ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ଉଭୟ ଭାରତ ଓ ପାକିସ୍ତାନ ପରସ୍ପର ବିରୋଧରେ ବିଭିନ୍ନ ପ୍ରତିବନ୍ଧକ ଲଗାଇ ଆସୁଛନ୍ତି । ଏହାରି ଭିତରେ ପାକିସ୍ତାନ ବ୍ରଡ଼କାଷ୍ଟର୍ସ ଆସୋସିଏସନ୍ ଦେଶବ୍ୟାପୀ ଭାରତୀୟ ଗୀତ ଉପରେ ସମ୍ପୂର୍ଣ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି।
ପାକିସ୍ତାନ ସରକାର ଏହି ପ୍ରତିବନ୍ଧକ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏବେ କୌଣସି ପାକିସ୍ତାନୀ ଏଫ୍ଏମ୍ ରେଡିଓ ଷ୍ଟେସନ୍ରେ ଭାରତୀୟ ଫିଲ୍ମ ଗୀତ ବଜାଯିବ ନାହିଁ। ସରକାର କହିଛନ୍ତି ଯେ ଏହି ନିଷ୍ପତ୍ତି ବର୍ତ୍ତମାନର ପରିସ୍ଥିତି ଏବଂ ଜାତୀୟ ଭାବନାକୁ ଦୃଷ୍ଟିରେ ରଖି ନିଆଯାଇଛି।
ଏହା ପୂର୍ବରୁ ଭାରତ ସରକାର ଡିଜିଟାଲ ମୋର୍ଚ୍ଚାରେ କଡ଼ା ପଦକ୍ଷେପ ଗ୍ରହଣ କରି ପାକିସ୍ତାନର ଅନେକ ଲୋକପ୍ରିୟ କଳାକାରଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହି ତାଲିକାରେ ହାନିୟା ଆମିର, ମାହିରା ଖାନ, ଆୟଜା ଖାନ ଏବଂ ଇକ୍ରା ଆଜିଜ ପରି ବଡ଼ ନାମ ସାମିଲ ରହିଛି। ଏହି ପଦକ୍ଷେପ ଅନ୍ଲାଇନ୍ ଜଗତରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଏହାରି ମଧ୍ୟରେ ହାନିୟା ଆମିରଙ୍କ ନାମରେ ଏକ ନକଲି ପୋଷ୍ଟ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ “ନିରୀହ ଲୋକଙ୍କୁ ଦଣ୍ଡ ନ ଦେବା” ପାଇଁ ଅନୁରୋଧ କରୁଥିବା ଦେଖାଯାଇଥିଲା। ପରେ ଏହି ପୋଷ୍ଟଟି ନକଲି ବୋଲି ପ୍ରମାଣିତ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ପହଲଗାମର ବୈସରନ ଘାଟିରେ ଏପ୍ରିଲ ୨୨ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ପ୍ରଶାନ୍ତ ଶତପଥୀଙ୍କ ସମେତ ୨୬ ଜଣ ନିରୀହ ପର୍ଯଟକଙ୍କ ମୃତ୍ୟୁ ଘଟିଛି । ଅନେକ ଲୋକ ଗୁରୁତର ଆହତ ହୋଇଥିଲେ। ଏହି ଆତଙ୍କୀ ଘଟଣା ପରେ ଭାରତ ଆକ୍ସନ ମୋଡ଼କୁ ଆସି ପାକିସ୍ତାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଘୋଷଣା କରିଛି ।
ଭାରତ ସରକାର ଏହା ମଧ୍ୟରେ ଇଣ୍ଡସ୍ ଜଳ ଚୁକ୍ତିନାମା ସ୍ଥଗିତ ରଖିବା, ଅଟାରୀ ସୀମାନ୍ତ ବନ୍ଦ କରିବା ଏବଂ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ନିଷେଧାଦେଶ ଜାରି କରିବା ସାମିଲ ରହିଛି। ଏହା ବ୍ୟତୀତ, ଭାରତୀୟ ସେନାକୁ ଆତଙ୍କବାଦ ବିରୋଧରେ ପୂର୍ଣ୍ଣ କାର୍ଯ୍ୟକାରୀ ସ୍ୱାଧୀନତା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ସେନାବାହିନୀର ସାମର୍ଥ୍ୟ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକାଶ କରିଛନ୍ତି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜନୈତିକ ସମର୍ଥନ ପ୍ରଦାନ କରିଛନ୍ତି।
Comments are closed.