେମାନଙ୍କ ଦଳର ଏଜେଣ୍ଡା କରିବାକୁ ଆନୁଷ୍ଠାନିକ ଭାବରେ ରାଜି ହେବାକୁ ବାଧ୍ୟ କରିଥିଲା। କିଛି ସମୟ ମଧ୍ୟରେ, ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ଯେକୌଣସି ବିରୋଧୀ ଦଳ କିମ୍ବା ନେତାଙ୍କଠାରୁ ଆଗରେ ରହିଗଲେ । ସେ ପଛୁଆ ବର୍ଗ ଏବଂ ଉପ-ବର୍ଗର ଅନେକ ପ୍ରମୁଖ ନେତାଙ୍କ ତୁଳନାରେ ଜାତି-ଭିତ୍ତିକ ଜନଗଣନା ପ୍ରସଙ୍ଗକୁ ଅଧିକ ଜୋରରେ ଉଠାଇବା ଆରମ୍ଭ କରିଥିଲେ । କଂଗ୍ରେସର ସମଗ୍ର ଇତିହାସରେ ରାହୁଲ ଗାନ୍ଧୀ ପ୍ରଥମ ନେତା ଯିଏ ଏତେ ଦୃଢ଼ ଦାବି ଉଠାଇଥିଲେ । ଯାହା ପୂର୍ବରୁ ଏହିପରି ଭାବରେ, କଂଗ୍ରେସ କେବେବି ସାମାଜିକ ନ୍ୟାୟ ପ୍ରସଙ୍ଗରେ ସ୍ୱର ଉଠାଇ ନାହିଁ । ଯାହାକୁ ନେଇ କେନ୍ଦ୍ର ରାଜ୍ୟ ସବୁଠି ମାହୋଲ ସରଗରମ କରିଥିଲା କଂଗ୍ରେସ । ହେଲେ ବୁଧବାର ଏହାକୁ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍ । ଯାହାର ସବୁ କ୍ରେଡିଟ୍ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ହିଁ ଦେଇଛନ୍ତି ।
ସେପଟେ ଜାତୀୟ ଜନଗଣନା ସହିତ ଜାତିଗତ ଜନଗଣନା କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି । ଏଥିସହିତ କ୍ୟାବିନେଟର ଏହି ନିଷ୍ପତ୍ତିରେ ରାହୁଲଙ୍କୁ କ୍ରେଡିଟ୍ ଦେବା ପ୍ରସଙ୍ଗରେ, ଲୋକମାନେ ଫୁଙ୍କା ସ୍ଲୋଗାନ ଏବଂ ଭଲ ଉଦ୍ଦେଶ୍ୟ ମଧ୍ୟରେ ପାର୍ଥକ୍ୟ କିପରି ଦେଖିଲେ ବୋଲି କହିଛନ୍ତି । କଂଗ୍ରେସ ଉପରେ ଆକ୍ରମଣ କରି ସେ କହିଛନ୍ତି, ଯଦି ବାବାସାହେବ ଆମ୍ବେଦକର ନଥାନ୍ତେ, ତେବେ ଆଜି କୌଣସି ସଂରକ୍ଷଣ ନଥାନ୍ତା କାରଣ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏହାର ବିରୋଧୀ ଥିଲେ । ଯେତେବେଳେ ଏହି ନିଷ୍ପତ୍ତି ନିଆଯାଇଥିଲା, କିଛି ଲୋକ ବିରକ୍ତ ହୋଇଯାଇଥିଲେ । ସେମାନେ କହିଥିଲେ ଯେ ସରକାର ସେମାନଙ୍କର କିନ୍ତୁ ବ୍ୟବସ୍ଥା ଆମର । ଏବେ ଦେଶକୁ ସତ୍ୟ ଜାଣିବା ଉଚିତ। ୧୯୫୧ ମସିହାରେ, ଏହା କାହାର ସରକାର ଏବଂ ବ୍ୟବସ୍ଥା ଥିଲା? ଏହା ସମସ୍ତଙ୍କୁ ଜଣା ଥିଲା, ଯଦି ବାବାସାହେବ ଏବଂ ବାପୁଙ୍କ ମନରେ ସାମାଜିକ ସମ୍ବେଦନଶୀଳତାର କୌଣସି ପ୍ରସଙ୍ଗ ନଥାନ୍ତା, ତେବେ ଦେଶରେ କୌଣସି ସଂରକ୍ଷଣ ବି ନଥାନ୍ତା ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏଥିସହିତ ଜବାହରଲାଲ ନେହେରୁ ଜାତିଭିତ୍ତିକ ସଂରକ୍ଷଣ ବିରୋଧରେ ଥିଲେ, ଏହା କେବଳ ତାଙ୍କ ବକ୍ତବ୍ୟରେ ଥିଲା ତାହା ନୁହେଁ ବରଂ ସେ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ଏନେଇ ଚିଠି ଲେଖିଥିଲେ ବୋଲି ଅଭିଯୋଗ କରିଛନ୍ତି ।
ଏଥିସହିତ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ମଧ୍ୟ ଆକ୍ରମଣ କରି କହିଛନ୍ତି, ରାହୁଲଙ୍କୁ ପ୍ରଥମେ ଦେଖିବା ଉଚିତ ଯେ ଓବିସି ସଂରକ୍ଷଣକୁ କିଏ ବିରୋଧ କରିଥିଲେ, ତାଙ୍କ ପିତା ରାଜୀବ ଗାନ୍ଧୀ । ସେ ଅନେକ କଥା କହୁଛନ୍ତି, କିନ୍ତୁ କଂଗ୍ରେସ ସବୁବେଳେ ଆମ ସମାଜର ପଛୁଆ ବର୍ଗଙ୍କ ବିରୁଦ୍ଧରେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।
Comments are closed.