ନୂଆଦିଲ୍ଲୀ: ପହଲଗାମ ଆକ୍ରମଣକୁ ନେଇ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ, ଏବେ ଖାଲି ଫମ୍ପା ଧମକ ପରେ ଧମକ ଉଡେଇ ଚାଲିବା ସହ ଦିନରେ ଭାରତକୁ ତାରା ଦେଖଉଛି ପାକିସ୍ତାନ । ଆମେ ଏମିତି କରିଦେବୁ, ଷ୍ଟ୍ରାଇକ୍ କରିବୁ, ଭାରତକୁ କଡ଼ା ଜବାବ ଦବୁ ଭଳି ପାଣି ଫୋଟକା ଚେତାବନି ଲଗାତାର ଦେଇଆସୁଛି। ଆଉ ଏହାରି ଭିତରେ, ରୁଷରେ ପାକିସ୍ତାନର ରାଷ୍ଟ୍ରଦୂତ ଖୋଲାଖୋଲି ଭାବରେ ଭାରତକୁ ଧମକ ଦେଇଛନ୍ତି । ଯଦି ନୂଆଦିଲ୍ଲୀ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରେ ତେବେ ଇସଲାମାବାଦ ପରମାଣୁ ଅସ୍ତ୍ର ସମେତ ଭାରତ ବିରୁଦ୍ଧରେ ସମ୍ପୂର୍ଣ୍ଣ ଆଣବିକ ଶକ୍ତି ଲଗେଇଦେବ ବୋଲି କହିଛନ୍ତି।
ଋଷରେ ଏକ ସାକ୍ଷାତକାରରେ, ରାଷ୍ଟ୍ରଦୂତ ମହମ୍ମଦ ଖାଲିଦ ଜମାଲି ଦାବି କରିଛନ୍ତି, କିଛି ଲିକ୍ ହୋଇଥିବା ଦଲିଲ୍ ପ୍ରକାଶ କରିଛି ଯେ ଭାରତ ପାକିସ୍ତାନର କିଛି ଅଞ୍ଚଳରେ ଆକ୍ରମଣ କରିବ। ଯାହାକୁ ନେଇ ଏକ ସଂଘର୍ଷ ଆସନ୍ନ, ଏହା ଘଟିବାକୁ ଯାଉଛି। ତେଣୁ ନୂଆଦିଲ୍ଲୀ ସହିତ ଯୁଦ୍ଧ ଯଦି ଯୁଦ୍ଧ ହୁଏ, ତେବେ ଇସଲାମାବାଦ ନ୍ୟୁକ୍ ବ୍ୟବହାର କରିପାରିବ। ପାକିସ୍ତାନ ପାରମ୍ପରିକ ଏବଂ ପରମାଣୁ ଉଭୟ ଶକ୍ତିର ପୂର୍ଣ୍ଣ ସ୍ପେକ୍ଟ୍ରମ୍ ବ୍ୟବହାର କରିବ।
ସେ ଆହୁରି ବି କହିଛନ୍ତି, ଯେତେବେଳେ ଭାରତ ଏବଂ ପାକିସ୍ତାନ କଥା ଆସେ, ଆମେ ସଂଖ୍ୟାଗତ ଶକ୍ତିର ବିତର୍କରେ ସାମିଲ ହେବାକୁ ଚାହୁଁନାହୁଁ। ଆମେ ପାରମ୍ପରିକ ଏବଂ ପରମାଣୁ ଉଭୟ ଶକ୍ତି ବ୍ୟବହାର କରିବୁ। ପାକିସ୍ତାନ ଲୋକଙ୍କ ଦ୍ୱାରା ସମର୍ଥିତ ସଶସ୍ତ୍ର ବାହିନୀ ଶକ୍ତିର ପୂର୍ଣ୍ଣ ପରିସର ସହିତ ପାକିସ୍ତାନ ଭାରତକୁ ଜବାବ ଦେବ ବୋଲି ସେ ଖୋଲା ଖୋଲି ଭାବେ କହିଛନ୍ତି।
ତେବେ ଗତ ଏପ୍ରିଲ୍ ୨୨ରେ ପହଲଗାମ ଆଟାକ୍ ପରେ ଭାରତ ହାତରେ ନମାରି ପାକିସ୍ଥାନକୁ ଭାତରେ ମାରୁଛି। ସେଥିପାଇଁ ଭୟରେ ବିଳିବିଳାଉଛି ପାକିସ୍ତାନ। ଆବୁରୁତାବୁରୁ ଗପୁଛି। ପୂର୍ବରୁ ମଧ୍ୟ, ପାକିସ୍ତାନ ମନ୍ତ୍ରୀ ହନିଫ ଆବାସି ଖୋଲାଖୋଲି ଭାବରେ ଭାରତକୁ ପରମାଣୁ ପ୍ରତିଶୋଧର ଧମକ ଦେଇଥିଲେ, ଚେତାବନୀ ଦେଇଥିଲେ ଯେ ପାକିସ୍ତାନର ଅସ୍ତ୍ରାଗାର-ଘୋରୀ, ଶାହିନ ଏବଂ ଗଜନବୀ କ୍ଷେପଣାସ୍ତ୍ର ସହିତ ୧୩୦ ପରମାଣୁ ଯୁଦ୍ଧାସ୍ତ୍ର କେବଳ ଭାରତ ପାଇଁ ରଖାଯାଇଛି। ଆଉ ପାକ ପ୍ରତିରକ୍ଷା ମନ୍ତ୍ରୀ ବି ଦୁଇ ଦୁଇ ଥର ଧମକ ଦେଇସାରିଲେନି। ଯାହା ପାକିସ୍ତାନର ଭୟକୁ ସ୍ପଷ୍ଟ ଭାବେ ବାରିହେଉଛି।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସଶସ୍ତ୍ର ବାହିନୀକୁ ସମ୍ପୂର୍ଣ୍ଣ କାର୍ଯ୍ୟଗତ ସ୍ୱାଧୀନତା ପ୍ରଦାନ କରିବା ପରେ ଏହି ସବୁ ମନ୍ତବ୍ୟ ସାମ୍ନାକୁ ଆସିଛି, ଯାହାର ଜବାବରେ ପାକିସ୍ତାନ କେବଳ ଫୁଙ୍କା ଧମକ ଦେଇଛି ବୋଲି କହି କଟାକ୍ଷ କରିଛି ବିଜେପି।
Comments are closed.