Latest Odisha News

BREAKING NEWS

ପୁଣି ପାକ୍ ମନ୍ତ୍ରୀଙ୍କ ଧମକ: ‘ଭାରତ ବନ୍ଧ ବନ୍ଧେଇଲେ, ଉଡେଇଦେବୁ’

ନୂଆଦିଲ୍ଲୀ: ଚେତୁନି ପାକିସ୍ତାନ । ଘର ବୁଡି ପାଣି ଆଣ୍ଠିଏ ହେଲାଣି, ତଥାପି ମୁହଁ ଭାଙ୍ଗୁନି । ମୁହଁଟାଣ କରି ଓଲଟା ଭାରତକୁ ଫମ୍ପା ଧମକ ଦେଉଛି । ଏବେ ପୁଣି ପାକ୍ ମନ୍ତ୍ରୀ ଭାରତ ଉପରେ ଆକ୍ରମଣ କରିବାର ଧମକ ଦେଇଛନ୍ତି । ଯଦି ଭାରତ ସିନ୍ଧୁ ନଦୀ ଜଳକୁ ରୋକିବାକୁ କୌଣସି ବି ବନ୍ଧ ବାନ୍ଧେ, ତେବେ ପାକିସ୍ତାନ ସିଧା ଆକ୍ରମଣ କରିବ ।

କିଛି ଏମିତି ଧମକ ଦେଇଛନ୍ତି, ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ । ଏକ ସାକ୍ଷାତକାରରେ ଆସିଫ୍ ଭାରତ ଜାରି କରିଥିବା କଠୋର କାର୍ଯ୍ୟନୁଷ୍ଠାନର ଭୟ ଏବଂ ଚିନ୍ତା ଭିତରେ ମଧ୍ୟ ଦୃଢୋକ୍ତି ଦେଖାଇଛନ୍ତି । କହିଛନ୍ତି, ସିନ୍ଧୁ ଚୁକ୍ତିନାମା ଅନୁଯାୟୀ ଦେଶର ଜଳ ଅଂଶକୁ ପରିବର୍ତ୍ତନ କରିବା ପାଇଁ ଭାରତ ଉପରେ କିଛି କଟକଣା ଥିଲା । ଏବେ ଭଙ୍ଗ କରିଛି । ଯଦି ଭାରତ ସିନ୍ଧୁ ନଦୀ ଉପରେ କୌଣସି ବନ୍ଧ ନିର୍ମାଣ କରେ, ତେବେ ପାକିସ୍ତାନ ତାହା ଉପରେ ଆକ୍ରମଣ କରିବ । ସିନ୍ଧୁ ନଦୀ ଉପରେ ଭାରତର ଯେକୌଣସି ପଦକ୍ଷେପକୁ, ପାକିସ୍ତାନ ବିରୁଦ୍ଧରେ ଆକ୍ରମଣ ବୋଲି ମଣାଯିବ । ଯଦି ଭାରତ ଏହି ପ୍ରକାରର କିଛି ସ୍ଥାପତ୍ୟ ନିର୍ମାଣ କରିବାର ପ୍ରୟାସ କରନ୍ତି, ତେବେ ପାକିସ୍ତାନ ସେହି ଢାଞ୍ଚାକୁ ନଷ୍ଟ କରିବ । ସେ ଏହାବି କହିଛନ୍ତି, ଆକ୍ରମଣ କେବଳ ଗୁଳି ମାଧ୍ୟମରେ କରାଯାଏ ନାହିଁ, ପାଣି ବନ୍ଦ କରିବା ମଧ୍ୟ ଏକ ଆକ୍ରମଣ ହେବ । ଯାହାର ପାକିସ୍ତାନ କଡା ଜବାବ ଦବ । ଏଥିସହିତ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏହାବି ଅଭିଯୋଗ କରିଛନ୍ତି ଯେ, ଭାରତକୁ ଅନ୍ତର୍ଜାତୀୟ ମଞ୍ଚରେ ସେପରି ସମର୍ଥନ ମିଳୁନାହିଁ, ଯାହା ସେ ଆଶା କରୁଥିଲା । ଭାରତର ଅଭିଯୋଗକୁ କାଳେ ଅନ୍ତର୍ଜାତୀୟ ସମୁଦାୟ ପ୍ରତ୍ୟାଖ୍ୟାନ କରିଛନ୍ତି । ତେଣୁ ମୋଦି ସରକାରଙ୍କ ପାଖରେ ନିଜର ଦାବିକୁ ପ୍ରମାଣ କରିବା ପାଇଁ କୌଣସି ପ୍ରମାଣ ନାହିଁ ବୋଲି ଦୃଢୋକ୍ତି ବାଢିଛନ୍ତି ପାକ୍ ରକ୍ଷାମନ୍ତ୍ରୀ ।

