ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରଠୁ ଆକ୍ସନ୍ ମୋଡରେ ଭାରତ । ଗୋଟେ ପରେ ଗୋଟେ କୁଟନୈତିକ ପଦକ୍ଷେପ ନିଆଯାଉଛି । ଜେସାକୁ ତେସା ନୀତିରେ ପାକିସ୍ତାନର ଉଡାଣ ଉପରେ କଟକଣା ଲଗାଇଛି ଭାରତ । ପୂର୍ବରୁ ପାକିସ୍ତାନ ଭାରତ ପାଇଁ ନିଜ ଏୟାରସ୍ପେସ୍ ବନ୍ଦ କରିଥିଲା । ମେ ୨୩ତାରିଖ ପର୍ଯ୍ୟନ୍ତ ଭାରତ ଆକାଶରେ କୌଣସି ପାକିସ୍ତାନୀ ବିମାନ ଉଡି ପାରିବନି । ପାକିସ୍ତାନରେ ପଂଜୀକୃତ ବିମାନ, ପାକିସ୍ତାନ ଏୟାରଲାଇନ୍ସ ଓ ଅପରେଟରଙ୍କ ମାଲିକାନାରେ ଥିବା ବିମାନ ଭାରତ ଦେଇ ଯାଇପାରିବେନି । ଭାରତର ଏହି ନିଷ୍ପତି ଯୋଗୁଁ ବଡ଼ କ୍ଷତି ସହିବ ପାକିସ୍ତାନ ।
ଉଡାଣ କଟକଣାର ସାଇଡ୍ ଇଫେକ୍ଟ
ଭାରତ ଏୟାରସ୍ପେସ୍ ବନ୍ଦ କରିବା ଯୋଗୁଁ ପାକିସ୍ତାନରେ ବିମାନ ଉଡାଣରେ ସମସ୍ୟା ହେବ । ଏଭିଏସନ୍ ଏକ୍ସପର୍ଟଙ୍କ ମତରେ, ଭାରତର କଟକଣା ଯୋଗୁଁ ବିମାନ ଉଡାଣ ଅବଧି ବଢିବ । ଫଳରେ ଡେଷ୍ଟିନେସନ୍ ଆଧାରରେ ଅନେକ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବା ପିଆଇଏ ବିମାନ ଉଡାଣ ଅବଧି, ଘଣ୍ଟେରୁ ଦୁଇଘଣ୍ଟା ବଢି ଯାଇପାରେ । ଅତିରିକ୍ତ ଉଡାଣ ସମୟ ପାଇଁ ଅଧିକ ଇନ୍ଧନ ସାଙ୍ଗକୁ ଅଧିକ ସମୟର କ୍ରୁ ଡ୍ୟୁଟି ବି ଆବଶ୍ୟକ ହେବ। ତେଣୁ କିଛି ପିଆଇଏ ବିମାନସେବାକୁ ରିସିଡ୍ୟୁଲ ବା କମାଇବାକୁ ପଡିବ ।
ପାକିସ୍ତାନ ଉପରେ ଆର୍ଥିକ ପ୍ରହାର
୩୨ଟି ବିମାନ ସଞ୍ଚାଳନ କରୁଥିବା ପାକିସ୍ତାନ ଏୟାରଲାଇନ୍ସ ପୂର୍ବରୁ ହିଁ ସମସ୍ୟା ଘେରରେ ରହିଛି । ତେବେ ଭାରତର କଟକଣା ସମସ୍ୟାକୁ ଆହୁରି ବଢାଇଦେବ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜବାବି ହମଲା ଭୟରେ ଭାରତ ଉପରେ ଆଗୁଆ କଟକଣା ଲଗାଇଥିଲା ପାକିସ୍ତାନ । ଏବେ ଭାରତ ଏୟାରସ୍ପେସ୍ ବନ୍ଦ କରିବା ପରେ ଏବେ ପିଆଇଏ ପାଖରେ ଲମ୍ବା ଓ ମହଙ୍ଗା ବାଟ ଦେଇ ଉଡାଣ ଭରିବା ଅପେକ୍ଷା ଅନ୍ୟ କିଛି ବାଟ ନାହିଁ । ପିଆଇଏକୁ ଏବେ ନିଜ ବାଟ ବଦଳାଇ ଚୀନ୍ ଓ ଶ୍ରୀଲଙ୍କା ଏୟାରସ୍ପେସ୍ ଦେଇ ଯିବାକୁ ପଡିବ । ପାକିସ୍ତାନ ତୁଳନାରେ ଭାରତ ପାଖରେ ଯଥେଷ୍ଟ ଅଧିକ ବିମାନ ରହିଛି ।
ବୁଲି ବୁଲି ଯିବେ…ଇନ୍ଧନ ସରିବ
ଭାରତର ନିଷ୍ପତି ପରେ ଏଣିକି ଗନ୍ତବ୍ୟ ସ୍ଥାନରେ ପହଞ୍ଚିବାକୁ ପାକିସ୍ତାନୀ ଏୟାରଲାଇନ୍ସକୁ ବୁଲି ବୁଲି ଯିବାକୁ ପଡିବ । ଫଳରେ ଦୂରତା ବଢିବା ସହ ସମୟ ବି ଅଧିକ ଲାଗିବ । ଏହାସହ ବିମାନରେ ଇନ୍ଧନ ବି ଅଧିକ ଖର୍ଚ୍ଚ ହେବ । ଇସାଲାମାବାଦରୁ କୁଆଲାଲମ୍ପୁର ଯିବା ପାଇଁ ପୂର୍ବରୁ ସାଢେ ୫ଘଣ୍ଟା ସମୟ ଲାଗୁଥିଲା । ତେବେ ଭାରତ ଏୟାରସ୍ପେସ୍ ବନ୍ଦ କରିବା ପରେ ଏବେ କୁଆଲାଲମ୍ପୁରରେ ପହଞ୍ଚିବା ପାଇଁ ସାଢେ ୮ଘଣ୍ଟା ଲାଗିବ । ଫଳରେ ବିମାନ ପରିଚାଳନାଗତ ଖର୍ଚ୍ଚ ବଢିବ । ଏଥିପାଇଁ ପିଆଇଏ ଯାତ୍ରୀଙ୍କ ଟିକେଟ୍ ମୂଲ୍ୟ ବଢାଇପାରେ । ଟିକେଟ ମହଙ୍ଗା ହେବା ଦ୍ବାରା ପାକିସ୍ତାନ ଯାତ୍ରୀ ବିମାନ ଯାତ୍ରା କରିବାକୁ ଆଗ୍ରହ ଦେଖାଇ ନପାରନ୍ତି । ଫଳରେ ପାକିସ୍ତାନ ଏୟାରଲାଇନ୍ସ ରାଜସ୍ବ କ୍ଷତି ସହିପାରେ ।
ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଅନ୍ତର୍ଜାତୀୟ ବିମାନ ଯିବା ବେଳେ ଅନେକ ଦେଶ ଦେଇ ଯାତ୍ରା କରେ । ଏହାକୁ ସେସବୁ ଦେଶର ଏୟାରସ୍ପେସ୍ କୁହାଯାଏ । ବିମାନଯାତ୍ରା ପାଇଁ ସବୁଠୁ କମ୍ ଦୂରତାର ରାସ୍ତାକୁ ବଛାଯାଏ । ଯେଉଁସବୁ ଦେଶର ଏୟାରସ୍ପେସ୍ ଦେଇ ବିମାନ ଯାତ୍ରା କରେ, ସେସବୁ ଦେଶକୁ ଓଭରଫ୍ଲାଇଟ୍ ଫି ଦିଆଯାଏ । ତେବେ କୌଣସି ଦେଶ ଏୟାରସ୍ପେସ୍ ବନ୍ଦ କଲେ ସେ ରାସ୍ତା ବଦଳରେ ଅନ୍ୟ ରୁଟ୍ ଦେଇ ବିମାନ ଯାତ୍ରା କରେ । ତେବେ ଭାରତ ଏୟାରସ୍ପେସ୍ ବନ୍ଦ କରିବା ପରେ ପାକିସ୍ତାନକୁ ଆର୍ଥିକ ଝଟକା ଲାଗିବ । ପୂର୍ବରୁ ୨୦୧୯ରେ ବାଲାକୋଟ ଏୟାରଷ୍ଟ୍ରାଇକ ପରେ ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କରିଥିଲା ପାକିସ୍ତାନ ।
Comments are closed.