ତେବେ ପୂର୍ବରୁ ମଧ୍ୟ ଭାରତ ପାଣିକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି ବୋଲି ଅଭିଯୋଗ ଆଣିଥିଲେ ପ୍ରତିରକ୍ଷା ମନ୍ତ୍ରୀ । କହିଥିଲେ,ଭାରତ ପାଣିକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି, କିନ୍ତୁ ଆମେ ଭାରତ ସହିତ ଯୁଦ୍ଧ ଆରମ୍ଭ କରିବାକୁ ଚାହୁଁନାହୁଁ । ଯଦି ଯୁଦ୍ଧ ପରିସ୍ଥିତି ଉପୁଜେ ତେବେ ପାକିସ୍ତାନ ମଧ୍ୟ ଏହାର ଜବାବ ଦେବ । ଏଥିସହିତ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ପାକିସ୍ତାନ ବିଶ୍ୱ ବ୍ୟାଙ୍କ ସହିତ ଯୋଗାଯୋଗ କରିବ ।

ଅନ୍ୟପଟେ ଆସିଫଙ୍କ ଏଭଳି ମନ୍ତବ୍ୟଙ୍କୁ ଫୁଙ୍କା ଧମକ ବୋଲି କହିଛନ୍ତି, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଶାହନୱାଜ ହୁସେନ । କହିଛନ୍ତି, ଏପରି ଉଡା କଥା କହିବା କେବଳ ପାକିସ୍ତାନୀମାନଙ୍କ ମଧ୍ୟରେ ଭୟକୁ ପ୍ରକାଶ କରୁଛି । ଖୱାଜା ଆସିଫ ସ୍ପଷ୍ଟ ଭାବରେ ଥରି ଉଠିଛନ୍ତି। ଯଦିଓ ସେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ, ହେଲେ ତାଙ୍କର କୌଣସି ନିୟନ୍ତ୍ରଣ ନାହିଁ । ସେ କେବଳ ଜଣେ ‘ବିବୃତ୍ତି ମନ୍ତ୍ରୀ’ । ଲଗାତାର ଫୁଙ୍କା ଧମକ ଦେଉଛନ୍ତି । ପାକିସ୍ତାନୀମାନଙ୍କ ମଧ୍ୟରେ ଭୟ ସ୍ପଷ୍ଟ ଭାବେ ବାରି ହେଉଛି । ସେମାନଙ୍କ ରାତିର ନିଦ ହଜିଗଲାଣି ବୋଲି କହି କଟାକ୍ଷ କରିଛନ୍ତି ବିଜେପି ମୁଖପାତ୍ର ।

ତେବେ କହିରଖୁଛୁ, ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନକୁ ଗୋଟେ ପରେ ଝଟକା ଦେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ ହୋଇଯାଇଛି । ବିଶ୍ୱ ବ୍ୟାଙ୍କର ମଧ୍ୟସ୍ଥତାରେ ୧୯୬୦ ମସିହାରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ଆଇଡବ୍ଲୁଟି (ସିନ୍ଧୁ ଜଳ ଚୁକ୍ତିନାମା)କୁ ଏପର୍ଯ୍ୟନ୍ତ ବିଶ୍ୱର ସବୁଠାରୁ ସଫଳ ଜଳ ଚୁକ୍ତିନାମା ଭାବରେ ବିବେଚନା କରାଯାଏ, କିନ୍ତୁ ଏବେ ଏହି ଚୁକ୍ତିନାମାକୁ ମାନିବୋଲି ବୋଲି କହିଛି ଭାରତ । ଯାହା ଅନୁଯାୟୀ, ଭାରତକୁ ପୂର୍ବ ନଦୀ-ରାଭି, ବ୍ୟାସ, ସତଲେଜ ଉପରେ ନିୟନ୍ତ୍ରଣ ଦିଆଯାଇଥିଲା, ଯେତେବେଳେ ପାକିସ୍ତାନକୁ ପଶ୍ଚିମ ନଦୀ-ସିନ୍ଧୁ, ଝେଲମ, ଚେନାବ ଉପରେ ଅଧିକ ଅଧିକାର ମିଳିଥିଲା । କିନ୍ତୁ ଏବେ ଚୁକ୍ତି ଭଙ୍ଗ ପରେ ଭାରତ ମନଇଚ୍ଛା ପଶ୍ଚିମ ନଦୀ ଗୁଡିକୁ ବ୍ୟବହାର କରିବ । ଇଚ୍ଛା ହେଲେ ପଶ୍ଚିମ ନଦୀ ଉପରେ ଡ୍ୟାମ୍ ବି ନିର୍ମାଣ କରିପାରେ  । ଯାହା ପାକିସ୍ତାନର ୮୦ ପ୍ରତିଶତ କୃଷି ଜମି ପାଇଁ ପାଣି ସୁନିଶ୍ଚିତ କରିଥାଏ ।

Comments are closed.